ଯାଜପୁର : ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ ହୀରକ ତ୍ରିଭୁଜ ଜରାଜୀର୍ଣ୍ଣ ହେବାରେ ଲାଗିଛି। ଅଥଚ ସୌନ୍ଦର୍ଯ୍ୟୀକରଣ ଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନା ବାବଦରେ କୋଟି କୋଟି ଟଙ୍କା ଅଧିକାରୀ ଚଳୁ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଐତିହ୍ୟ ଓ ସଂସ୍କୃତିର ମୂକସାକ୍ଷୀ ବୌଦ୍ଧପୀଠ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ରତ୍ନଗିରି ଏବଂ ଲଳିତଗିରିରେ ବଗିଚା ବୋଲି ସାଇନ୍‌ବୋର୍ଡ ଲେଖାଯାଇ ଫୁଲ ‌ତୋଳିବାକୁ ବାରଣ କରାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ସେଠାରେ ଫୁଲ ଗଛଟିଏ ନାହିଁ। ଘାସ ଉଠିନଥିବା‌ରୁ ଟାଙ୍ଗରା ଭୂଇଁ ଦେଖିବାକୁ ମିଳୁଛି। ଯାହାକି ପ୍ରତ୍ନତତ୍ତ୍ବ ବିଭାଗର ପାରିବା ପଣିଆକୁ ପ୍ରମାଣିତ କରୁଛି।

publive-image

୨୦୦୮-୦୯ରୁ ୨୦୧୮-୧୯ ଅର୍ଥାତ୍‌ ୧୦ବର୍ଷରେ ସୌନ୍ଦର୍ଯ୍ୟୀକରଣ ବଗିଚା ବାବଦରେ ରତ୍ନଗିରିରେ ୧କୋଟି ୧୩ଲକ୍ଷ ୨୯ହଜାର ୪୯୨ଟଙ୍କା, ଉଦୟଗିରିରେ ୧ କୋଟି ୨୬ଲକ୍ଷ ୮ହଜାର ୯୪୬ ଟଙ୍କା ଓ ଲଳିତଗିରିରେ ୯୫ଲକ୍ଷ ୪୫ହଜାର ୧୬୦ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ସେହିପରି ବୌଦ୍ଧକୀର୍ତ୍ତିର ସୁରକ୍ଷା ଓ ପରିଚାଳନା ବାବଦରେ ୨୦୦୮-୦୯ ରୁ ୨୦୨୦-୨୧ ମଧ୍ୟରେ ରତ୍ନଗିରି ପାଇଁ ୮୮ଲକ୍ଷ ୯୨ହଜାର ୪୩ଟଙ୍କା ଓ ଉଦୟଗିରି ପାଇଁ ୩କୋଟି ୧ହଜାର୬୩୩ଟଙ୍କା ବ୍ୟୟ କରାଯାଇଛି। ଲଳିତଗିରିରେ ଗତ ୧୦ ବର୍ଷ( ୨୦୦୮-୨୦୧୯) ମଧ୍ୟରେ ୧କୋଟି ୨୭ଲକ୍ଷ ୧୬ହଜାର ୭୪୫ଟଙ୍କା ବ୍ୟୟ ହୋଇଥିବାର କାଗଜପତ୍ରରେ ଦର୍ଶାଯାଇଛି।

ତେବେ, ଜଣାପଡ଼ିଛି ଯେ ୨୦୦୨ ପର ଠାରୁ କୌଣସି ବୌଦ୍ଧପୀଠରେ ଖନନ କରାଯାଇନାହିଁ। କିମ୍ବା ବୌଦ୍ଧ ମୂର୍ତ୍ତି ସଂରକ୍ଷିତ କରାନଯାଇ ଖରାବର୍ଷାରେ ପକାଇ ରଖାଯାଇଛି। ହୀରକ ତ୍ରିଭୁଜର କୌଣସି ଠାରେ ଉଦ୍ୟାନ ନାହିଁ। ଏପରିକି ଉଦୟଗିରି ପୀଠରେ ଭଲ ପାଦଚଲା ରାସ୍ତା ନାହିଁ। ତେବେ, ରକ୍ଷଣାବେକ୍ଷଣ ବାବଦରେ ଆସିଥିବା ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ, ଏହାର ତଦନ୍ତ ଦାବି କରାଯାଇଛି।