ସମ୍ବଲପୁର : ଆସନ୍ତା ଜାନୁଆରି ୭ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ହେବ। ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ଝାରସୁଗୁଡା, ବରଗଡ଼ ବନ୍ୟ ବିଭାଗର କର୍ମଚାରୀମାନେ ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନାରେ ସାମିଲ ହେବେ। ଜାନୁଆରି ୭ ତାରିଖ ଭୋର୍ରୁ ମୋଟର୍ ବୋଟ୍ ସାହାଯ୍ୟରେ କର୍ମଚାରୀ ଓ ବିଶେଷଜ୍ଞମାନେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବା ସହ ପକ୍ଷୀ ଗଣନା କରିବେ। ହୀରାକୁଦ ଜଳଭଣ୍ଡାରର ଝାରସୁଗୁଡା, ବରଗଡ ସୀମା, ପାୱାର ଚାନେଲ୍, ମହାନଦୀ ପାର୍ଶ୍ବ, ଦୁଇ ପ୍ରମୁଖ କେନାଲ ଓ ଆଖପାଖର ବୃହତ୍ ଜଳାଶୟରେ ଏହି ଗଣନା କରାଯିବ। ପକ୍ଷୀ ଗଣନା ପାଇଁ ବନ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ବେଳେ ନଭେମ୍ବର ୧ ତାରିଖରୁ ମନିଟରିଂ କରାଯାଉଥିବା ଅଂଶୁପ୍ରଜ୍ଞା ଦାଶ କହିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ୯୮ଟି ପ୍ରଜାତିର ୧ ଲକ୍ଷ ୨୦ ହଜାରରୁ ଅଧିକ ପକ୍ଷୀ ହୀରାକୁଦ ଜଳଭଣ୍ଡାରରେ ସମବେତ ହୋଇଥିଲେ। ଚଳିତ ବର୍ଷ ମଧ୍ୟ କେଉଁ ପ୍ରଜାତିରୁ କେତେ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ତାହା ଉପରେ ନଜର ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨ ମାସ ହେବ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇସାରିଛି। ପକ୍ଷୀଙ୍କ ସୁରକ୍ଷା ସହ ଶିକାରୀଙ୍କ ଉପରେ ମଧ୍ୟ ହୀରାକୁଦ ବନ୍ୟପ୍ରାଣୀ ବିଭାଗ କଡ଼ା ନଜର ରଖିଛି। ନିୟମିତ ପାଟ୍ରୋଲିଂ କରାଯାଉଛି। ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ମାସରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମତ୍ସଜୀବୀ, ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିବା ଡିଏଫ୍ଓ କହିଛନ୍ତି।