ବରଗଡ଼: ବରଗଡ଼ ଜିଲ୍ଲାରେ ରହିଛି ଅନେକ ଜଳସେଚନ ପ୍ରକଳ୍ପ। ସରକାରୀ ରିପୋର୍ଟରେ ଜିଲ୍ଲାରେ ଜଳସେଚିତ ଜମିର ପରିମାଣରେ ଯଥେଷ୍ଟ ଅଧିକ। ଲକ୍ଷ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିବା ତଥ୍ୟ କହୁଛି। ଏପରିକି ଏଥର ଖରିଫରେ ଧାନଚାଷ କରିବାକୁ ଯାହା ଲକ୍ଷ୍ୟ ରହିଛି, ତାହାଠୁ ଢେର ଅଧିକ ଜଳସେଚନ ସୁବିଧା ଥିବା ଦର୍ଶାଯାଇଛି। ତେବେ, ବାସ୍ତବ ସ୍ଥିତି ଓଲଟା ଥିବା ଅଭିଯୋଗ କରୁଛି ଚାଷୀ ସଂଗଠନ। ସରକାରୀ ତଥ୍ୟରେ ତାଳମେଳ ରହୁନି ଏବଂ ଅନେକ ପ୍ରକଳ୍ପରୁ ଚାଷୀ ପାଣି ପାଇବାରୁ ବର୍ଷ ବର୍ଷ ହେଲା ବଂଚିତ ଥିବା ଅଭିଯୋଗରେ ଦର୍ଶାଯାଉଛି। ଫଳରେ, ଚାଷୀମାନେ ହୀରାକୁଦ ଓ ବର୍ଷାକୁ ଭରସା କରି ରହୁଛନ୍ତି।
ଗତ ୨୦୨୩ ଖରିଫ ଚାଷ ସମୟର ତଥ୍ୟ ଅନୁସାରେ ବରଗଡ଼ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୩୮ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ହୀରାକୁଦରୁ ବରଗଡ଼ କେନାଲ ଜରିଆରେ ୮୪ ହଜାର ୫୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି। ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଇକମାଳ ଓ ଝାରବନ୍ଧ ବ୍ଲକକୁ ୬୪୪୬ ହେକ୍ଟର, ମାଇନର ଇରିଗେସନ ପ୍ରୋଜେକ୍ଟ (ଏମ୍ଆଇପି) ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୨୭ ହଜାର ୧୩୦ ହେକ୍ଟର, ଉଠା ଜଳସେଚନରୁ ୧୦ ହଜାର ୩୦୦ ହେକ୍ଟର, ବୃହତ୍ ଉଠା ଜଳସେଚନରୁ ୫୯୨୦ ହେକ୍ଟର, ବୋରୱେଲରୁ ୮୩ ହଜାର ୮୦୮ ହେକ୍ଟର, ଡଗୱେଲ, ଫାର୍ମପଣ୍ଡ, ଚେକ୍ଡ୍ୟାମ୍ ସହ ଅନ୍ୟାନ୍ୟ ସବୁ ମିଶି ମୋଟ୍ ୨ ଲକ୍ଷ ୩୭ ହଜାର୯୦୦ ହେକ୍ଟରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିବା ସରକାରୀ ଫାଇଲ୍ରେ ଉଲ୍ଲେଖ କରାଯାଇଛି। ଏଥର ଗଙ୍ଗାଧର ମେହେର ପ୍ରକଳ୍ପରୁ ପ୍ରାୟ ୨୦ ହଜାର ହେକ୍ଟର ଜମିକୁ ପୁଣି ଜଳସେଚନ ସୁବିଧା ଦିଆଯିବ ବୋଲି ଦାୟିତ୍ୱରେ ଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଆଉ କିଛି ନୂଆ ଉଠା ଜଳସେଚନ ପ୍ରକଳ୍ପ ବି ହୋଇଛି। ଏସବୁକୁ ଦେଖିଲେ, ଏଥର ଖରିଫରେ ଜିଲ୍ଲାରେ ୨ ଲକ୍ଷ ୬୦ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ସୁବିଧା ମିଳିବ। ଅନ୍ୟପଟେ କୃଷି ବିଭାଗ ଗତ ଖରିଫ ଭଳି ଏଥର ମଧ୍ୟ ୨ ଲକ୍ଷ ୧୭ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଲକ୍ଷ୍ୟଠାରୁ ଜଳସେଚନ ଜମିର ପରିମାଣ ଢେର ଅଧିକ ଅଛି। ଏଥିରେ ଚାଷୀଙ୍କୁ ପାଣି ପାଇବାରେ କୌଣସି ଅସୁବିଧା ହେବା କଥା ନୁହଁ। କିନ୍ତୁ କାଗଜକଲମରେ ଜଳସେଚନ ସୁବିଧା ଯୋଗାଉଥିବାରୁ ଚାଷୀ ଜଳସେଚନ ସୁବିଧାରୁ ବଂଚିତ ଥିବା କହୁଛନ୍ତି।
ଚାଷୀ ସଂଗଠନ କହିବା ହେଲା, ବରଗଡ଼ ଜିଲ୍ଲାରେ ଚାଷ ପାଇଁ ମାଳମାଳ ଜଳସେଚନ ପ୍ରକଳ୍ପ ହେଉଛି। ପ୍ରତିବର୍ଷ ଜଳସେଚନ ପାଇଁ କୋଟି କୋଟି ଟଙ୍କାର ନୂଆ ପ୍ରକଳ୍ପ କାମ ଓ ପୁରୁଣା ପ୍ରକଳ୍ପର ପୁନରୁଦ୍ଧାର କାମ ହେଉଛି। ତଥାପି ଚାଷୀଙ୍କ ଜମିକୁ ପାଣି ମାଡୁନି। ଏମ୍ଆଇପିଗୁଡ଼ିକରୁ ଯେତେ ଜଳସେଚନ ସୁବିଧା ଚାଷୀ ପାଇବା କଥା ତାହା ପାଉନାହାନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କା ଏମ୍ଆଇପିରେ ଖର୍ଚ୍ଚ ହେଉଛି। ଅନେକ ସ୍ଥାନରେ ଜଳସେଚନ ସୁବିଧା କାଗଜପତ୍ରରେ ସୀମିତ ରହିଛି। ରାଜବୋଡ଼ାସମ୍ବର କୃଷକ ସଂଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥୀ କହିଛନ୍ତି, ପଦ୍ମପୁର ଉପଖଣ୍ଡରେ ଯାହା ଏମ୍ଆଇପି ରହିଛି, ସେସବୁର ପୁନରୁଦ୍ଧାର ନାଁରେ ଅର୍ଥ ବାଟମାରଣା କେବଳ ହେଉଛି। ଉଠା ଜଳସେଚନ ଅଧାରୁ ଅଧିକ ଆଉ କାମ କରୁନି। କେବଳ ଠିକାଦାରପୋଷା ନୀତିରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାମ ହେଉଥିବା ସେ ଅଭିଯୋଗ କରିଛନ୍ତି।