ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ। ଗଞ୍ଜାମ ଜିଲ୍ଲାର ଏହି ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଂଗ୍ରେସ ଗଡରେ ପଶି ୨୦୦୦ ମସିହାରୁ ଏକତରଫା ଜିତି ମୁଖ୍ୟମନ୍ତ୍ରୀ ହୋଇ ଚାଲିଛନ୍ତି।
ଚଳିତ ନିର୍ବାଚନ ପାଇଁ ବିଜେଡି କ୍ଷେତ୍ର ପ୍ରସ୍ତୁତି କରିସାରିଲାଣି। ସେପଟେ ବିଭିନ୍ନ ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଦଳ ନିଜର ଭୋଟବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ଲାଗିପଡିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼େଇ କରି ଆସୁଥିବା କାରଣରୁ ବିରୋଧୀ ଦଳମାନେ ଟକ୍କର ଦେବା ଭଳି ନିଜର ପାର୍ଥୀ ଖୋଜୁଛନ୍ତି। ବିରୋଧୀ ଦଳର ଟିକେଟ ବଣ୍ଟନ ଉପରେ ହିଞ୍ଜଳିକାଟୁ ବାସୀ ଅପେକ୍ଷା କରିଛନ୍ତି।
ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜନତା ଦଳ ପାର୍ଥୀ ହରିହର ସାହୁଙ୍କୁ ହରାଇ କଂଗ୍ରେସରୁ ବିଜୟୀ ହୋଇଥିଲେ ଉଦୟନାଥ ନାୟକ। ଏହାପରେ ୨୦୦୦ ମସିହାରୁ କଂଗ୍ରେସର ପାର୍ଥୀ ଉଦୟନାଥ ନାୟକଙ୍କୁ ହରାଇ ବିଜେଡିରୁ ନବୀନ ପଟ୍ଟନାୟକ ବିଜୟଲାଭ କରିଥିଲେ। ନିର୍ବାଚନରେ ପରାସ୍ତ ପରେ ମଧ୍ୟ କଂଗ୍ରେସ ହାର ନମାନି ନୂତନ ରଣନୀତି ନେଇ ୨୦୦୪ ମସହାରେ ନିର୍ବାଚନକୁ ଓହଲ୍ଲାଇଥିଲା ଓ କଂଗ୍ରେସରୁ ପାର୍ଥୀ ହୋଇଥିଲେ ଉଦୟନାଥ। ଏଥିରେ ପୁଣି ନବୀନ ପଟ୍ଟନାୟକ ବିଜୟଲାଭ କରି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଜେଡି କଂଗ୍ରେସ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବିରୋଧୀ ନେତା ଉଦୟନାଥ ନାୟକଙ୍କୁ ବିଜଡେି ଦଳରେ ସାମିଲ କରିଦେଇଥିଲା।
୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ହିଞ୍ଜଳିକାଟୁ ପୌରପାଳିକା, ବ୍ଲକ ଓ ଶେରଗଡ ବ୍ଲକକୁ ନେଇ ଗଠିତ ହେଲା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ। ୨୦୦୯ ମସିହା ନିର୍ବାଚନରେ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ପରିବର୍ତନ କରି ରାଘବ ପରିଡାକୁ ଟିକେଟ ଦେଇଥିଲା। କିନ୍ତୁ ପୁଣି ବିଜୟଲାଭ କରି ହ୍ୟାଟ୍ରିକ କରିଥିଲେ ନବୀନ ପଟ୍ଟନାୟକ। ସୀମା ପୁନଃନିର୍ଧାରଣ ପରେ ମଧ୍ୟ ବିରୋଧୀ ଦଳ ବିଜେଡିକୁ ଟକ୍କର ଦେବା ପାଇଁ ପାର୍ଥୀ ପରିବର୍ତ୍ତନ କରିଥିଲେ ବି କୌଣସି ସୁଫଳ ମିଳିପାରିନଥିଲା। ୨୦୧୪ ମସିହାରେ କଂଗ୍ରେସରୁ ଶିବରାମ ପାତ୍ର ଓ ବିଜେପିରୁ ଦେବାନନ୍ଦ ମହାପାତ୍ର ପାର୍ଥୀ ହୋଇଥିଲେ। ହେଲେ ନବୀନ ପଟ୍ଟନାୟକ ବିଜୟୀ େହାଇଥିଲେ।
ଏହି ନିର୍ବାଚନମଣ୍ଡଳୀରେ ପ୍ରତିଥର ନିର୍ବାଚନରେ ନିଜ ଭୋଟ ସହିତ ବିରୋଧୀ ଦଳର େଭାଟକୁ ହାତେଇବାକୁ ବିଜେଡି ଚେଷ୍ଟା କରୁଛି। କିନ୍ତୁ ଚଳିତ ଥର ନିର୍ବାଚନ ପୂର୍ବରୁ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ସାଂଗଠିନିକ ସ୍ଥିତି ସୃଦୁଢ଼ କରିବାରେ ଲାଗଛନ୍ତି। ଏଥର ଦାଦନ ଓ ଚାଷୀକୁ ନେଇ ଉଭୟ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଗତ ଥର କଂଗ୍ରେସ ଓ ବିଜେପି ଉଭୟ ପାର୍ଥୀ ପାଖାପାଖି ୧୨ ହଜାର ଭୋଟ ପାଇଥିବା ବେଳ ଚଳିତ ଥର କାହାର ଭୋଟ ବଢ଼ୁଛି ତାହା ଦେଖିବା ବାକି ରହିଛି।
ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ େହବା ନିଶ୍ଚିତ। ସେହିପରି କଂଗ୍ରେସ ଦଳରୁ ନିରଞ୍ଜନ ପାଣିଗ୍ରାହୀ, ପଦ୍ମ ଚରଣ ସାହୁ, ଶମ୍ଭୁ ପାଣିଗ୍ରାହୀ ଓ ରାମକୃଷ୍ଣ ପଣ୍ଡା ପ୍ରମୁଖ ଆଶାୟୀ ରହିଛନ୍ତି। ବିଜେପି ଗତଥର ପାର୍ଥୀ ଦେବାନନ୍ଦ ମହାପାତ୍ର ରହିଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପିଙ୍କି ପ୍ରଧାନ ପାର୍ଥୀ ହେବା ନେଇ ଚର୍ଚ୍ଚା ଧରିଛି। ସେହିପରି ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ଅନୀଲ କୁମାର ମହାପାତ୍ର ଆଶାୟୀ ରହିଛନ୍ତି। ନବୀନ ପଟ୍ଟନାୟକଙ୍କ ବିେରାଧରେ ଲଢ଼େଇ ପାଇଁ କିଛି ସ୍ବାଧୀନ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳ ଟିକେଟ ଦେବା ପାଇଁ ଯୋଜନା ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳୁଛି।
୨୦୧୪ ନିର୍ବାଚନ ଫଳାଫଳ
ବିଜେଡି ନବୀନ ପଟ୍ଟନାୟକ ୮୯,୨୬୭
କଂଗ୍ରେସ ଶିବରାମ ପାତ୍ର ୧୨,୬୮୧
ବିଜେପି ଦେବାନନ୍ଦ ମହାପାତ୍ର ୧୨, ୨୮୩