ଅନୁଗୁଳ: ବିଜେଡି ତରଫରୁ ଆଜି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ତଥାପି ଏହି ତାଲିକାରେ ସ୍ଥାନ ପାଇପାରିଲାନି ହିନ୍ଦୋଳ ନିର୍ବାଚନମଣ୍ଡଳୀ। ୬ଟି ପର୍ଯ୍ୟାୟ ପରେ ବି କାହିଁକି ହିନ୍ଦୋଳ ଦ୍ବନ୍ଦ୍ବ ତୁଟୁନି ତାକୁ ନେଇ ସମସ୍ତେ ଅଡ଼ୁଆରେ ପଡ଼ିଯାଇଛନ୍ତି। ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ହିନ୍ଦୋଳ ଅଙ୍କ ଅଡ଼ୁଆ ଥିଲା ବିଜେଡିରେ। ଲାଗୁଥିଲା ଷଷ୍ଠ ପ୍ରାର୍ଥୀ ତାଲିକାରେ ଅନ୍ତତଃ ହିନ୍ଦୋଳ ପାଳି ପଡ଼ିବ। କିନ୍ତୁ ୯ ଜଣିଆ ତାଲିକାରେ ବିଜେଡି ସୁପ୍ରିମୋ ହିନ୍ଦୋଳ କାର୍ଡ ଖୋଲିନାହାନ୍ତି। ଆଜି ଘୋଷିତ ତାଲିକା‌ରେ ବହୁ ଟାଣୁଆ ବିଧାୟକଙ୍କ ଟିକେଟ୍‌ କାଟିଛି ବିଜେଡି। ଏହାକୁ ଦେଖିଲେ ୨ଥର ବିଧାୟିକା ହୋଇଥିବା ସୀମାରାଣୀ ନାୟକଙ୍କ ଭାଗ୍ୟ ଓ ରାଜନୈତିକ କ୍ୟାରିୟର୍‌ ଏବେ ଖଣ୍ଡାଧାରରେ ଚାଲୁଛି। ସାଂସଦ ତାଲିକାରୁ ବାଦ୍‌ ପଡ଼ିଥିବା ମହେଶ ସାହୁଙ୍କୁ ହିନ୍ଦୋଳରେ ଥଇଥାନ କରାଯାଇପାରେ ବୋଲି ଆଗରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ତାଲିକାରେ ଏବେ ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରାଙ୍କ ଭାଇ ଅଶୋକ ନାୟକଙ୍କ ନାଁ ଯୋଡ଼ି ହୋଇଯାଇଛି। ଅଶୋକ ଆଗରୁ ବିଜେପିରେ ଥିଲେ। ୨୦୧୪ରେ ତାଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିଥିଲା।

Advertisment

ସେ ୭୫ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ ପାଇଥିଲେ। ୨୦୨୧ରେ ଅଂଜଳି ବେହେରା ବିଜେଡି ଛାଡ଼ି ବିଜେପିରେ ସାମିଲ୍‌ ହେବା ପରେ ଅଶୋକ ବିଜେଡିରେ ଯୋଗ ଦେଇଥିଲେ। ଅଂଜଳିଙ୍କ ଭାଇ ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରି ବିଜେପିକୁ ଚେକ୍‌ ଦେଇପାରେ ବୋଲି କୁହାଯାଉଛି। ସେହିପରି ବରିଷ୍ଠ ନେତା ମହେଶ ସାହୁଙ୍କୁ କାଟି ନବାଗତ ଅବିନାଶ ସାମଲଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଛି। ତେବେ ବାଦ୍‌ ପଡ଼ିଥିବା ମହେଶଙ୍କୁ ହିନ୍ଦୋଳ ଟିକେଟ ଦିଆଯାଇପାରେ ବୋଲି ତାଙ୍କ ସମର୍ଥକ ଏବେ ବି ଆଶା ବାନ୍ଧି ବସିଛନ୍ତି।

ଅନ୍ୟପଟେ, ଶୁକ୍ରବାର ସାତମାଇଲସ୍ଥିତ ହାଟ ପଡ଼ିଆରେ ବିଧାୟିକା ସୀମାଙ୍କ ସମର୍ଥ‌ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜାତି ବର୍ଗର ଏହି ବୈଠକରେ ସୀମାଙ୍କୁ ପୁନର୍ବାର ଟିକେଟ ଦେବାକୁ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଇଛି। ବାହାର ପ୍ରାର୍ଥୀଙ୍କୁ ଏଠାରେ ଥଇଥାନ କଲେ ବିରୋଧ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୀମାରାଣୀ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହୋଇଥିବା କାରଣରୁ ଓ ସେମାନଙ୍କ ସମାଜରୁ ସେ ନିର୍ବାଚିତ ହେଉଥିବାରୁ ତାଙ୍କ ଟିକେଟ କାଟିବାରୁ ବିଜେଡି ବିରତ ରହିବାକୁ ସମର୍ଥକମାନେ ଦାବି କରିଛନ୍ତି। ଏହି ଗୋଷ୍ଠୀର ପ୍ରାୟ ୫୦ହଜାର ଭୋଟ୍‌ ରହିଥିବାରୁ ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି। ତେବେ ସେମାନଙ୍କ ସମାଜର ଯାହାକୁ ପ୍ରାର୍ଥୀ କଲେ ବି ସେମାନେ ସମର୍ଥନ ଦେବେ ବୋଲି ବିଶ୍ବସ୍ତ ଭାବେ ଜଣାପଡ଼ିଛି। କହିବାବାହୁଲ୍ୟ, ଚଳିତଥର ଢେଙ୍କାନାଳ ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୁଳ ବିଧାନସଭା ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେଇଛି। ତେଣୁ ହିନ୍ଦୋଳରେ ଆଉ ମହିଳା ପ୍ରାର୍ଥୀ ଦିଆଯିବ ନାହିଁ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି।