ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଜଳସ୍ତର ୬୦୦ ଫୁଟ୍ ତଳକୁ ଖସିବାପରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଥିଲା। ବୁର୍ଲା ଶକ୍ତିକେନ୍ଦ୍ରରୁ ୨ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇଯାଇଥିବା ବେଳେ ଚିପିଲିମା ଶକ୍ତି କେନ୍ଦ୍ରରୁ ନାମକୁମାତ୍ର ବିଦ୍ୟୁତ ଉତ୍ପାଦନ ହେଉଥିଲା। କଲ୍ମା ବ୍ୟାରେଜର ଗେଟ୍ ଖୋଲିବାପରେ ଆଜି ବିଦ୍ୟୁତ ଉତ୍ପାଦନରେ ସାମାନ୍ୟ ସୁଧାର ଆସିବା ସହିତ ବୁର୍ଲା ଶକ୍ତି କେନ୍ଦ୍ରରୁ ୨ ଦିନ ବ୍ୟବଧାନରେ ପୁଣି ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଡେଥ୍ ଷ୍ଟୋରେଜ ସ୍ତର ୫୯୦ ଫୁଟ୍ ଧାର୍ଯ୍ୟ କରାଯାଇଛି। ହୀରାକୁଦ ଜଳଭଣ୍ଡାର ନିର୍ମାଣ ପଛରେ ବନ୍ୟା ଜଳ ନିୟନ୍ତ୍ରଣ, ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଆଦି ପ୍ରମୁଖ କାରଣ ରହିଥିଲା। ତେବେ, ଚାଷୀ ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁ ନାହାନ୍ତି। ଜଳସେଚନ ପାଇଁ ଯେମିତି ବାଧା ନଉପୁଜେ, ସେଥିପ୍ରତି ସତର୍କ ରଖିଛନ୍ତି। ପ୍ରତ୍ୟେକ ବର୍ଷ ଜୁନ୍ ୧୬/୧୭ ତାରିଖ ଆଡ଼କୁ ହୀରାକୁଦ ଜଳଭଣ୍ଡାରରୁ କେନାଲଗୁଡ଼ିକରେ ପାଣି ଛଡ଼ାଯାଇଥାଏ। େତବେ, ଚଳିତ ବର୍ଷ କେନାଲର କ୍ରଂକିଟ୍କରଣ କାମ ଚାଲିଥିବାରୁ ପାଣି ଛାଡ଼ିବାରେ ବିଳମ୍ବ ହୋଇଥିଲା।
ଆଉ ବୁର୍ଲା ଶକ୍ତିକେନ୍ଦ୍ରର ୭ଟି ୟୁନିଟ୍ରୁ ୨୮୭.୮ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ଥିବାବେଳେ ଗତ ୧୯ ଓ ୨୦ ତାରିଖ ଦିନ ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସେହିପରି ୭୨ ମେଗାୱାଟ କ୍ଷମତା ବିଶିଷ୍ଟ ଚିପିଲିମା ଶକ୍ତିକେନ୍ଦ୍ରରୁ ଏହି ଦୁଇ ଦିନ ଯଥାକ୍ରମେ ୧.୨୦୮ ମେଗାୱାଟ ଏବଂ ୨.୨୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇଛି। ପ୍ରତି ବର୍ଷ ଅକ୍ଟୋବର ୧୫ ପରେ କଲ୍ମା ବ୍ୟାରେଜର ସମସ୍ତ ୬୨ଟି ଗେଟ୍ ବନ୍ଦ ରଖୁଥିବା ଛତିଶଗଡ଼ ସରକାର ମୌସୁମୀ ଆଗମନ ପରେ( ଜୁନ୍ ମଧ୍ୟ ଭାଗ ପରେ) ଗେଟ୍ ଖୋଲିବା ଆରମ୍ଭ କରିଥାନ୍ତି। ଏବେ ପର୍ଯ୍ୟାୟକ୍ରମେ କଲ୍ମା ବ୍ୟାରେଜ୍ରୁ ଗେଟ୍ ଖୋଲିବା ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା କଲ୍ମାର ୩୧ଟି ଗେଟ୍ ଖୋଲାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/hirakud-dam-final.jpg)