ହୀରାକୁଦ ବନ୍ୟା ନିୟନ୍ତ୍ରଣରେ କେତେ ସଫଳ? ଗ୍ରୀଷ୍ମରେ କଲବଲ, ବର୍ଷା‌ରେ ବିତ୍ପାତ

ଅନୁଗୁଳ, (ରତ୍ନାକର ଭୋଇ): ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଗଢ଼ି ଉଠଛି ପୃଥିବୀର ଦୀର୍ଘତମ ମାଟିବନ୍ଧ ହୀରାକୁଦ ଡ୍ୟାମ୍‌। ନଦୀବନ୍ଧ ନିର୍ମାଣ ପଛରେ ଲକ୍ଷ୍ୟ ଥିଲା ଓଡ଼ିଶାର ତ୍ରିକୋଣଭୂମି ଅଂଚଳକୁ ବନ୍ୟା ନିୟନ୍ତ୍ରଣ, ଜଳସେଚନ ସହିତ ବିଦ୍ୟୁତ ଉତ୍ପାଦନ। ତେବେ, ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ବି ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡର ଲୋକଙ୍କୁ ଗ୍ରୀଷ୍ମଦିନେ ପାଣି ପାଇଁ କଲବଲ ହେବାକୁ ପଡ଼ୁଥିବା ବେଳେ ବର୍ଷା ଋତୁରେ ବେଶ୍ କିଛିଦିନ ଜଳବନ୍ଦୀ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଏବେ, ଅନ୍ୟକୁ ଦୋଷ ନଦେଇ ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ନିମନ୍ତେ ଓଡ଼ିଶାର ଚିନ୍ତା କରିବାର ବେଳ ଆସିଛି।

୧୩ ଜାନୁଆରି ୧୯୫୭ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତି ଉଦ୍ଦେଶ୍ୟରେ ହୀରାକୁଦ ଜଳଭଣ୍ଡାରର ଲୋକାର୍ପଣ କରିଥିଲେ। ତେବେ, ୧୯୫୩ ମସିହାର ମୂଳ ବିବରଣୀ ଅନୁସାରେ, ପ୍ରସ୍ତୁତ ‘ନିୟନ୍ତ୍ରଣ ନିୟମ (ରୁଲ୍‌କର୍ଭ) ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା କରାଯାଉଥିଲା। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ରମାନ୍ବୟରେ ବିଭିନ୍ନ କମିଟିର ସୁପାରିସ ଅନୁଯାୟୀ ଠିକ୍ ୩୩ ବର୍ଷ ପରେ ନୂଆ ‘ନିୟନ୍ତ୍ରଣ ନିୟମ ପ୍ରସ୍ତୁତ କରାଯାଇଛି। ‘ନିୟନ୍ତ୍ରଣ ନିୟମ-୧୯୮୮’ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା କରାଯାଉଛି। ଆଗରୁ ସେପ୍ଟେମ୍ବର ୧ ତାରିଖରୁ ହୀରାକୁଦ ଜଳଭଣ୍ଡାରରେ ଜଳ ଭରିବା ଆରମ୍ଭ ହୋଇ ଅକ୍ଟୋବର ଶେଷ ସୁଦ୍ଧା ଜଳପତ୍ତନ ୬୩୦ ଫୁଟ୍(ସର୍ବୋଚ୍ଚ ଜଳସ୍ତର)ରେ ରଖାଯାଉଥିଲା। ପଟୁ ମାଟି ନିଷ୍କାସନ ଉଦ୍ଦେଶ୍ୟରେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ପିଲ୍‌ୱେ ଖୋଲାଯାଇ ଜଳସ୍ତର ୫୯୦ ଫୁଟ୍ ପର୍ଯ୍ୟନ୍ତ ରଖାଯାଉଥିଲା। ‘ନିୟନ୍ତ୍ରଣ ନିୟମ-୧୯୮୮’ ଅନୁଯାୟୀ, ଜଳସ୍ତର ୧ ଜୁଲାଇରେ ସର୍ବାଧିକ ୫୯୫ ଫୁଟ୍ ରଖାଯାଉଥିବା ବେଳେ ୨୧ ସେପ୍ଟେମ୍ବରରେ ସର୍ବନିମ୍ନ ୬୨୯.୦୫ ଫୁଟ୍ ଏବଂ ସର୍ବାଧିକ ୬୩୦ ଫୁଟ୍ ପାଣି ରଖାଯାଉଛି। ଯାହାହେଲେ ବି ୧ ଅକ୍ଟୋବର ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରଖାଯିବାକୁ ନିୟନ୍ତ୍ରଣ ନିୟମରେ ଉଲ୍ଲେଖ ରହିଛି। ସମୟ ବଦଳିବା ସହିତ ସ୍ଥିତି ମଧ୍ୟ ବଦଳିଛି। ୧୯୮୮ ମସିହାର ନିୟନ୍ତ୍ରଣ ନିୟମକୁ ଏବେ ପୁଣି ୩୨ ବର୍ଷ ହୋଇଗଲାଣି।

WordPress.com

ଅନେକ ସମୟରେ ନିୟନ୍ତ୍ରଣ ନିୟମ ପାଳନରେ ବି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ଜୁନ୍ ୨୫ ତାରିଖ ଦିନ ହୀରାକୁଦର ଜଳସ୍ତର ୬୧୮ ଫୁଟ୍ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ବନ୍ୟା ଜଳ ନିଷ୍କାସନ ଆଳରେ ଚଳିତ ବର୍ଷ ୪.୮୮୯ ନିୟୁତ ଏକର ଫୁଟ୍( ଜୁନ୍ ମାସରେ ୧.୮୧୧ ଏବଂ ଜୁଲାଇ ମାସରେ ୩.୦୭୮) ପାଣି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀରେ ଛଡ଼ାଯାଇଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍‌ରୁ ୬୦୦ ଫୁଟ୍‌କୁ ଖସି ଆସିଥିଲା। ଜଳଭଣ୍ଡାରର ଜଳଧାରଣ କ୍ଷମତା ହେଉଛି ପ୍ରାୟ ୪ ନିୟୁତ ଏକର ଫୁଟ୍। ହୀରାକୁଦ ଜଳଭଣ୍ଡାରରେ ସର୍ବାଧିକ ଯେତିକି ପାଣି ରହିପାରିବା କଥା, ତାଠାରୁ ଅଧିକ ପାଣି ଏହି ଦୁଇ ମାସରେ ମହାନଦୀରେ ଛଡ଼ାଯାଇଛି। ଏହି ପାଣି ଜଳସେଚନ କିମ୍ବା ବିଦ୍ୟୁତ ଉତ୍ପାଦନ କୌଣସି କାମରେ ବ୍ୟବହାର ହୋଇ ନ ପାରି ବେକାର ଯାଇଛି। ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ପାଣି ବ୍ୟବହାର ହୋଇପାରିଥାନ୍ତା। ବହୁମୁଖୀ ହୀରାକୁଦ ନଦୀବନ୍ଧ ନିର୍ମାଣ ହେବା ପୂର୍ବରୁ ୧୮୬୮ରୁ ୧୯୪୬ ମଧ୍ୟରେ ମହାନଦୀରେ ୬୩ଟି ବଡ଼ ବନ୍ୟା ଆସିଛି। ନରାଜଠାରେ ୧୦ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହୋଇଛି। ଅର୍ଥାତ, ପ୍ରତି ୧୦ ବର୍ଷରେ ମହାନଦୀରେ ୮ଟି ବଡ଼ ବନ୍ୟା ଆସୁଥିଲା। ୧୯୫୮ରୁ ୨୦୧୯(୬୨ ବର୍ଷ) ମଧ୍ୟରେ ୨୧ଟି ବଡ଼ ବନ୍ୟା ଆସିଥିବା ରେକର୍ଡ କରାଯାଇଛି। ମୁଣ୍ଡଳୀଠାରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହୋଇଥାଏ। ରେକର୍ଡ କହୁଛି, ବନ୍ୟା ସଂଖ୍ୟା ୬୩ ପ୍ରତିଶତ ହ୍ରାସ ପାଇଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ଯଦିଓ, ୧୯୮୦ ମସିହାରେ ସର୍ବାଧିକ ୮୮ଟି ଗେଟ୍ ଖୋଲାଯିବା ଯୋଗୁଁ ଅଧା ଓଡ଼ିଶା ବନ୍ୟାପାଣିରେ ଉବୁଟୁବୁ ହୋଇଥିଲା, ଗତ ୨୦ ବର୍ଷ ମଧ୍ୟରେ ୭ଥର ୪୫ରୁ ଅଧିକ ଗେଟ୍ ଖୋଲାଯାଇଛି। ଆଉ ଏଥିରେ ସମ୍ବଲପୁରଠାରୁ ଆରମ୍ଭ କରି ଅନୁଗୁଳ, ଅବିଭକ୍ତ କଟକ ଓ ପୁରୀ ଜିଲ୍ଲା ପର୍ଯ୍ୟନ୍ତ ଲୋକଙ୍କୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ଇତିମଧ୍ୟରେ ନିୟନ୍ତ୍ରଣ ନିୟମ ତିଆରିକୁ ୩୨ ବର୍ଷ ହୋଇଗଲାଣି। ଏଣୁ, ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ନିୟନ୍ତ୍ରଣ ନିୟମ ତିଆରିର ଆବଶ୍ୟକତା ରହିଛି।

୧୯୩୭ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ଡ. ବି.ଆର.ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ବନ୍ୟା ଉପଦେଷ୍ଟା କମିଟି(୧୯୩୮-୪୫)ର ବୈଠକରେ ହୀରାକୁଦ, ନରାଜ ଓ ଟିକରପଡ଼ାଠାରେ ୩ଟି ନଦୀବନ୍ଧ ନିର୍ମାଣ ପାଇଁ ସ୍ବୀକୃତି ଦିଆଯାଇଥିଲା। କିନ୍ତୁ, କେବଳ ହୀରାକୁଦ ନଦୀବନ୍ଧ ନିର୍ମାଣ ହୋଇପାରିଛି। ଆଉ ମୁଣ୍ଡଳୀଠାରେ ଆନିକଟ ନିର୍ମାଣ କରି ପୁରୀ ଜିଲ୍ଲା ପାଇଁ ଜଳସେଚନ ସୁବିଧା କରାଯାଇଛି। ବିଭିନ୍ନ କାରଣରୁ ଆଉ ଦୁଇଟି ନଦୀବନ୍ଧ ନିର୍ମାଣ ହୋଇପାରି ନାହିଁ। ମହାନଦୀର ତଳ ମୁଣ୍ଡରେ ଥିବା ଏହାର ୪୮,୭୦୦ ବର୍ଗ କିଲୋମିଟର ଅବବାହିକାର ବର୍ଷାଜଳ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ଏଣୁ ବର୍ତ୍ତମାନର ଆବଶ୍ୟକତା ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ ସହିତ ସର୍ବନିମ୍ନ ବିସ୍ଥାପନ ଓ କ୍ଷୟକ୍ଷତି ଆଦିକୁ ଦୃଷ୍ଟିରେ ରଖି ‌ଏବେ ଅନ୍ୟ ପ୍ରକଳ୍ପ ଉପରେ ଚିନ୍ତା କରିବାର ବେଳ ଆସିଛି।

ସମ୍ବନ୍ଧିତ ଖବର

Comments are closed.