ଚିଖିଲି ପହଞ୍ଚିଛି ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି

ବରଗଡ଼: ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଛତିଶଗଡ଼ର ମନମୁଖି ଜଳ ପରିଚାଳନା ଯୋଗୁଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଚିଖିଲି ଗାଁରେ ପୁଣି ବନ୍ୟା ପରିସ୍ଥିତି ଆଶଂକା ରହିଛି। ହୀରାକୁଦ ଜଳଭଣ୍ଡାରର ପଛୁଆପାଣିରେ ଚିଖିଲି ସମେତ ଅନ୍ତରାଡ଼ି, ଘୁଘୁରାପାଲି, ବେନିଆଁପାଲି, ଗଣ୍ଠିଆପାଲି ଗାଁର ଚାଷଜମି ବୁଡ଼ି ଯାଇଛି। ଜମି ଉପରେ ପାଣି ଭରି ରହିଛି। ଚିଖିଲି ଗାଁ ପାଖାପାଖି ପାଣି ମାଡ଼ିଥିବା ବେଳେ ମହାନଦୀ ସଂଲଗ୍ନ ଅନ୍ୟ ଗାଁର ଚାଷଜମି ବୁଡ଼ି ରହିଛି। ଅଗ୍ନିଶମ କର୍ମଚାରୀମାନେ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି।

ଜଳସ୍ତର ବଢ଼ିଲେ ଲୋକଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଆଗୁଆ ଯୋଜନା ରହିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ପରେ ସେଠାକାର ଗଂଗରେଲ୍‌, କଲ୍‌ମା ଏବଂ ସାରାଡିହି ବ୍ୟାରେଜ୍‌ରୁ ସବୁ ପାଣି ଛଡ଼ା ଯାଇଛି। କିନ୍ତୁ ପାଣି ନିଷ୍କାସନ ପୂର୍ବରୁ ନିକଟବର୍ତ୍ତୀ ଓଡ଼ିଶାର ଜିଲ୍ଲା (ବରଗଡ଼) ପ୍ରଶାସନକୁ କିଛି ଖବର ଦିଆଯାଇନାହିଁ। ଫଳରେ ପ୍ରତିବର୍ଷ ଏଠାକାର ଲୋକେ ଜଳବନ୍ଦି ହେଉଥିବା ନଜିର ରହିଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍‌ର ଆହୁରି ଗେଟ୍‌ ଖୋଲିବା ଯୋଗୁଁ ଚିଖିଲି ଅଂଚଳରେ ଜଳସ୍ତର ସାମାନ୍ୟ କମୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର