ଜୁନ୍ ୧ରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍: ଗଡ଼ିବନି ହୀରାଖଣ୍ଡ, ଜୁନାଗଡ଼ ଏକ୍ସପ୍ରେସ୍!

ସମତା, ସମଲେଶ୍ବରୀ ଏକ୍ସପ୍ରେସକୁ ମିଳିପାରେ ସବୁଜ ସଙ୍କେତ

ରାୟଗଡ଼ା:: ଜୁନ୍ ୧ରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍। ପ୍ରଥମ ପର୍ଯ୍ୟାୟରେ ଚାଲିବ ୧୦୦ ଯୋଡ଼ା ଟ୍ରେନ୍। ରେଳ ମନ୍ତ୍ରଣାଳୟର ଘୋଷଣା ପରେ ଆଜିଠୁ ଆରମ୍ଭ ହୋଇଛି ଟିକେଟ୍ ବୁକିଂ। ୱାଲିଟୟର୍ ଡିଭିଜନ୍ (ବିଶାଖାପାଟଣା) ଦେଇ ମାତ୍ର ୪ଟି ଏକ୍ସପ୍ରେସ୍ ଟ୍ରେନ୍ ଚଲାଇବାକୁ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ରାୟଗଡ଼ା ଡିଭିଜନ୍ ଦେଇ ଯାଉଥିବା ହୀରାଖଣ୍ଡ ଓ ଜୁନାଗଡ଼ ଏକ୍ସପ୍ରେସ ଗଡ଼ିବ ନାହିଁ! କେବଳ ବିଶାଖାପାଟଣା-ନ୍ୟୁ ଦିଲ୍ଲୀ ସମତା ଏକ୍ସପ୍ରେସ୍ ଏବଂ ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସକୁ ଚଳାଚଳ ପାଇଁ ସବୁଜ ସଙ୍କେତ ଦେବା ନେଇ ବିଭାଗ ବିଚାର କରୁଛି।

କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୨ରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ଥିଲା। ଫଳରେ ସାରା ଭାରତରେ ଯାତ୍ରୀ ସେବା ବନ୍ଦ ରହିଥିଲା। ୬୯ ଦିନର ଲକଡାଉନ୍ ପରେ ରେଳ ଚଳାଚଳ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଜୁନ୍ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୨୦୦ ଟ୍ରେନ୍ ଚଳାଚଳ କରିବାକୁ ତାଲିକା ଜାରି କରିଛି ରେଳ ବିଭାଗ। ତାଲିକାରେ ୱାଲଟିୟର୍ ଡିଭିଜନ ଦେଇ କେବଳ ୪ଟି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ବିଭାଗ ସବୁଜ ସଙ୍କେତ ଦେଇଛି। ୨ଟି ଟ୍ରେନ୍ ବିଶାଖାପାଟଣା-ସିକନ୍ଦରାବାଦ୍ ଗୋଦାବରୀ ଏକ୍ସପ୍ରେସ୍, ବିଶାଖାପାଟଣା-ନ୍ୟୁ ଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିବ।

ସେହିପରି ଅନ୍ୟ ୨ଟି ଟ୍ରେନ୍ ହାୱଡା-ସିକନ୍ଦରାବାଦ୍ ଫାଲକୁନାମା ସୁପର ଫାଷ୍ଟ୍ ଏକ୍ସପ୍ରେସ୍, ହାୱଡା-ୟଶୱନ୍ତପୁର ଏକ୍ସପ୍ରେସ୍ କୋଲକାତାରୁ ବାହାରି ବିଶାଖାପାଟଣା ଦେଇ ଯିବ। ଭୁବନେଶ୍ବରରୁ ବାହାରି ବିଶାଖାପାଟଣା ଦେଇ ମୁମ୍ବାଇ ଛତ୍ରପତି ଶିବାଜି ଟର୍ମିନାଲ୍ ପର୍ଯ୍ୟନ୍ତ ଯିବାକୁ ଥିବା କୋଣାର୍କ ଏକ୍ସପ୍ରେସ୍ ଚଳାଚଳକୁ ରେଳ ବିଭାଗ ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର କୌଣସି ଟ୍ରେନ୍ ନ ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କରିବା ପରେ ଏହି ଟ୍ରେନ୍ ବାତିଲ୍ ହୋଇଛି।

ବିଶାଖାପାଟଣାରୁ ବାହାରି ରାୟଗଡ଼ା ଦେଇ ନିଜାମୁଦ୍ଦିନ୍ (ନ୍ୟୁ ଦିଲ୍ଲୀ) ଯାଉଥିବା ସମତା ଏକ୍ସପ୍ରେସ୍ ଏବଂ ରାୟଗଡ଼ା ନ୍ୟୁ ଡିଭିଜନ୍ ଦେଇ ଚଳାଚଳ କରୁଥିବା ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍ ଚଳାଚଳ ନେଇ ବିଭାଗ ଏ ପର୍ଯ୍ୟନ୍ତ ଘୋଷଣା କରିନି। ଜୁନ୍ ୧ ପୂର୍ବରୁ ଏହି ୨ ଟ୍ରେନର ଚଳାଚଳ ନେଇ ଘୋଷଣା ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଅବିଭକ୍ତ କୋରାପୁଟ ସମେତ ଛତିଶଗଡ଼ବାସୀଙ୍କ ଲାଇଫ୍ ଲାଇନ୍ କୁହାଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଓ ଜୁନାଗଡ଼-ଭୁବନେଶ୍ବର ଏକ୍ସପ୍ରେସକୁ ଚଳାଚଳ ପାଇଁ ଅନୁମତି ମିଳିନି। ପ୍ରତିଦିନ ଏହି ୨ ଟ୍ରେନ୍ ଉପରେ ୨୦ ହଜାରରୁ ଉର୍ଧ୍ବ ଲୋକ ନିର୍ଭର କରୁଥିବା ବେଳେ ରେଳ ବିଭାଗ ଏହି ୨ ଟ୍ରେନର ଜରୁରି ନଥିବା ଦର୍ଶାଇ ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଦ୍ ଦେଇଛି। ମେ’ ୨୫ରୁ ବିମାନ ସେବା ସହିତ ଜୁନ୍ ୧ରୁ ରେଳ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ବସ୍ ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

କଟକଣା ଯୋଗୁ ମାର୍ଚ୍ଚ ୨୨ ପରଠାରୁ ସମସ୍ତ ପ୍ରକାର ଯାତ୍ରୀ ସେବା ବନ୍ଦ ଥିବାରୁ ରାୟଗଡ଼ା ଡିଭିଜନ୍ ଦେଇ ରେଳ ଚଳାଚଳ ଜରୁରି ହୋଇ ପଡ଼ିଛି। ବିଭାଗୀୟ ଜଣେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସୂଚନାନୁଯାୟୀ, ସମତା ଏବଂ ସମଲେଶ୍ବରୀ ଏକ୍ସପ୍ରେସ୍ ଚଳାଚଳକୁ ଅନୁମତି ମିଳିପାରେ। କିନ୍ତୁ ହୀରାଖଣ୍ଡ, ଜୁନାଗଡ଼ ଏକ୍ସପ୍ରେସ୍ ଚଳାଚଳ ଆଶା କ୍ଷୀଣ। ସେହିପରି ଏହି ଡିଭିଜନ୍ ଦେଇ ରାୟପୁର, ବିଶାଖାପାଟଣା, ଦୁର୍ଗ, କୋରାପୁଟକୁ ଗଡ଼ୁଥିବା ପାସେଞ୍ଜର ଟ୍ରେନ୍ ମଧ୍ୟ ଚାଲିବ ନାହିଁ। ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧ରୁ ଏହି ସବୁ ଟ୍ରେନ୍ ଚଳାଚଳକୁ ଅନୁମତି ମିଳିପାରେ।

ୱାଲଟିୟର୍ ଡିଭିଜନ୍ ସୂଚନାନୁଯାୟୀ, ଯାତ୍ରୀବାହୀ ଟିକେଟ୍ ବୁକିଂ ଆରମ୍ଭ ହେବା ପରେ ଆଜି ଅପରାହଣ୍ ୪ଟା ସୁଦ୍ଧା ୯୦ ପ୍ରତିଶତ ଟିକେଟ୍ ବୁକିଂ ହୋଇ ସାରିଛି। ଅନଲାଇନ୍ ସମେତ ବହୁ ଲୋକ ଷ୍ଟେସନକୁ ଆସି ଟିକେଟ୍ ବୁକିଂ କରିଛନ୍ତି। ବିଶାଖାପାଟଣା, ରାୟଗଡ଼ା, କୋରାପୁଟ, ଜଗଦଲପୁର ଭଳି ପ୍ରମୁଖ ଷ୍ଟେସନରେ ଟିକେଟ୍ ବିକ୍ରି ହୋଇଛି। ବାତିଲ୍ ଟିକେଟ୍ ଟଙ୍କା ଫେରାଇବାକୁ ଆସନ୍ତା ସୋମବାରରୁ ପର୍ଯ୍ୟାୟକ୍ରମେ କାଉଣ୍ଟର୍ ଖୋଲିବ ବୋଲି ପ୍ରେସ୍ ବିବୃତ ମାଧ୍ୟମରେ ସୂଚନା ଦେଇଛନ୍ତି ୱାଲଟିୟର୍ ଡିଭିଜନ୍ ଡିଆରଏମ୍ ଚେତନ କୁମାର ଶ୍ରୀବାତ୍ସବ।

ସମ୍ବନ୍ଧିତ ଖବର