ଏଲ୍‌ଏଚ୍‌ବି ରେକ୍‌ରେ ଗଡ଼ିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ସଂକଳ୍ପ ନେଇଥିଲି, ପୂରଣ କଲି: ରେଳ ମନ୍ତ୍ରୀ

୫୦ ହଜାର ସ୍କୁଲକୁ ଇଣ୍ଟରନେଟ୍‌ ସେବା: ଶିକ୍ଷା ମନ୍ତ୍ରୀ
୩୦୦ ଷ୍ଟେସନର ନବୀକରଣ ହେବ

ଭୁବନେଶ୍ୱର : ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌(୦୮୪୪୫/୦୮୪୪୬) ନୂତନ ଏଲଏଚ୍‌ବି(ଲିଙ୍କେ-ହୋଫମାନ-ବୁଶ) କୋଚ୍‌ ସହ ଶୁକ୍ରବାର ଠାରୁ ଗଡ଼ିଛି। ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ୍‌ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ରେଳବାଇରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି। ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରାଯାଉଛି। ଯାତ୍ରୀମାନଙ୍କୁ ଉନ୍ନତ ସଂଯୋଗ ଏବଂ ସୁବିଧା ଯୋଗାଇବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ରହିଛନ୍ତି।

ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଯାତ୍ରା ସମୟର ଅନୁଭୂତି ସମ୍ପର୍କରେ ରେଳମନ୍ତ୍ରୀ କହିଥିଲେ ଯେ ସହଯାତ୍ରୀଙ୍କ ସହ ଯିବା ବେଳେ ରେଳ ସେବା ବିଷୟରେ ପଚାରିଥିଲି। ଟ୍ରେନ୍‌ ଭିତର ସ୍ବଚ୍ଛତା ନେଇ ସେମାନେ ମତ ଦେଇଥିବା ବେ‌ଳେ କୋଚ୍‌ ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ଦିନରୁ ଏହି ଟ୍ରେନ୍‌କୁ ଅତ୍ୟାଧୁନିକ ଟ୍ରେନ୍‌ରେ ପରିବର୍ତ୍ତନ କରିବାକୁ ସଂକଳ୍ପ ନେଇଥିଲି, ଯାହା ଆଜି ପୂରଣ ହୋଇଛି। ଅତ୍ୟାଧୁନିକ ଏଲଏଚ୍‌ବି ରେକ୍ ସଂଯୋଗ ଦ୍ୱାରା ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରାର ଅନୁଭୂତି ମିଳିବ। ଏହି ଟ୍ରେନ୍‌ର ଯାତ୍ରୀମାନେ ଏଲଏଚ୍‌ବି କୋଚ୍‌ରେ ଯାତ୍ରା ସମୟରେ ଟ୍ରେନ୍‌ ଭିତରୁ ମାର୍ଗରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଓ ଉଦ୍ଭିଦର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଲଏଚ୍‌ବି କୋଚ‌୍‌ରେ ଆଣ୍ଟି ଟେଲିସ୍କୋପିକ, କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ, ଅଧିକ ବର୍ଥ ରହିଥିବା ନେଇ ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ରେଳ ଭିତ୍ତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ହୀରାଖଣ୍ଡ ଏକ୍ସପ୍ରେସ୍‌ର ଏହି ଅତ୍ୟାଧୁନିକ ଏଲଏଚ୍‌ବି ଦ୍ବାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏହି ଅତ୍ୟାଧୁନିକ କୋଚ୍ ଦ୍ୱାରା ତିନୋଟି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ମୋଦି ସରକାରରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ବିପୁଳ ଅର୍ଥ ମିଳୁଛି। ପୂର୍ବରୁ ବର୍ଷକୁ ହଜାରେ କୋଟି ଟଙ୍କା ମିଳିବା କଷ୍ଟକର ହୋଇପଡ଼ୁଥିଲା। କିନ୍ତୁ ଏବେ ପ୍ରତିବର୍ଷ ପ୍ରାୟ ୬ ହଜାର କୋଟି ଟଙ୍କା ଦିଆଯାଉଛି। ନୂଆ ରେଳ ଲାଇନ, ରେଳ ଲାଇନର ଦୋହରୀକରଣ, ବିଦ୍ୟୁତୀକରଣ, ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧାକୁ ପ୍ରାଧାନ୍ୟ ଦିଆଯାଉଛି। ୩୦୦ ଷ୍ଟେସନ୍‌ର ନବୀକରଣ ହେବ। ଓଡ଼ିଶାର ସାଧାରଣ ଲୋକେ ଉଡାନ୍ ଯୋଜନାରେ ବିମାନସେବାର ଲାଭ ପାଇପାରୁଛନ୍ତି। ରାୟଗଡ଼ା, କୋରାପୁଟ ଅଞ୍ଚଳର ଲୋକଙ୍କ ଟ୍ରେନରେ ଯାତ୍ରା କରିପାରିବାର ସ୍ୱପ୍ନ ମଧ୍ୟ ସାକାର ହୋଇଛି। ରାଜ୍ୟର ସବୁ ଗାଁ ସମେତ ୫୦ ହଜାର ସ୍କୁଲକୁ ଇଣ୍ଟରନେଟ୍‌ ସେବା ଯୋଗାଇଦେବା କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ଭୁବନେଶ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଯୋଗଦେଇ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଦିନରେ ଭୁବନେଶ୍ବର-ଜଗଦଲ୍‌ପୁର ଟ୍ରେନ୍‌ ଚଲାଇବା, କୋରାପୁଟରୁ ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁରୁକୁ ଟ୍ରେନ୍‌ ସଂଯୋଗ, ରାୟଗଡ଼ାରେ ରେଳ ଡିଭିଜନ୍‌ ପ୍ରତିଷ୍ଠା ଆଦି ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର