ହୀରାକୁଦରୁ ବିଦ୍ୟୁତ ଉତ୍ପାଦନ ନୈରାଶ୍ୟଜନକ

ଦୈନିକ କ୍ଷମତା ୩୪୭ ମେଗାଓ୍ଵାଟ୍‌,
୧୦ ମାସରେ ଉତ୍ପାଦନ ହୋଇଛି ୭୬୬

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍‌ର ଦୈନିକ ବିଦ୍ୟୁତ ଉତ୍ପାଦନ କ୍ଷମତା ୩୪୭.୫ ମେଗାଓ୍ଵାଟ ହୋଇଥିବା ବେଳେ ଗତ ୧୦ ମାସ ମଧ୍ୟରେ ମାତ୍ର ୭୬୬.୬୮୦୮ ମେଗାଓ୍ଵାଟ ଉତ୍ପାଦନ ହୋଇଛି। ଆଗାମୀ ଦିନରେ ଉତ୍ପାଦନ ଆହୁରି କମିବ ବୋଲି କୁହାଯାଇଛି।

ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣର କ୍ଷମତା ହେଉଛି ୬୩୦ ଫୁଟ୍‌। ପଟୁମାଟି ଯୋଗୁଁ ହୀରାକୁଦ ଜଳଭଣ୍ଡାର ଧୀରେ ଧୀରେ ପୋତି ହେବାରେ ଲାଗିଛି। ବନ୍ୟା ଜଳରେ ପଟୁ ମାଟି ଆସି ସର୍ବମୋଟ୍‌ ଜଳଭଣ୍ଡାର ଜଳ ଧାରଣ କ୍ଷମତା ୨୭ ପ୍ରତିଶତ ଏବଂ ବ୍ୟବହାର ହେଉଥିବା ଜଳ ଧାରଣ କ୍ଷମତାର ୧୭ ପ୍ରତିଶତ ହ୍ରାସ ପାଇଛି। ଜଳଧାରଣ କ୍ଷମତା ହ୍ରାସ ଯୋଗୁଁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ନିଅଣ୍ଟ ହେଉଛି। ହୀରାକୁଦ କମାଣ୍ଡ ଏରିଆରେ ଜଳସେଚନ ନିମନ୍ତେ ପାଣି ନିଅଣ୍ଟ ପଡ଼ିଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛିି। ୨୦୦୭ ମସିହାରେ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ରାଜ୍ୟ ସରକାର ବାଧ୍ୟ ହୋଇ ହୀରାକୁଦ କେନାଲ ବ୍ୟବସ୍ଥା ପାଇଁ ୨ଶହ କୋଟିର ପ୍ୟାକେଜ ଘୋଷଣା କରିଥିଲେ। ହେଲେ ସରକାର ଦେଇଥିଲେ ମାତ୍ର ୭୦ କୋଟି ଟଙ୍କା। କେନାଲଗୁଡ଼ିକର ତଳମୁଣ୍ଡରେ ଚାଷ ଜମି ପାଇଁ ପାଣି ନିଅଣ୍ଟ ପଡ଼ୁଛି। ସରକାର ଚାଷୀମାନଙ୍କୁ ଆଉ ଅସନ୍ତୁଷ୍ଟ ଚାହିଁ ତଥା ଶିଳ୍ପନୁଷ୍ଠାନକୁ ସେମାନଙ୍କ ଆବଶ୍ୟକତା ମୁତାବକ ପାଣି ଦେବା ପାଇଁ ବିଦ୍ୟୁତ ଉତ୍ପାଦନ ଉପରେ ଅଂକୁଶ ଲଗାଇଛନ୍ତି। ବିଦ୍ୟୁତ ଉତ୍ପାଦନ ପାଇଁ ପାଓ୍ଵାର ଚାନେଲରେ କ୍ଷମତା ମୁତାବକ ପାଣି ଛଡ଼ା ଯାଉ ନାହିଁ।

ହୀରାକୁଦ ଜଳଭଣ୍ଡାରର ବୁର୍ଲା ପାଓ୍ଵାର ହାଉସ୍‌ରେ ୭ଟି ୟୁନିଟ୍‌ ଓ ଚିପିଲିମା ପାଓ୍ଵାର ହାଉସ୍‌ରେ ୩ଟି ୟୁନିଟ୍‌ ସ୍ଥାପନ କରାଯାଉଛି। ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍‌ରୁ ଯଥାକ୍ରମେ ୨୭୫.୫ ଓ ୭୨ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ଉଭୟ ପାଓ୍ଵାର ହାଉସର ସବୁ ୟୁନିଟ୍‌ କାର୍ଯ୍ୟକ୍ଷମ ହେଲେ ୩୪୭.୫ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେବ। ତେବେ ଗତ ଅପ୍ରେଲ ୨୦୧୭ରୁ ଜାନୁଆରି ୨୦୧୮ ମଧ୍ୟରେ ବୁର୍ଲା ପାଓ୍ଵାର ହାଉସ୍‌ର ମାତ୍ର ୪ଟି ଏବଂ ଚିିପିଲିମା ପାଓ୍ଵାର ହାଉସ୍‌ର ମାତ୍ର ୨ଟି ୟୁନିଟ୍‌ର ଟର୍ବାଇନ ନିୟମିତ ଘରୁଛି। ଅଳ୍ପ ଦିନ ପାଇଁ ଗୋଟିଏ ବୁର୍ଲାର ୭ ନମ୍ବର ୟୁନିଟ୍‌ କାର୍ଯ୍ୟକ୍ଷମ ରଖାଯାଇଥିଲା। ମାତ୍ର ସେଗୁଡ଼ିକରୁ ବି ପୂର୍ଣ୍ଣ କ୍ଷମତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ ହୋଇ ନାହିଁ। ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍‌ରୁ ଯଥାକ୍ରମେ ଗତ ୨୦୧୭ ଅପ୍ରେଲ ମାସରେ ୨୫.୩୮୨ ଓ ୧୬.୯୫୫ ମେଗାଓ୍ଵାଟ, ମେ ମାସରେ ୨୭.୦୮୭ ଓ ୧୩.୨୫୧ ମେଗାଓ୍ଵାଟ, ଜୁନ୍‌ରେ ୫୦.୧୮୯ ଓ ୧୫.୬୦୬ ମେଗାଓ୍ଵାଟ, ଜୁଲାଇରେ ୮୪.୨୩୪ ଓ ୧୬.୫୧୫ ମେଗାଓ୍ଵାଟ, ଅଗଷ୍ଟରେ ୯୭.୧୦୭ ଓ ୩୩.୭୨୩ ମେଗାଓ୍ଵାଟ, ସେପ୍‌ଟେମ୍ବରରେ ୧୧୮.୧୧୫ ଓ ୩୧.୭୨୩ ମେଗାଓ୍ଵାଟ, ଅକ୍ଟୋବରରେ ୧୦୮.୩୩୧ ଓ ୨୯.୧୩୭ ଏବଂ ନଭେମ୍ବରରେ ୩୧.୧୯୬୦ ଓ ୧୭.୫୭୪ ଏବଂ ଡିସେମ୍ବରରେ ୧୫.୭୮୮ ଓ ୯.୩୩୧ ମେଗାଓ୍ଵାଟ, ୨୦୧୮ ଜାନୁଆରିରେ ୧୫.୬୩୨୯ ଓ ୧୦.୩୧୭୯ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇଛି।

ରାଜ୍ୟ ସରକାରଙ୍କ ୧୨୪୬ କୋଟି ୫୬ ଲକ୍ଷ ଟଙ୍କାର ବିଜେପୁର ଭୂତଳ ଉଠା ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ହୀରାକୁଦରୁ ଆହୁରି ୨୯ କ୍ୟୁମେକ(୧୦୦୦.୫୪ କ୍ୟୁସେକ) ପାଣି ଟଣାଯିବ। ଆଉ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ଉତ୍ପାଦନ ଆହୁରି କମିବାର ଆଶଂକା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କୁ ରାଜ୍ୟର ବିଦ୍ୟୁତ ଚାହିଦା ମେଣ୍ଟାଇବା ପାଇଁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର