ସମ୍ବଲପୁର, ୨୮/୯ (ଇମିସ): ଚଳିତ ଋତୁରେ ପ୍ରଥମଥର ପାଇଁ ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ସ୍ପର୍ଶ କରିଛି। ଦିନ ୩ଟା ବେଳେ ହୀରାକୁଦ ପାଣି ୬୩୦ ଫୁଟ୍ ଛୁଇଁ ଥିଲା। ମଙ୍ଗଳବାରରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିବାରୁ ବୁଧବାର ଜଳଭଣ୍ଡାର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଅପରପକ୍ଷେ ଜଳପ୍ରବେଶ ବି ହ୍ରାସ ପାଇଛି। ମଙ୍ଗଳବାର ରାତିରୁ ଓପିଟିସିଏଲ୍ର କଣ୍ଟାପାଲି ଫିଡର୍-୨ରେ ସମସ୍ୟା କାରଣରୁ ବୁର୍ଲା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୨ଟି ୟୁନିଟ୍ରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରରୁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ପାୱାର୍ ଚାନେଲ୍ ଜରିଆରେ ଯେତିକି ପାଣି ନେବା କଥା, ସେତିକି ନେଇପାରୁ ନାହିଁ। ସେହି କାରଣରୁ ଜଳସ୍ତର ୬୩୦ ଫୁଟ୍ରେ ସ୍ଥିର ରଖିବା ପାଇଁ ବୁଧବାର ରାତି ୮ଟା ବେଳେ ହୀରାକୁଦର ପୁଣି ଗୋଟିଏ ଗେଟ୍ ଖୋଲାଯାଇଛି।
ଗେଟ୍ ଖୋଲିବା ପାଇଁ ସଂଧ୍ୟା ୬ଟାରୁ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା। ଏହାପରେ ଓପିଟିସିଏଲ୍ କର୍ତ୍ତୃପକ୍ଷ ଫିଡର୍ ସଜାଡ଼ିବାରେ ଲାଗିଛନ୍ତି। ଏହା ଠିକ୍ ହେବାପରେ ବୁର୍ଲା ପାୱାର୍ ହାଉସ୍ ପୁଣି ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବ ଓ ଜଳଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଏଚ୍ପିସିର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି, ଆମର ୭ଟି ଯାକ ୟୁନିଟ୍ ଠିକ୍ ଅଛି ଓ ୬ଟିରୁ ବିଦ୍ୟୁତ୍ ଉତ୍ପାଦନ ଜାରି ରହିଛି। ଓପିଟିସିଏଲ୍ ଫିଡର୍ରେ ସମସ୍ୟା କାରଣରୁ ଗୋଟିଏ ୟୁନିଟ୍ରୁ ସାମୟିକ ଭାବେ ଉତ୍ପାଦନ ବନ୍ଦ ରହିଛି। ହୀରାକୁଦ ଅପର୍ ବେସିନ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ ଯେହେତୁ ଜଳଭଣ୍ଡାରରେ ୬୩୦ ଫୁଟ୍ ପାଣି ଭରି ଯାଇଛି, ତେଣୁ ଆମେ ଏହା ଉପରକୁ ପାଣି ରଖିପାରିବୁ ନାହିଁ। ପାୱାର୍ ଚାନେଲ୍ରେ ଗତକାଲି ପର୍ଯ୍ୟନ୍ତ ଯେତିକି ପାଣି ଛଡ଼ା ଯାଉଥିଲା ସେତିକି ଜାରି ରହିଥିଲେ ଗେଟ୍ ଖୋଲିବାକୁ ପଡ଼ି ନଥାନ୍ତା। ଜଳ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗୋଟିଏ ଗେଟ୍ ଖୋଲା ଯାଇଛି। ଉକ୍ତ ସମସ୍ୟା ସୁଧୁରିଲେ ପୁଣି ଗେଟ୍ ବନ୍ଦ କରି ପାୱାର୍ ଚାନେଲ୍କୁ ପାଣି ଛଡ଼ାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Three_mor_Hirakud_gates_opened.jpg)