ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଉଛୁଳୁଛି। ମାତ୍ର ବିଦ୍ୟୁତ୍ ଉତ୍ପାଦନ ପର୍ଯ୍ୟାପ୍ତ ପରିମାଣର ହୋଇପାରୁନି। ପରିଚାଳନାଗତ ତ୍ରୁଟି ଓ ପାୱାର ସିଷ୍ଟମ୍ରେ ଅଚଳାବସ୍ଥା ଲାଗି ରହିଥିବାରୁ ବର୍ତ୍ତମାନ ସମୟରେ ମଧ୍ୟ ୬୦ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କମ୍ ହେଉଛି। ବୁର୍ଲା ଶକ୍ତିକେନ୍ଦ୍ରର ୪ଟି ୟୁନିଟ୍ ୨୦୧୮ ମସିହାରୁ ଅଚଳ ହୋଇ ପଡ଼ିଥିବାରୁ ବର୍ତ୍ତମାନ ଏଭଳି ସ୍ଥିତି ହୋଇଥିବା ଜଣାପଡ଼ିଛି। ହୀରାକୁଦ ପାୱାର ସିଷ୍ଟମ୍ରୁ ଦୈନିକ ୩୪୭.୫ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତା ରହିଥିବା ସମୟରେ ଏବେ ହାରାହାରି ୧୪୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି। ଘଟଣା ସମ୍ପର୍କରେ ବୁର୍ଲା ଶକ୍ତିକେନ୍ଦ୍ର ପରିଚାଳକ ଦେବାଶିଷ ମିଶ୍ରଙ୍କୁ ଯୋଗାଯୋଗ କରିବାରେ ମେସିନ୍ଗୁଡ଼ିକ ମରାମତି ପାଇଁ ଯାଇଛି ଓ ୨୦୨୧ ସୁଦ୍ଧା ସେଗୁଡ଼ିକ ଆସିଯିବ ବୋଲି କହିଛନ୍ତି। ଅର୍ଥାତ ବିଦ୍ୟୁତ ଉତ୍ପାଦନରେ ଏହି ନିଅଣ୍ଟିଆ ଅବସ୍ଥା ଆସନ୍ତା ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।
/sambad/media/post_attachments/wp-content/uploads/2020/08/hirakud-dam-02-300x200.jpg)
ହୀରାକୁଦ ପାୱାର ସିଷ୍ଟମ୍ରୁ କେଉଁମାସରେ କେତେ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯିବ ସେନେଇ ୧ ମାସ ପୂର୍ବରୁ ନିଷ୍ପତ୍ତି ନିଆଯାଇଥାଏ। ଜଳସେଚନ, ହୀରାକୁଦ ପ୍ରକଳ୍ପ, ବନ୍ୟାଜଳ ନିଷ୍କାସନ ଆଦି ବିଭାଗୀୟ ମୁଖ୍ୟଙ୍କ ଉପସ୍ଥିତିରେ ବସୁଥିବା ଉଚ୍ଚସ୍ତରୀୟ କମିଟି ଦ୍ବାରା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ। ୟୁନିଟ୍ଗୁଡ଼ିକର କ୍ଷମତା ଓ ସେମାନଙ୍କର ସ୍ଥିତିକୁ ଆଖି ଆଗରେ ରଖି ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ ବୋଲି ଶକ୍ତିକେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏଠାରେ ମୋଟ ୧୦ଟି ୟୁନିଟ୍ରୁ ୪ଟି ୟୁନିଟ୍ ଅଚଳ ହୋଇ ରହିଥିବାରୁ ଉତ୍ପାଦନ ଲକ୍ଷ୍ୟ ମଧ୍ୟ କମାଇବାକୁ ପଡ଼ୁଛି।
ହୀରାକୁଦ ପାୱାର ସିଷ୍ଟମ୍ର ସିଷ୍ଟମ୍ ଷ୍ଟେଜ୍-୧ରେ ଥିବା ବୁର୍ଲା ଶକ୍ତିକେନ୍ଦ୍ରରେ ମୋଟ ୭ଟି ୟୁନିଟ୍ ରହିଛି। ଏହି ୭ଟି ୟୁନିଟ୍ରୁ ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହେଉଛି ୨୭୫.୫ ୟୁନିଟ୍। କିନ୍ତୁ ସେଥିମଧ୍ୟରୁ ୪ଟି ୟୁନିଟ୍ ବର୍ତ୍ତମାନ ଅଚଳ ରହିଛି। କେବଳ ୨ ନଂ, ୩ ନଂ ଓ ୪ ନଂ ୟୁନିଟ୍ ଏବେ କାର୍ଯ୍ୟକ୍ଷମ ରହିଛି। ୫ ନଂ ଓ ୬ ନଂ ୟୁନିଟ୍ ୨୦୧୮ ମସିହାରୁ ଅଚଳ ହୋଇ ପଡ଼ିଥିବା ସମୟରେ ଏହି ୨ଟି ସ୍ଥାନରେ ନୂଆ ୟୁନିଟ୍ ଲାଗିବ। ସେହିପରି ଗତବର୍ଷ ୭ ନଂ ୟୁନିଟ୍ ସଟ୍ସର୍କିଟ୍ ହୋଇ ଅଚଳ ହୋଇଯାଇଥିଲା। କିନ୍ତୁ ଏହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ୧ ନଂ ୟୁନିଟ୍ ୨୦୧୭ ମସିହାରୁ ଅଚଳ ହୋଇ ପଡ଼ିଥିବା ସମୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ସେହିପରି ଷ୍ଟେଜ୍-୨ରେ ରହିଥିବା ଚିପିଲିମା ଶକ୍ତିକେନ୍ଦ୍ରର ୩ଟି ୟୁନିଟ୍ରୁ ୭୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିଛି। ଦୀର୍ଘ ୮ ମାସ ଧରି ଏହି ଶକ୍ତିକେନ୍ଦ୍ରର ମଧ୍ୟ ଗୋଟିଏ ୟୁନିଟ୍ ଅଚଳ ରହିଥିଲା। ଦେଢ଼ମାସ ହେବ ଏହି ୟୁନିଟ୍ଟି କାର୍ଯ୍ୟକ୍ଷମ ହୋଇଛି। ତଥାପି ମୋଟ କ୍ଷମତାର ବିଦ୍ୟୁତ ଉତ୍ପାଦନ ହୋଇପାରୁନି।