ଶେରଗଡ଼: ୨୦୦୦ ମସିହାରୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଥିଲେ। ତେବେ ୨୪ ବର୍ଷ ପରେ ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ବିଜେପି ଶାସନ ଆରମ୍ଭ ହୋଇଛି। ଆଉ ରାଜ୍ୟ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ବିଜେଡି ସଂଗଠନର ମଙ୍ଗ କିଏ ଧରିବ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Advertisment

ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳୁଥିବାରୁ ଏଠାରୁ ବିଭିନ୍ନ କାମ ପାଇଁ ନେତୃବୃନ୍ଦ ସିଧାସଳଖ ତୃତୀୟ ମହଲାର ଯୋଗାଯୋଗରେ ରହି ଆସୁଥିଲେ। କେତେବେଳେ ରାଜନେତା ତ ଆଉ କେତେବେଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ସରକାରୀ କାର୍ଯ୍ୟକ୍ରମଠୁ ଆରମ୍ଭ କରି ବିଜେଡିର ସାଂଗଠନିକ ଦାୟିତ୍ବ ସମ୍ଭାଳୁଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପ୍ରଶାସକ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ହିଁ ପ୍ରମୁଖ ଭୂମିକା ନେଉଥିଲେ। ଅବସରପ୍ରାପ୍ତ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ର ଗତ ୮ ବର୍ଷ ହେଲା ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତିନିଧି ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ। କିନ୍ତୁ ଚଳିତଥର ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ଆସନ ମଧ୍ୟରୁ ୧୧ଟି ଆସନରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କେବଳ ନବୀନ ହିଁ ନିଜ ଗଡ଼କୁ ରକ୍ଷା କରିବାରେ ସଫଳ ହୋଇଛନ୍ତି। ତେବେ ୨୦୧୯ ତୁଳନାରେ ଏଥର କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଫଳରେ ଆଗକୁ ଶ୍ରୀ ମହାପାତ୍ର ସାଂଗଠନିକ ଦାୟିତ୍ବରେ ରହିବେ, ନା ରାଜ୍ୟ ବିଜେଡି ସଭାପତି ନବୀନ ଆଉ କାହା ଉପରେ ଆସ୍ଥା ପ୍ରକଟ କରିବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳ କ୍ଷମତା ହରାଇଥିଲେ ବି ବିଧାୟକ ଭାବେ ନବୀନ ନିଜ ନିର୍ବାଚନମଣ୍ଡଳୀର ଦାୟିତ୍ବ ସମ୍ଭାଳିବେ। ବିଭିନ୍ନ ସରକାରୀ ସମୀକ୍ଷା ଓ କାର୍ଯ୍ୟକ୍ରମରେ ବିଧାୟକଙ୍କ ଉପସ୍ଥିତି ବି ନିତାନ୍ତ ଜରୁରି। ତେବେ ୨୪ବର୍ଷ ଧରି ପ୍ରତିନିଧିଙ୍କୁ ନିଯୁକ୍ତି ଦେଇ ଆସୁଥିବା ନବୀନ ଆଗକୁ କାହାକୁ ମଙ୍ଗୁଆଳ କରିବେ, ଦେଖିବାକୁ ବାକି ରହିଛି।