ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ଏକମାତ୍ର ସଂରକ୍ଷିତ (ଅନୁସୂଚିତ ଜାତି) ଆସନ ହେଉଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ। ହିନ୍ଦୋଳ ବ୍ଲକ୍ର ୩୬ଟି ପଞ୍ଚାୟତ ସହିତ ଓଡ଼ାପଡ଼ା ବ୍ଲକ୍ର ୨୮ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଗୋଟିଏ ଉପନିର୍ବାଚନ ସହ ମୋଟ୍ ୧୩ଥର ନିର୍ବାଚନ ହୋଇଛି। କଂଗ୍ରେସ ୪ଥର, ଜନତା ପାର୍ଟି ୨ଥର, ଜନତା ଦଳ ୨ଥର ଓ ବିଜୁ ଜନତା ଦଳ ୫ଥର ଏହି ଆସନରେ ବିଜୟ ହୋଇଛି। ଏହି ଆସନ ୨୦୦୦ ମସିହାରୁ ବିଜେଡି କବ୍ଜାରେ ରହିଛି। ଏକଦା ଏଠାରୁ ଅଞ୍ଜଳି ବେହେରା ଜିତି କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।
୨୦୧୪ ନିର୍ବାଚନ ପରେ ହିନ୍ଦୋଳ ରାଜନୀତିରେ ଏଥିର ବଡ଼ ପରିବର୍ତ୍ତନ ଆସିଛି। ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା କରି ନୂଆ ମୁହଁ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ୫୦ହଜାରରୁ ଊର୍ଦ୍ଧ୍ବ ଭୋଟରେ ସୀମାରାଣୀ ଜିତି ବିଧାୟିକା ହୋଇଥିଲେ। ତେବେ ସେହିଥର ସ୍ବାଧୀନ ପ୍ରାର୍ଥୀ ହୋଇ ଅଞ୍ଜଳି ମାତ୍ର ୧୨ହଜାର ୩୦୪ ଖଣ୍ଡ ଭୋଟ୍ ପାଇଥିଲେ। ତା ପରଠାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳି ନଥିଲା। ୮ ବର୍ଷ ପରେ ସେ ବିଜେପିରେ ମିଶି ପଞ୍ଚାୟତ ନିର୍ବାଚନ ଲଢ଼ିଥିଲେ। ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏକଦା ମହିଳା ଓ ଶିଶୁ ବିକାଶ ତଥା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିବା ଅଞ୍ଜଳି ଗତ ପଞ୍ଚାୟତ ନିର୍ବାଚନରେ ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ଲଢ଼ି ୮୨୬ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ।
ଏହି ପରାଜୟ ବିଜେପି ଶିବିରକୁ ନିରାଶା ଭିତରକୁ ଠେଲି ଦେଇଥିଲା। ଅବଶ୍ୟ ନିକଟରେ ହିନ୍ଦୋଳ ଏନ୍ଏସି ଉପନିର୍ବାଚନ ବିଜେପି ତାଙ୍କ ନେତୃତ୍ବରେ ଲଢ଼ିଥିଲା। ବିଜେଡିର ଦବ୍ଦବା ଥିବା ଏହି ନିର୍ବାଚନରେ ବିଜେପି ୫ଟି ୱାର୍ଡ ଜିତିପାରିଥିଲା। ଯାହା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି। ଏବେ ଅଞ୍ଜଳି ନିୟମିତ ଭାବେ ନିର୍ବାଚନମଣ୍ଡଳୀ ଗସ୍ତ କରି ଜନସମ୍ପର୍କ ବୃଦ୍ଧି କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୋଟିଏ ମଞ୍ଚରେ ଅଞ୍ଜଳି ଉପସ୍ଥିତ ରହୁଥିବା ଦେଖାଯାଉଛି। ତେଣୁ ତାଙ୍କୁ ଆସନ୍ତା ନିର୍ବାଚନରେ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ସବୁଠାରୁ ବଡ଼ କଥା ହେଲା, ଅଞ୍ଜଳିଙ୍କ ଭାଇ ଅଶୋକ କୁମାର ନାୟକ ଏବେ ବିଜେଡିରେ ମିଶି ସାରିଥିବାରୁ ଦଳରେ ଅଞ୍ଜଳିଙ୍କ ଛଡ଼ା ଆଉ କେହି ବିକଳ୍ପ ନାହାନ୍ତି ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଆହୁରି ମଧ୍ୟ ୨୦୧୪ରେ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମୀଧର ବେହେରାଙ୍କ କରୋନାରେ ପରଲୋକ ପରେ ଅଞ୍ଜଳି ହିଁ ବିଜେପିର ଏକମାତ୍ର ପ୍ରାର୍ଥୀ ବୋଲି କୁହାଯାଉଛି।
ସେପଟେ କଂଗ୍ରେସର ନା ନେତାଙ୍କର ଦେଖା ମିଳୁଛି ନା କୌଣସି ସାଂଗଠନିକ କାର୍ଯ୍ୟକ୍ରମ କରାଯାଉଛି। ଏମିତିକି ବିଧାନସଭା କ୍ଷେତ୍ରର ନେତା କିଏ ବି ଦଳୀୟ କର୍ମୀ ଜାଣିପାରୁନାହାନ୍ତି। ଗତ ୩ଥର ଯାକ ନିର୍ବାଚନରେ କଂଗ୍ରେସ ଏଠାରେ ପ୍ରାର୍ଥୀ ବଦଳାଇଛି। ୨୦୦୯ରେ ରେବତୀ ବେହେରା ୪୫ ହଜାର ଭୋଟ ପାଇଥିବା ବେଳେ ୨୦୧୪ରେ ନମିତା ନାଏକ ୩୦ହଜାର ଭୋଟ ପାଇଥିଲେ। ଦିନ ଥିଲା ଏଠାରେ କଂଗ୍ରେସ ୪ଥର ନିର୍ବାଚନ ଜିତିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ଦଳକୁ ଏଠାରେ ଅମାନତ ହରାଇବାକୁ ପଡ଼ିଲା। ତ୍ରିନାଥ ବେହେରା ପ୍ରାର୍ଥୀ ହୋଇ ୧୦ହଜାର ଭୋଟ୍ ବି ପାଇପାରି ନଥିଲେ। ବରଂ କଂଗ୍ରେସ ଭୋଟ ବିଜେପିକୁ ଚାଲିଯାଇଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଖାଲି ସେତିକି ନୁହେଁ ଗତ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ନିଜ ଗଡ଼ ବୋଲି ଦାବି କରୁଥିବା ୨ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଅମାନତ ବି ହରାଇଛନ୍ତି। ଶେଷଥର ୧୯୯୫ରେ ମହେଶ୍ବର ନାଏକ ହିନ୍ଦୋଳ ଆସନରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାଯାଏ। ତେବେ ଏଥର ଗତଥରର ପ୍ରାର୍ଥୀ ହୋଇଥିବା ତ୍ରିନାଥଙ୍କୁ ଦଳ ପ୍ରାର୍ଥୀ କରିବ କି ସବୁଥର ପରି ଏଥର ବି ନୂଆ ମୁହଁ ଦେବ ତାହାକୁ ନେଇ କର୍ମୀମାନେ ଦ୍ବନ୍ଦ୍ବରେ ଅଛନ୍ତି। ଦୀର୍ଘଦିନ ଧରି ଦଳର ସାଂଗଠନିକ କାର୍ଯ୍ୟକ୍ରମ ହେଉ ନଥିବାରୁ କେଉଁ ଗାଁରେ କିଏ କର୍ମୀ ଅଛନ୍ତି ତା ବି ଜାଣିବା ଦଳ ପାଇଁ କାଠିକର ପାଠ ବୋଲି କୁହାଯାଉଛି।
ବିଜେଡି କିନ୍ତୁ ହିନ୍ଦୋଳ ଆସନ ପୁଣି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ବିଜେଡି ସରକାରକୁ ଆସିବା ପରଠାରୁ ସମଗ୍ର ଜିଲ୍ଲାରେ ହିନ୍ଦୋଳ ଦଳର ଗଡ଼ ହୋଇ ଛିଡ଼ା ହୋଇଛି। ଦଳର ଗୋଟି ଚାଳନା ଆଗରେ ଏଠାରେ ବିରୋଧୀ ଫିକା ପଡ଼ି ଯାଉଛନ୍ତି। ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ବିଧାୟିକା ସୀମାରାଣୀ ନାୟକଙ୍କ ଉପରେ ଦଳ ପୁଣିଥରେ ଭରସା କରିପାରେ ବୋଲି ଚର୍ଚ୍ଚା ହେଉଛି। ଦଳର ଆଭ୍ୟନ୍ତରୀଣ ଗୁଇନ୍ଦା ରିପୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ଯୁବନେତା ଅଶୋକ ନାୟକ, କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନମିତା ନାଏକ ଓ ୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳି ବେହେରା ମଧ୍ୟ ଟିକେଟ୍ ଲବିରେ ରହିଥିବା ଜଣାପଡ଼ିଛି।