ରାୟଗଡ଼ା : କୋରାପୁଟ-ରାୟଗଡ଼ା (କେଆର୍) ରେଳ ଲାଇନରେ ଆଜି ପୁଣି ଅଘଟଣ ଘଟିଛି। ଭୁବନେଶ୍ବର-ଜଗଦଲପୁର ହୀରଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନଟି ପ୍ରାୟ ୩ ଘଣ୍ଟା କାଳ ଜଙ୍ଗଲ ଭିତରେ ଅଟକି ରହିଥିଲ। ରେଳ କର୍ତୃପକ୍ଷ ସୂଚନା ପାଇ ଆଉ ଏକ ଇଞ୍ଜିନ୍ ସାହାଯ୍ୟରେ ଟ୍ରେନକୁ ଭାଲୁମାସ୍କା ଷ୍ଟେସନକୁ ଆଣିଥିଲେ। ଟ୍ରେନରେ ଡିଜେଲ୍ ଇଞ୍ଜିନ୍ ସଂଯୋଗ ହେବା ପରେ ନିର୍ଧାରିତ ସମୟଠାରୁ ୪ଘଣ୍ଟା ୧୫ମିନିଟ ବିଳମ୍ବରେ ହୀରାଖଣ୍ଡ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳ ୫ଟା ୧୫ରେ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡ଼ା ଷ୍ଟେସନ ଛାଡ଼ିଥିଲା। ୬ଟା ୧୫ରେ ଭାଲୁମାସ୍କା ଷ୍ଟେସନରେ ପହଞ୍ଚି ୨ ମିନିଟ୍ ବ୍ୟବଧାନରେ ପୁଣି ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଭାଲୁମାସ୍କା ଷ୍ଟେସନରୁ ଶହେ ମିଟର ଯିବା ପରେ ୬ଟା ୩୨ ମିନିଟରେ ଟ୍ରେନ୍ ଗତିଶୀଳ ଥିବା ସମୟରେ ହିଁ ଇଞ୍ଜିନ୍ ଫେଲ୍ ହୋଇ ଯାଇଥିଲା। ଫଳରେ ଘଞ୍ଚ ଜଙ୍ଗଲରେ ଟ୍ରେନ୍ ଅଟକି ଯାଇଥିଲା। ଟ୍ରେନ୍ ଡ୍ରାଇଭରଙ୍କ ବହୁ ଚେଷ୍ଟା ସତ୍ତ୍ବେ ଇଞ୍ଜିନ୍ କାମ କରି ନ ଥିଲା। ଅନ୍ୟପକ୍ଷରେ ଟ୍ରେନ୍ ଅଟକି ଥିବା ସ୍ଥାନରେ ମୋବାଇଲ୍ ନେଟୱର୍କ କିମ୍ବା ଟ୍ରେନ୍ ଡ୍ରାଇଭର ଧରିଥିବା ୱାକିଟକି କାମ ନ କରିବା ଯୋଗୁଁ ଘଟଣା ସଂପର୍କରେ ରାୟଗଡ଼ା ରେଳ ଷ୍ଟେସନକୁ ଡ୍ରାଇଭର ଖବର ଦେଇପାରି ନ ଥିଲେ। ୩ ଘଣ୍ଟା ଧରି ଟ୍ରେନ୍ ଜଙ୍ଗଲ ଭିତରେ ଫସି ରହିବା ଯୋଗୁଁ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।
ଶେଷରେ ନିରୁପାୟ ହୋଇ ଟ୍ରେନ୍ ଡ୍ରାଇଭର ରେଳ ଧାରଣାରେ କିଛି ରାସ୍ତା ଚାଲି ଚାଲି ଆସି ଭାଲୁମାସ୍କା ଷ୍ଟେସନରେ ପହଞ୍ଚି ରାୟଗଡ଼ା ଷ୍ଟେସନକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ରେଳ କର୍ତୃପକ୍ଷ ସଂଗେ ସଂଗେ ଅନ୍ୟ ଏକ ଇଞ୍ଜିନ ଘଟଣାସ୍ଥଳକୁ ପଠାଇ ହୀରାଖଣ୍ଡ ପଛ ବଗିରେ ସଂଯୋଗ କରି ଟ୍ରେନକୁ ଭାଲୁମାସ୍କା ଷ୍ଟେସନକୁ ଫେରାଇ ଆଣିଥିଲେ। ରାୟଗଡ଼ାରୁ ଡିଜେଲ୍ ଇଞ୍ଜିନ୍ ଯାଇ ସକାଳ ୧୦ଟାରେ ଭାଲୁମାସ୍କାରେ ପହଞ୍ଚିବା ପରେ ହୀରାଖଣ୍ଡରେ ସଂଯୋଗ ହୋଇଥିଲା। ତେବେ ଉକ୍ତ ସମୟରେ ଭାଲୁମାସ୍କା-ଲେଲିଗୁମ୍ମା ରେଳ ଲାଇନରେ ଜଗଦଲପୁର-ହାୱାଡା ସମଲେଶ୍ବରୀ ଏକ୍ସପ୍ରେସ୍ ଓ ବିଶାଖାପାଟଣା ଡିଏମୟୁ ଯାତାୟାତ କରୁଥିବାରୁ ପୁଣି ଟ୍ରେନକୁ ଅଧା ଘଣ୍ଟା ଅଟକାଇ ରଖା ଯାଇଥିଲା। ସମଲେଶ୍ବରୀ ଓ ଡିଏମୟୁ ଭାଲୁମାସ୍କା ଷ୍ଟେସନ ଅତିକ୍ରମ କରିବା ପରେ ୧୦ଟା ୨୦ ମିନିଟରେ ହୀରାଖଣ୍ଡ ଜଗଦଲପୁର ଅଭିମୁଖେ ଯାଇଥିଲା। ସେହିପରି ଜଗଦଲପୁରରୁ ହୀରାଖଣ୍ଡ ଏକ୍ସପ୍ରେସ୍ ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା।