ହଜି ଯାଉଛି ହିନ୍ଦୁ ବିଶ୍ବାସର ଘୁଁ, ଘୁଁ ନନ୍ଦୀ  

ସୁନ୍ଦରଗଡ଼: ଦେହରେ କଉଡ଼ି ଲଗା ଛିଟକନା, ମୁଣ୍ଡରେ ତମ୍ବା ଧାତୁ ନିର୍ମିତ ଫଣା ଟେକା ନାଗ, ଶିଂଘରେ ଗୋଛାଏ ମୟୂର ପୁଚ୍ଛ। ବେକରେ ଘଣ୍ଟିମାଳ। ସୁସଜ୍ଜିତ ବିଶାଳକାୟ ଷଣ୍ଢ। ତାକୁ କଡ଼େଇ ନେଉଥାନ୍ତି ଜଣେ ଚିତାଚୈତନ୍ୟ ପରିହିତ ଗୈରିକ ବସ୍ତ୍ରଧାରୀ ବ୍ୟକ୍ତି। ବେକରେ ଓହଲିଥାଏ କ୍ଷୁଦ୍ରାକୃତି ଢୋଲକି। ସ୍ବତନ୍ତ୍ର ଘୁଁ ଘୁଁ ବାଦନ ମଧ୍ୟରେ ଶିବଙ୍କ ବନ୍ଦନା ଗାଇ ଗାଇ ଗାଁ ଭିତରକୁ ପ୍ରବେଶ କରୁଥାନ୍ତି। ଏମିତି ବେଶରେ ଗାଁ ପରେ ଗାଁ ପ୍ରତିଟି ଘର ମୁହଁକୁ ଯାଉଥିବା ଷଣ୍ଢଟିର ନାଁ ନନ୍ଦୀ, ହିନ୍ଦୁ ବିଶ୍ବାସରେ ଭୋଳାନାଥ ଶିବଙ୍କ ବାହାନ। ଗାଁ, ଗାଁରେ ଘୁଁ, ଘୁଁ ନନ୍ଦୀ ଭାବେ ପରିଚିତ। ଘୁଁ, ଘୁଁ ଶବ୍ଦ ଶୁଭିଲେ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ରୁଣ୍ଡ ହୋଇଯାଆନ୍ତି ଗାଁ ଦାଣ୍ଡରେ ଶିବଙ୍କ ବାହାନକୁ ଦର୍ଶନ କରିବା ପାଇଁ। ନନ୍ଦୀ ପ୍ରତିଟି ଦ୍ବାର ମୁହଁକୁ ଯାଏ।

ଗୃହିଣୀମାନେ କ୍ଷୀର, ଅରୁଆ ଚାଉଳ ଓ ଧୂପରେ ବନ୍ଦାପନା କରିବା ସହ ନନ୍ଦୀକୁ ଚାଉଳ, ଧାନ ଖାଇବାକୁ ଦେଇ ଆଶୀର୍ବାଦ ନେଇଥାନ୍ତି। ଏହା ମଧ୍ୟରେ ଷଣ୍ଢ ନନ୍ଦୀ ମଧ୍ୟ ଆଣ୍ଠୁ ମାଡ଼ି ଶିବଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ଦୃଶ୍ୟ ଲୋକଙ୍କ ମନରେ ଅଧିକ ବିଶ୍ବାସ ଜନ୍ମାଏ। ଲୋକେ କିଛି ଟଙ୍କା, ଚାଉଳ ନନ୍ଦୀ ଦେହରେ ଝୁଲୁଥିବା ଝୁଲାରେ ପକାନ୍ତି। ଛୋଟ ପିଲାମାନେ ତ କଅଁଳ ମନର ଖୁସିରେ ନନ୍ଦୀ ପଛେ ପଛେ ବୁଲୁଥିବା ଦେଖାଯାଏ। ଧିରେ ଧିରେ ଗାଁ ଦାଣ୍ଡରୁ ହିନ୍ଦୁ ବିଶ୍ବାସର ଏହି ଘୁଁ, ଘୁଁ ନନ୍ଦୀ ହଜି ଯିବାକୁ ବସିଛି। ଲୋକଙ୍କ ମନରୁ ଭକ୍ତି ଭାବନା ହଜି ଯାଉଥିବା ବେଳେ ପିଲାମାନଙ୍କ ମନୋରଞ୍ଜନର ମାଧ୍ୟମ ମଧ୍ୟ ମୋବାଇଲ ଭିତରକୁ ପଶିଗଲାଣି। ଏହା ସତ୍ତ୍ବେ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ୍ ଭୁର୍ସିମାଲର ରବୀନ୍ଦ୍ର ଦୋରାଙ୍କ ପରିବାର ଏହାକୁ କୌଣସି ପ୍ରକାରେ ବଞ୍ଚାଇ ରଖିଛନ୍ତି।

ରବୀନ୍ଦ୍ରଙ୍କ ସହ ଭେଟ ହୋଇଥିଲା ସଦର ବ୍ଲକ୍ ସାଲେପାଲି ନିକଟ ଏକ ପଡ଼ାରେ। ଘୁଁ, ଘୁଁ ବାଦନ ମଧ୍ୟରେ ଶିବଙ୍କ ବନ୍ଦନା ଗାଇ ସେ ନନ୍ଦୀ ସହ ପଡ଼ାରୁ ବାହାରୁଥିଲେ। ତାଙ୍କ କହିବା ଅନୁସାରେ, ଅଜା ପରେ ବାପା ଓ ବାପାଙ୍କ ପରେ ସେ ଏହି ନନ୍ଦୀ ବୁଲା ଯାତ୍ରାକୁ ଜରି ରଖିଛନ୍ତି। ଏଥିରେ ଶିବଙ୍କ ସେବା ସହ ପରିବାର ମୁହଁକୁ ଅନ୍ନ ମଧ୍ୟ ମିଳି ଯାଉଛି। ଗୋଟିଏ ଗାଁରେ ବୁଲିବାକୁ ଦିନଟେ ଲାଗିଯାଏ, କାରଣ ପ୍ରତିଟି ଘରେ ମହିଳାମାନେ ନନ୍ଦୀକୁ ପୂଜାର୍ଚ୍ଚନା କରୁ କରୁ ସମୟ ବିତିଯାଏ। ଯେଉଁ ଗାଁରେ ରାତି ହେଲେ, ସେଇଠି ସେ ଶୋଇପଡ଼ନ୍ତି। ସକାଳୁ ଉଠି ପୁଣି ନନ୍ଦୀକୁ ଧରି ଯିବାକୁ ପଡ଼େ ଅନ୍ୟ ଗାଁ। ସପ୍ତାହକୁ ଥରେ ଘରକୁ ଲେଉଟନ୍ତି। ଧିରେ ଧିରେ ହଜିଯିବାକୁ ବସିଥିବା ଏହି ନନ୍ଦୀ ଯାତ୍ରା ସମ୍ପର୍କରେ ପଚାରିବାରୁ ‘ମୋ ଅନ୍ତେ ପାଠ ପଢ଼ୁଆ ପିଲାମାନେ ଶିବଙ୍କ ନନ୍ଦୀଙ୍କ ସହ ରହିବେ କି ନାହିଁ, କିଏ ଜାଣେ’ ବୋଲି ସେ କହିଥିଲେ। ଏହା କହିଲା ବେଳେ ତାଙ୍କ ଆଖିକୁ ଲୁହ ଜକେଇ ଆସିଥିଲା। ସେ ନନ୍ଦୀ ପିଠିକୁ ଆଉଁସି ମୁହଁ ବୁଲାଇ ନେଇ ଆଗକୁ ପାଦ ବଢ଼ାଇଥିଲେ। ସତରେ ଆଧୁନିକତାର ଚାପରେ ଘୁଁ ଘୁଁ ନନ୍ଦୀ, ପର୍ଶୁରାମ ଜାନୁଘଣ୍ଟି, କେନ୍ଦରାବାଲା, କେଲାକେଲୁଣି, ବାଉଁଶରାଣୀ ପରି ଅନେକ ଚିତ୍ର ଚରିତ୍ର ଏବେ ଗାଁ ଦାଣ୍ଡରୁ ଉଭାନ ହୋଇଗଲାଣି। ଯାହା ଦିନେ ଗ୍ରାମ୍ୟ ଜୀବନକୁ ସରସ କରି ରଖିବା ସହ କିଛି ଅନ୍ନକ୍ଲିଷ୍ଟ ପରିବାର ପାଇଁ ଜୀବିକାର ମାଧ୍ୟମ ହୋଇଥିଲା।

ସମ୍ବନ୍ଧିତ ଖବର