ସମ୍ବଲପୁର : ବିଗତ ୩ ବର୍ଷର ପରିସଂଖ୍ୟାନକୁ ଦେଖିଲେ ଚଳିତ ବର୍ଷ ବର୍ତ୍ତମାନ ସମୟରେ ହୀରାକୁଦ ନଦୀବନ୍ଧର ଜଳସ୍ତର ସର୍ବାଧିକ ରହିଛି। ଅନ୍ୟବର୍ଷଗୁଡ଼ିକରେ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୦୫ ଫୁଟରେ ସୀମିତ ରହୁଥିବା ସମୟ‌ରେ ବର୍ତ୍ତମାନ ଜଳସ୍ତର ୬୧୧ ଫୁଟ ରହିଛି। ସାଧାରଣତଃ ଜୁଲାଇ ୨୫ ଆଡ଼କୁ ଜଳଭଣ୍ଡାରର ଗେଟ୍‌ ଖୋଲାଯାଇଥାଏ। ମାତ୍ର ଅନ୍ୟବର୍ଷ ତୁଳନାରେ ଏବର୍ଷ ୭ ଫୁଟ ଅଧିକ ପାଣି ରହିଥିବା ସମୟରେ ମୌସୁମୀ ବର୍ଷା ଠିକ୍‌ ସମୟରେ ହେଲେ ଏବର୍ଷ ଶୀଘ୍ର ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Advertisment

ଏଥର ମଧ୍ୟ ବର୍ଷାଋତୁର ଯେକୌଣସି ସମୟରେ ଗେଟ୍‌ ଖୋଲା ଯାଇପାରେ। ତେଣୁ, ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ଉପରେ ସତର୍କତା ଅବଲମ୍ବନ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍ପିଲ୍‌ୱେଠାରେ ସାଇରନ୍‌ ବଜାଇବାର ବ୍ୟବସ୍ଥା ରହିଛି। ଏହି ସାଇରନ୍‌ ୨ ମିନିଟ୍‌ ଅବିଚ୍ଛିନ୍ନ ଭାବେ ବାଜି ୨ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ। ଚଳିତବର୍ଷର ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମ୍‌ରେ ମକ୍‌ଡ୍ରିଲ୍‌ ଶେଷ ହୋଇଛି। ଆସନ୍ତା ଜୁନ୍‌ ପହିଲାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇ ବନ୍ୟାଜଳ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ ବୋଲି ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ।