ସମ୍ବଲପୁର : ଆଉ ୭ ମାସ ପରେ ହୀରାକୁଦ କେଜ୍‌ରୁ ମାଛ ଉତ୍ପାଦନ ଆରମ୍ଭ ହୋଇଯିବ। ଲୋକେ ଜଳଭଣ୍ଡାରରୁ ସଦ୍ୟ ଧରା ହୋଇଥିବା ତାଜା ମାଛ ଖାଇବାର ସୁଯୋଗ ପାଇବେ। ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର୍‌ ଜରିଆରେ ମତ୍ସ୍ୟ ସମ୍ପଦକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ଦେଖିଥିବା ସ୍ବପ୍ନ ସାମାନ୍ୟ ବିଳମ୍ବିତ ହୋଇଥିଲେ ବି ସାକାର ହେବାକୁ ଯାଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ପଡ଼ିଥିବା ୩୨୪ଟି କେଜ୍‌ରେ ଜଳଙ୍ଗ ଓ ତିଲାପିଆ ମାଛ ଚାଷ ଆରମ୍ଭ ହୋଇ ସାରିଛି। ରାଜ୍ୟର ୩୮ ଜଣ ବ୍ୟବସାୟୀ ଏହି ୩୨୪ଟି କେଜ୍‌କୁ ଲିଜ୍‌ରେ ନେଇଛନ୍ତି। ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର୍ ପଦ୍ଧତିରେ ମାଛ ଚାଷ ପାଇଁ ମହମ୍ମଦପୁର ଓ ଜମାଦାରପାଲି ଅଞ୍ଚଳରେ ଜଳଭଣ୍ଡାର ଭିତରେ ୭ ହଜାର ଏକର ଚିହ୍ନଟ କରାଯାଇଛି। ସେଠାରେ ୧୫୦୦ କେଜ୍‌ ସ୍ଥାପନ ଓ ବାର୍ଷିକ ୧ ଲକ୍ଷ ମାଟ୍ରିକ୍‌ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Advertisment

publive-image

ବର୍ତ୍ତମାନ ସୁଦ୍ଧା ୩୨୪ଟି କେଜ୍‌ ସ୍ଥାପନ ହୋଇ ସାରିଥିଲାବେଳେ ଆସନ୍ତା ବର୍ଷ ସୁଦ୍ଧା ସବୁ ଯାକ ଆରମ୍ଭ ହୋଇ ସାରିଥିବ ବୋଲି ‌ମତ୍ସ୍ୟ ବିଭାଗର ଯୁଗ୍ମନିର୍ଦ୍ଦେଶକ ପବିତ୍ର କୁମାର ବେହେରା କହିଛନ୍ତି। ଏହାଦ୍ବାରା ସ୍ଥାନୀୟ ବଜାରରେ ମାଛ ଚାହିଦା ମେଣ୍ଟି ପାରିବ ଓ ବାହାରକୁ ରପ୍ତାନୀ କରି ମାଛ ଚାଷୀ ମାନେ ଲାଭବାନ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। କେଜ୍‌ କଲ୍‌ଚର୍‌ ସଂପର୍କରେ ଅଧିକ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୨୪ଟି କେଜ୍‌ରେ ଜଳଙ୍ଗ ଓ ତିଲାପିଆ ମାଛ ଚାଷ ଆରମ୍ଭ ହୋଇଛି। ଆଗାମୀ ଜୁଲାଇ ସୁଦ୍ଧା ଏହାର ଉତ୍ପାଦନ ଆରମ୍ଭ ହୋଇଯିବ। କେଜ୍‌ ଗୁଡ଼ିକ ମଧ୍ୟରେ କିଛି ବୃତ୍ତାକାର ଓ କିଛି ଆୟତ୍ତାକାର ରହିଛି। ବୃତ୍ତାକାର କେଜ୍‌ ଗୁଡ଼ିକର ବ୍ୟାସ ୧୬ ମିଟର୍‌ ଓ ଗଭୀରତା ୫ ମିଟର୍‌ ଥିବାବେଳେ ଆୟତ୍ତାକାର ଗୁଡ଼ିକର ଦୈର୍ଘ୍ୟ ୬ ମିଟର୍‌ ତଥା ପ୍ରସ୍ଥ ଓ ଗଭୀରତା ୪ ମିଟର୍‌ ଲେଖାଏଁ କରାଯାଇଛି। ଆଗାମୀ ଦିନରେ ବୃତ୍ତାକାର କେଜ୍‌ ଗୁଡ଼ିକରେ ଚାହିଦାଯୁକ୍ତ ରୋହି, ଭାକୁର, ମିରକାଳି ଆଦି ବି ପରୀକ୍ଷାମୂଳକ ଭାବେ ଚାଷ କରାଯିବ। ଏଠାରୁ ଉତ୍ପାଦିତ ମାଛ ଗୁଡ଼ିକ ସ୍ଥାନୀୟ ବଜାର, ରାଜ୍ୟର ବିଭିନ୍ନ ସହରରେ ବିକ୍ରି କରାଯିବା ସହ ହୋଟେଲ୍‌ ଗୁଡ଼ିକୁ ଓ ବାହାର ରାଜ୍ୟକୁ ବି ପଠାଯିବ। ନିକଟସ୍ଥ ସମ୍ବଲପୁର, ବରଗଡ଼, ବୁର୍ଲା, ହୀରାକୁଦ ଆଦି ସହରରେ ଲୋକଙ୍କ ପାଇଁ ଜୀଅନ୍ତା ମାଛ ବି ଉପଲବ୍‌ଧ ହୋଇ ପାରିବ।

ହୀରାକୁଦ କେଜ୍‌ କଲ୍‌ଚର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ମୋଟର ଚାଳିତ ସ୍ପିଡ୍‌ ବୋଟ୍ ବ୍ୟବସ୍ଥା କରାଯାଇଛି। ସେଠାରେ ଖୁବ୍‌ ଶୀଘ୍ର କମନ୍ ଫେସିଲିଟି ସେଣ୍ଟର୍‌ ନିର୍ମାଣ ଆରମ୍ଭ ହେବ। ଉକ୍ତ କେନ୍ଦ୍ରରେ ଶୀତଳ ଭଣ୍ଡାର, ଗୋଦାମ, ନିଲାମ ଗୃହ, ବରଫ ପ୍ଲାଣ୍ଟ, ମାଛ ପ୍ରକ୍ରିୟାକରଣ ପ୍ରକଳ୍ପ, ପ୍ୟାକେଜିଂ ପ୍ରକଳ୍ପ, ଦୋକାନ ଗୃହ, ଉଦ୍ୟାନ, ବିଶ୍ରାମାଗାର, ଶୌଚାଳୟ ଆଦି ନିର୍ମାଣ କରାଯିବ। ଏଥି ପାଇଁ ସ୍ଥାନ ଚିହ୍ନଟ ହୋଇଥିଲାବେଳେ ଆସନ୍ତା ମାସରୁ କାମ ଆରମ୍ଭ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।