ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସପ୍ତାହକ ମଧ୍ୟରେ ଜାଗା ଚିହ୍ନଟ, ମାସକରେ ପାଚେରି

ଗୋଟିଏ ଦିନର ଦରମା ଦାନ କରିବାକୁ ଖଣି କର୍ମଚାରୀଙ୍କୁ ଅନୁରୋଧ
ରାଜାଙ୍କ ସହ ଆଲୋଚନା କରିବେ ବିଧାୟକ

ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ, ମନ୍ଦିର ସୌନ୍ଦର୍ଯ୍ୟକରଣ ସମ୍ପର୍କିତ ଏକ ତଦାରଖ ବୈଠକ ଶନିବାର ମା ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ନୂତନ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥ ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୂର୍ଣ ସହଯୋଗ କରିବା ପାଇଁ କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ଖଣି କର୍ମଚାରୀ, ଅଞ୍ଚଳବାସୀ ଏବଂ ଟ୍ରଷ୍ଟ ସଦସ୍ୟମାନେ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଆସିଛନ୍ତି। ସମସ୍ତେ ଏକ ମନ ଦେଇ କାମ କଲେ ଅଳ୍ପଦିନ ମଧ୍ୟରେ ମା’ଙ୍କର ଭବ୍ୟ ମନ୍ଦିର ପୂର୍ଣାଙ୍ଗ ରୂପ ପାଇ ପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ବିଶେଷ କରି ମାଷ୍ଟର ପ୍ଲାନ୍‌ ମୁତାବକ ମନ୍ଦିରର ଜାଗା ଚିହ୍ନଟ କରି କାମକୁ ତ୍ବରାନ୍ବିତ କରିବା, ଟ୍ରଷ୍ଟର ଅବଧି ସରି ଯାଇଥିବାରୁ ଏହାର ନବୀକରଣ ଉପରେ ବିଶଦ ଆଲୋଚନା ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ ପାଳ ପ୍ରମୁଖ ଯୋଗ ଦେଇ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଓ ତାଳଚେର ତହସିଲଦାର ପରସ୍ପର ମଧ୍ୟରେ ସମନ୍ନୟ ରକ୍ଷା କରି ସାତଦିନ ମଧ୍ୟରେ ମନ୍ଦିର ଜାଗାକୁ ଚିହ୍ନଟ କରିବାକୁ ବୈଠକରେ କହିଥିଲେ। ମନ୍ଦିର ଜାଗା ଚିହ୍ନଟ ହୋଇଗଲେ ଆସନ୍ତା ଏକ ମାସ ମଧ୍ୟରେ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଥିଲେ। ମା ହିଙ୍ଗୁଳାଙ୍କ ଦୁଇଟି ବ୍ୟାଙ୍କ ଖାତା ଗୋଟିଏ ଟ୍ରଷ୍ଟ ନାମରେ ଏବଂ ଅନ୍ୟଟି ଉନ୍ନୟନ କମିଟି ନାମରେ ରହିବ। ଉଭୟ ଖାତା ରାଷ୍ଟ୍ରାଦ୍ୟୋଗ ବ୍ୟାଙ୍କରେ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବ୍ଲକ, ପୌରପାଳିକା ଓ ପୂର୍ତ୍ତ ଯନ୍ତ୍ରୀ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ନିୟମିତ ତଦାରଖ କରିବା ପାଇଁ ନିଷ୍ପତ୍ତି ହୋଇଛି।

ପ୍ରତିମାସର ଶେଷ ଶନିବାର ହିଙ୍ଗୁଳା ପିଠଠାରେ ମନ୍ଦିର ନିର୍ମାଣ ବୈଠକ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୋଖରୀ ପାଖରେ ନିର୍ମାଣ ହେବାକୁ ଥିବା ରିଟେନିଂ ୱାଲ୍‌ର ବ୍ୟୟ ଅଟକଳ ୭ ଦିନ ମଧ୍ୟରେ ଟ୍ରଷ୍ଟକୁ ଜଣାଇବା ପାଇଁ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଶାଳବଣି ଛକଠାରୁ କୁମୁଣ୍ଡା ଛକ ଯାଏଁ ଯାଇଥିବା ରାସ୍ତାର ଡିଭାଇଡର ମଧ୍ୟରେ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବୃକ୍ଷରୋପଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ସେହିପରି ଗୋଚ୍ଛାୟତ ସାହି ପାଖରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଏକ କଲଭର୍ଟ ନିର୍ମାଣ କରିବାପାଇଁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ଗୋଟିଏ ଦିନର ଦରମା ପ୍ରଦାନ କରିବା ପାଇଁ ଖଣି କର୍ମଚାରୀମାନଙ୍କୁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି। ମନ୍ଦିର ଭିତରେ ଥିବା ମାଙ୍କ ପାଞ୍ଚଟି ଆସ୍ଥାନ ଯଥାସ୍ଥାନରେ ସୁରକ୍ଷିତ ଭାବରେ ରଖାଯାଇ ଅନ୍ୟାନ୍ୟ ଷ୍ଟ୍ରକଚରକୁ ରାଜାଙ୍କ ସହ ଆଲୋଚନା କରାଯାଇ ଭଙ୍ଗାଯିବା ଉଚିତ ବୋଲି ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ। ଏହାର ଦାୟିତ୍ବ ବିଧାୟକ ଶ୍ରୀ ପ୍ରଧାନ ନେଇଛନ୍ତି।

ସମ୍ବନ୍ଧିତ ଖବର