ରାୟଗଡ଼ା/ଲକ୍ଷ୍ମୀପୁର: ରାୟଗଡା-କୋରାପୁଟ କେଆର ଲାଇନରେ ପୁଣି ଅଘଟଣ! ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଗତକାଲି ରାତିରେ ରାଉଲି ନିକଟସ୍ଥ ଗୋଟିଏ ଟେନଲରେ ଦୀର୍ଘ ସମୟ ଧରି ଫସି ରହିଥିଲା। ଅନ୍ଧାର ରାତିରେ ଜଙ୍ଗଲିଆ ଅଞ୍ଚଳରେ ଟ୍ରେନ୍ ଅଟକିବା ଘଟଣା ଯାତ୍ରୀଙ୍କୁ ଆତଙ୍କିତ କରିଥିଲା। ଆଜି ସକାଳେ ଗୋଟିଏ ଟିମ୍ ପହଞ୍ଚି ରେଳଲାଇନକୁ ସଫା କରିବା ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଛନ୍ତି। କିନ୍ତୁ ଏହି ଅଘଟଣ ଯୋଗୁଁ ୭ଘଣ୍ଟା ବିଳମ୍ବରେ େଟ୍ରନ୍ ରାୟଗଡ଼ା ଷ୍ଟେସନ ଛାଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ନିର୍ଧାରିତ ସମୟରେ ଟିକିରି ଷ୍ଟେସନ ଛାଡ଼ିଥିଲା ହୀରାଖଣ୍ଡ ଏକ୍ସପ୍ରେସ। ତେବେ ନିର୍ଧାରିତ ସମୟରେ ରାୟଗଡା ଷ୍ଟେସନରେ ପହଞ୍ଚି ନଥିଲା। ସେତେବେଳେ, ରାୟଗଡ଼ା ଷ୍ଟେସନରେ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନକୁ ଅପେକ୍ଷା କରି ରହିଥିଲେ। ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ରେଳ ବିଭାଗ ଟ୍ରେନ ଡ୍ରାଇଭର ଏବଂ ଗାର୍ଡଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ମୋବାଇଲ ନେଟୱର୍କ ଏବଂ ୱାକିଟକିରେ ଯୋଗଯୋଗ ହୋଇ ପାରି ନଥିଲା। ଯାହାକି ସମସ୍ତଙ୍କୁ ବିବ୍ରତ କରିଥିଲା। ଅଘଟଣ ହୋଇଥିବା ଅନୁମାନ କରି ରାୟଗଡାରୁ ଗୋଟିଏ ଟିମ୍ ସନ୍ଧାନରେ ବାହାରିଥିଲା।
ଟିକିରି-ରାଉଳି ଷ୍ଟେସନ ମଝିରେ ଗୋଟିଏ ଟନେଲରେ ଟ୍ରେନ ଫସି ରହିଥିବା ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଥିଲେ। ତେବେ ଧାରଣା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ବେଳେ ଗୋଟିଏ ଖୁଣ୍ଟ ଉପୁଡ଼ି ଯାଇଥିବାରୁ ଟ୍ରେନ ଆଗକୁ ବଢ଼ି ନଥିବା ଚାଳକ କହିଥିଲେ। ସେହିପରି ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ତଥା ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ମୋବାଇଲ କିମ୍ବା ୱାକିଟକି ଯୋଗେ ଯୋଗାଯୋଗ କରିପାରି ନଥିବା ବି ପ୍ରକାଶ କରିଥିଲେ। ରାତି ୮ଟାରୁ ୯ଟା ମଧ୍ୟରେ ଟ୍ରେନ ଟନେଲରେ ଫସି ଯାଇଥିବା ବେଳେ ରାତି ପ୍ରାୟ ୨ଟାରୁ ସେଠାରୁ ବାହାରିଥିଲା। ବର୍ତମାନ ଉକ୍ତ ଲାଇନରେ ବିଦ୍ୟୁତକରଣ କାମ ଜାରି ରହିଛି। ହୀରାଖଣ୍ଡ ଟ୍ରେନ୍ ପୂର୍ବରୁ କୌଣସି ମାଲବାହୀ ଟ୍ରେନ ଧକ୍କାରେ ଖୁଣ୍ଟ ଉପୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାରକାରୀ ଦଳ ଓ ବୈଷୟିକ କର୍ମଚାରୀ ବିଦ୍ୟୁତ ଖୁଣ୍ଟ ଓ ତାର ବାହାର କରିବା ପରେ ହୀରାଖଣ୍ଡ ଏକ୍ସପ୍ରେସ ଭୋଟ ସାଢ଼େ ୪ଟାରେ ରାୟଗଡା ଷ୍ଟେସନରେ ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟା ଏଠାରେ ରହିବା ପରେ ପୁଣି ଭୁବନେଶ୍ବର ଅଭିମୁଖେ ସକାଳ ୫ଟାରେ ବାହାରିଥିଲା। ଆଜି ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/1844718448bbsjdbbbshirakhandexp2vzm0n0707152937282.jpg)