ଭୁବନେଶ୍ବର : ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଲଗାତାର କରୋନା ସଂକ୍ରମଣରେ ବୃଦ୍ଧି ଘଟିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ହସ୍ପିଟାଲର କର୍ମଚାରୀଙ୍କ ସମେତ କରୋନା ଲଢ଼େଇରେ ଆଗରେ ରହିଥିବା କୋଭିଡ୍ ଯୋଦ୍ଧାମାନେ ସଂକ୍ରମିତ ହେଉଛନ୍ତି। ଫଳରେ ଚିକିତ୍ସା ନେଇ ସ୍ବାସ୍ଥ୍ୟାନୁଷ୍ଠାନରେ ସମସ୍ୟା ସୃଷ୍ଟି ହେଉଛି।
ତେବେ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ କିଭଳି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ସ୍ବାସ୍ଥ୍ୟାନୁଷ୍ଠାନ ନିଜ ନିଜର ହସ୍ପିଟାଲ ସଂକ୍ରମଣ ନିୟନ୍ତ୍ରଣ କମିଟି (ଏଚ୍ଆଇପିସି) ଗଠନ କରିବା ଲାଗି କୁହାଯାଇଛି। ଏଥିରେ ଜଣେ ନୋଡାଲ ଅଧିକାରୀ ରହିବେ। ଏହି କମିଟି ହସ୍ପିଟାଲରେ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ (ଆଇପିସି)କୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରିବ। ସଂକ୍ରମଣ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ତାଲିମ୍ ପ୍ରଦାନ କରାଯିବ। ଯାହାଫଳରେ ସେମାନେ କରୋନା ରୋଗର ସାଧାରଣ ଲକ୍ଷଣକୁ ତୁରନ୍ତ ଚିହ୍ନଟ କରିବା ସହିତ ନିଜେ ନିଜ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିପାରିବେ।
ସ୍ବାସ୍ଥ୍ୟାନୁଷ୍ଠାନରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ପିପିଇ ପିନ୍ଧିବା ଲାଗି କୁହାଯାଇଛି। ଏଚ୍ଆଇପିସି ଓ ନୋଡାଲ ଅଧିକାରୀ ଏଥିପାଇଁ ଏକ ଏସ୍ଓପି ଗଠନ କରିବା ସହିତ ସ୍ବାସ୍ଥ୍ୟାନୁଷ୍ଠାନରେ ସଂକ୍ରମଣ ରୋକିବା ଲାଗି ଦିନରେ ଦୁଇଥର ପଦକ୍ଷେପ ଗ୍ରହଣ କରିବେ। ସେହିପରି ଏଚ୍ଆଇସିସିର ସପ୍ତାହରେ ଥରେ ବୈଠକ ବସିବା ସହିତ ସଂକ୍ରମଣ ରୋକିବା ଦିଗରେ ସ୍ବାସ୍ଥ୍ୟାନୁଷ୍ଠାନରେ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବେ। ଜିଲ୍ଲାସ୍ତରୀୟ ତଦାରଖ କମିଟି ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନକୁ ଅତିକମ୍ରେ ୧୫ଦିନରେ ଥରେ ଗସ୍ତ କରିବା ସହିତ ଏ ସଂପର୍କିତ ରିପୋର୍ଟ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/hotel-hospital.jpg)