ହୀରାକୁଦ ଡ୍ୟାମ୍‌ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣରୁ ଓହରିଲା ଟାଟା-ଏଜି ଗ୍ରୁପ

ଅନିଶ୍ଚିତତାରେ ୩୬୯.୫୩ କୋଟିର ପ୍ରକଳ୍ପ, ପେନାଲ୍‌ଟି ଭୟରେ କମ୍ପାନି ସରକାରଙ୍କୁ ଦୋଷ ଦେଉଛି: ଯନ୍ତ୍ରୀ

ସମ୍ବଲପୁର : ହୀରାକୁଦ ନଦୀବନ୍ଧ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ ଠିକା କାର୍ଯ୍ୟରୁ ଓହରି ଯାଇଛି ଟାଟା-ଏଜି ସଂସ୍ଥା। ଏ ସଂକ୍ରାନ୍ତରେ ନୋଟିସ୍‌ ଦେବା ସହିତ ସଂପୃକ୍ତ ସଂସ୍ଥା ନିର୍ମାଣ ଉପକରଣ ମଧ୍ୟ ହଟାଇ ନେଇଛି। ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ନୋଟିସ୍‌ ଗ୍ରହଣ କରି ନ ଥିବା କହିଛନ୍ତି ସ୍ପିଲ୍‌ୱେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହିମାଂଶୁ ମିଶ୍ର। ସ୍ପିଲ୍‌ୱେ ନିର୍ମାଣ ପାଇଁ ଜମି ଓ ନକ୍ସା ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ଠିକା ସଂସ୍ଥା ଓହରିଥିବା କୁହାଯାଉଛି। ମାତ୍ର ଏହି କଥାକୁ ସ୍ପିଲ୍‌ୱେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅସ୍ବୀକାର କରିଛନ୍ତି।

ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ୨୦୧୯ ମସିହା ଜାନୁଆରି ମାସରୁ ଆରମ୍ଭ ହୋଇଥିଲା ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ କାର୍ଯ୍ୟ। ୨୦୨୧ ମସିହା ମାର୍ଚ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣର ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଠିକା ସଂସ୍ଥା ଟାଟା-ଏଜି ଗ୍ରୁପ ଓହରି ଯିବାରୁ ୩୬୯.୫୩ କୋଟି ଟଙ୍କାର ପ୍ରକଳ୍ପ ଅନିଶ୍ଚିତତା ଘେରକୁ ଚାଲି ଯାଇଛି। ହୀରାକୁଦ ଡ୍ୟାମ୍‌ରେ ସମୁଦାୟ ୯୮ଟି ଗେଟ୍‌ ରହିଛି। ଏହି ଗେଟ୍‌ ଦେଇ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହୋଇପାରେ। ଅତିରିକ୍ତ ସ୍ପିଲ୍‌ୱେରେ ସମୁଦାୟ ୫ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ହେଉଛି। ଯଦ୍ବାରା ଅତିରିକ୍ତ ୩ ଲକ୍ଷ କ୍ୟୁସେକ ସହିତ ଏକକାଳୀନ ୧୮ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହୋଇ ପାରିବ। ୨୦୧୫ ମସିହାରେ ବନ୍ଧ ସୁରକ୍ଷା, ବିଶ୍ବବ୍ୟାଙ୍କ ଓ ସିଡବ୍ଲୁସିର ୧୨ ଜଣିଆ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ ପରେ ବିଶ୍ବବ୍ୟାଙ୍କ ପକ୍ଷରୁ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣର ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୨୦୧୮ ମସିହା ଜୁଲାଇ ମାସରେ ଏ ସଂକ୍ରାନ୍ତରେ ଟାଟା ଓ ତୁର୍କିର ଏଜି ଗ୍ରୁପ୍‌ ସହିତ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏଥିପାଇଁ ୩୬୯.୫୩ କୋଟି ଟଙ୍କାର ଅଟକଳ ରଖାଯାଇଛି। ସ୍ପିଲ୍‌ୱେ ପାଇଁ ୩୧୧ ଏକର ଜମି ଅଧିଗ୍ରହଣର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ କେବଳ ୧୫୭ ଏକର ଘରୋଇ ଜମି । ଜମି ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ସ୍ପିଲ୍‌ୱେ କାର୍ଯ୍ୟ ଆଗକୁ ବଢ଼ିପାରି ନ ଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଉଛି। କମ୍ପାନି ପକ୍ଷରୁ ଜାନୁଆରି ମାସରେ ଦିଆଯାଇଥିବା ଏକ ଚିଠିରେ କୁହାଯାଇଥିଲା ଯେ, ଅକ୍ଟୋବର ମାସରୁ ଯେଉଁ ଜମି କମ୍ପାନିକୁ ହସ୍ତାନ୍ତର କରାଯିବାକୁ ଥିଲା, ତାହା ଜାନୁଆରି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଏଥିଯୋଗୁଁ ନିର୍ମାଣ ବିଳମ୍ବ ହେବା ଦର୍ଶାଇ ଅତିରିକ୍ତ ପ୍ରାପ୍ୟ ପାଇଁ ଠିକା ସଂସ୍ଥା ଟାଟା-ଏଜି ଆବେଦନ କରିଥିଲା। ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇପାରି ନ ଥିବାରୁ ସମ୍ଭବତଃ କମ୍ପାନି କାର୍ଯ୍ୟରୁ ଓହରି ଯାଇଥିବା କୁହାଯାଉଛି।

ତେବେ ଏ ସଂପର୍କରେ ଟାଟା କମ୍ପାନିର ମତାମତ ମିଳିପାରି ନାହିଁ। ଅପରପକ୍ଷରେ ଅତିରିକ୍ତ ସ୍ପିଲ୍‌ୱେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ୨୦୧୯ ମସିହା ଜାନୁଆରି ମାସରୁ ସରକାରଙ୍କ ପକ୍ଷରୁ କମ୍ପାନିକୁ ଗୋଟିଏ ପଟର ଜମି ପ୍ରଦାନ କରାଯାଇଛି। କମ୍ପାନି ପକ୍ଷରୁ ୪ ଲକ୍ଷ କ୍ୟୁବିକ ମିଟର ମାଟି ଖୋଳାଯାଇଛି। ଏଥିପାଇଁ ୧୨ କୋଟି ପ୍ରାପ୍ୟ ରିଲିଜ୍‌ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନିକୁ ଯେତିକି ଜମିରେ କାମ ପାଇଁ କୁହାଯାଇଥିଲା, ସେତିକି କରି ପାରି ନାହିଁ। ତେଣୁ ପେନାଲ୍‌ଟି ଭୟରେ କମ୍ପାନି ସରକାରଙ୍କ ଉପରେ ଦୋଷ ଲଦୁଛି।

ସମ୍ବନ୍ଧିତ ଖବର