ହିନ୍ଦୋଳ/ଖଜୁରିଆକଟା/ଢେଙ୍କାନାଳ : ପଥର ଖଣି ମାଲିକଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍ଡିପିଓ ମଳୟ କିଶୋର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କଟକ ଏବଂ ଢେଙ୍କାନାଳ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରିଛନ୍ତି। ହିନ୍ଦୋଳ କ୍ବାର୍ଟର୍ସ ସମେତ ଅନୁଗୁଳ, ସମ୍ବଲପୁର, ଭୁବନେଶ୍ବର ଓ ପୁରୀ ଆଦି ମୋଟ୍ ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଏହି ଘଟଣା ପରେ ଏସ୍ଡିପିଓ ଶ୍ରୀ ନାୟକଙ୍କ ପତ୍ନୀ ଏବଂ ଝିଅ ଏକ ସୁଟ୍କେସ୍ ନେଇ କ୍ବାର୍ଟର୍ସରୁ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ତନାଘନା ଚାଲିଛି। ଅନ୍ୟପକ୍ଷରେ ଶ୍ରୀ ନାୟକଙ୍କ ବିପୁଳ ଆୟ ବହିର୍ଭୂତ ସଂପତ୍ତିର ଆକଳନ ଚାଲିଛି।
ବିଭାଗୀୟ ସୂଚନା ମୁତାବକ, ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କାରନ୍ଦା ଗାଁର ପଥର ଖଣି ମାଲିକ ଦୁଃଖବନ୍ଧୁ ସାହୁ ଏସ୍ଡିପିଓ ଶ୍ରୀ ନାୟକଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ହିନ୍ଦୋଳ ଉପଖଣ୍ଡର ପୁଲିସ ମୁଖିଆ ବିଭିନ୍ନ ସମୟରେ ଖଣି ମାଲିକଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି। ପଥର ଗାଡ଼ି ପରିବହନ ପାଇଁ ସେ ୩୦ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ଭିଜିଲାନ୍ସକୁ କହିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ, ଏସ୍ଡିପିଓ ଶ୍ରୀ ନାୟକଙ୍କୁ ଧରିବାପାଇଁ ଖଣି ମାଲିକ ଶ୍ରୀ ସାହୁଙ୍କୁ କେମିକାଲ୍ ବୋଳା ୩୦ହଜାର ଟଙ୍କାର କିଛି ନୋଟ୍ ଦିଆଯାଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏସ୍ଡିପିଓ ଶ୍ରୀ ନାୟକ ଚାରିଜଣ ଏପିଆର୍ ଫୋର୍ସଙ୍କ ସହ ଢେଙ୍କାନାଳରୁ ଫେରୁଥିବା ବେଳେ ଖଣି ମାଲିକ ଶ୍ରୀ ସାହୁ ତାଙ୍କୁ ଫୋନ୍ କରି କାରନ୍ଦା ନିକଟସ୍ଥ ଏକ ପେଟ୍ରୋଲ୍ ପମ୍ପ୍ରୁ ଟଙ୍କା ନେବାକୁ ଡକାଇଥିଲେ। ଟଙ୍କା ନେବାପାଇଁ ଏସ୍ଡିପିଓ ପେଟ୍ରୋଲ୍ ପମ୍ପ୍ରେ ପହଞ୍ଚିଥିଲେ। ଟଙ୍କାନେବା ପୂର୍ବରୁ ଏପିଆର୍ ଫୋର୍ସଙ୍କୁ ପୁଲିସ ଗାଡ଼ି ସହିତ ସ୍ଥାନୀୟ ଥାନାକୁ ପଠାଇ ଦେଇଥିଲେ। ଏକୁଟିଆ ଖଣି ମାଲିକଙ୍କଠାରୁ ହାତାହାତି ୩୦ହଜାର ଟଙ୍କା ନେଇଥିଲେ। ଠିକ୍ ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ହଠାତ୍ ତାଙ୍କୁ କାବୁ କରିନେଇଥିଲେ। ତାଙ୍କଠାରୁ ୩୦ହଜାର ଟଙ୍କା ଜବତ ହୋଇଛି।
ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଏସ୍ଡିପିଓଙ୍କ ବିଭିନ୍ନ ସ୍ଥାନେର ରହିଥିବା ଘର ଉପରେ ଚଢ଼ାଉ ଆରମ୍ଭ ହୋଇଛି। ହିନ୍ଦୋଳ ସ୍ଥିତ ସରକାରୀ କ୍ବାର୍ଟର୍ସ, ଢେଙ୍କାନାଳ ଟାଉନ୍ସ୍ଥିତ ବାସଭବନ, ଅନୁଗୁଳ ସହର ଅମଲାପଡ଼ାସ୍ଥିତ ଦ୍ବିତଳ ବିଶିଷ୍ଟ କୋଠା, ସମ୍ବଲପୁର ଧନୁପାଲ୍ଲୀ ସ୍ଥିତ ଦ୍ବିତଳ କୋଠା, ସମ୍ବଲପୁର ଶାରଳାକଣ ସ୍ଥିତ ୦.୩୦ ଡେମିମିଲ୍ ଜମି, ଭୁବନେଶ୍ବର ଶଙ୍କରପୁର ସ୍ଥିତ ଟାଟା ଆରିୟାନରେ ଥିବା ୩୦୩ ନମ୍ବରର ଫ୍ଲାଟ୍, ପୁରୀର କାଶୀ ଜଗନ୍ନାଥପୁର ସ୍ଥିତ ଏକ ଫ୍ଲାଟ୍କୁ ମିଶାଇ ମୋଟ୍ ୬ଟି ଘର ଉପରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଛି। ଏସ୍ଡିପିଓ ଶ୍ରୀ ନାୟକଙ୍କ ପତ୍ନୀ ରୀତା ମହାପାତ୍ର ହିନ୍ଦୋଳସ୍ଥିତ ସରକାରୀ ବାସଭବନରୁ ଏକ ବ୍ରିଫ୍ କେସ୍ ଏବଂ ଏକ ବ୍ୟାଗ୍ରେ କିଛି ସାମଗ୍ରୀ ନେଇ ଜଣେ ଲୋକ ସହିତ ଏକ ବାଇକ୍ରେ ଖସି ପଳାଇଛନ୍ତି। କ୍ବାର୍ଟର୍ସଟି ତାଲା ପଡ଼ିଥିବାରୁ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ କଟକ ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୩୪/୩୧ ଦଫା ୭ ଆକ୍ଟ, ୧୯୮୮ରେ ଏକ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତ ଏସ୍ଡିପଓ ଶ୍ରୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hindolo-sdpo.jpg)