ତାଳଚେର : ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଜମି ହରାଇଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଅର୍ଥପ୍ରଦାନ ପାଇଁ ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ଖଣି ପରିଚାଳକଙ୍କୁ ଆଜି ଏମ୍ସିଏଲ୍ ପକ୍ଷରୁ ବହିଷ୍କାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସହକାରୀ ରାଜସ୍ବ ନିରୀକ୍ଷକଙ୍କର ମାମଲା ସିବିଆଇ ଅଦାଲତରେ ବିଚରାଧୀନ ରହିଛି।
ସୂଚନାଯୋଗ୍ୟ ଯେ, ତାଳଚେର ବ୍ଲକ ଗୋପାଳପ୍ରସାଦର ମନ୍ଦରଧର ସେଠୀ ହିଙ୍ଗୁଳା କୋଇଲା ଖଣିରେ ସୁରକ୍ଷା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବାପାଙ୍କ ନାମରେ ଥିବା ଜମିକୁ ଦୀର୍ଘବର୍ଷ ପୂର୍ବେ ଏମ୍ସିଏଲ୍ ଅଧିଗ୍ରହଣ କରିଥିଲା। ଏଥିପାଇଁ ସେ କ୍ଷତିପୂରଣ ବାବଦକୁ ୫ଲକ୍ଷ ୭୮ହଜାର ଟଙ୍କା ପାଇବାକୁ ଥିବାବେଳେ କମ୍ପାନୀ ପକ୍ଷରୁ ଏହି ଟଙ୍କା ମଧ୍ୟ ମଞ୍ଜୁର କରାଯାଇଥିଲା। କିନ୍ତୁ, ଖଣି ପରିଚାଳକ ରବୀନ୍ଦ୍ର କୁମାର ପାଢ଼ୀ ଓ ସହକାରୀ ରାଜସ୍ବ ନିରୀକ୍ଷକ ଲୋକନାଥ ନାୟକ ଉକ୍ତ ଟଙ୍କାକୁ ନଦେଇ ବରଂ ଏଥିପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ମନ୍ଦରଧର ଏ ସମ୍ପର୍କରେ ସିବିଆଇକୁ ଜଣାଇଥିଲେ। ଯୋଜନା ମୁତାବକ ଗତ ୨୦୨୧ ଏପ୍ରିଲ ୨୮ ତାରିଖରେ ହିଙ୍ଗୁଳାକ୍ଷେତ୍ର କାର୍ଯ୍ୟାଳୟ ଭିତରେ ଉଭୟ ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଦୁହିଁଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଏମ୍ସିଏଲ୍ର ଭିଜିଲାନ୍ସ ସେଲ୍ ଏହାର ଖୋଳତାଡ଼ କରି ରବୀନ୍ଦ୍ରଙ୍କୁ ବହିଷ୍କୃତ କରିଛି। ଅନ୍ୟତମ ଗିରଫ ଅଧିକାରୀ ଶ୍ରୀ ନାୟକଙ୍କ ମାମଲା ସିବିଆଇ ଅଦାଲତରେ ବିଚରାଧୀନ ରହିଛି।
ଏ ସମ୍ପର୍କରେ ହିଙ୍ଗୁଳାକ୍ଷେତ୍ର ମହାପ୍ରବନ୍ଧକ ଅରୁଣ କୁମାର ସ୍ବର୍ଣ୍ଣକାର କହିଛନ୍ତି, ‘ ଖଣି ପରିଚାଳକ ରବୀନ୍ଦ୍ର କୁମାର ପାଢ଼ୀଙ୍କୁ ବହିଷ୍କାର କରାଯାଇଥିବା ନେଇ ଖବର ମିଳିଛି। କିନ୍ତୁ ମୋ ପାଖକୁ କୌଣସି ପତ୍ର ଆସିନାହିଁ।’