ହୀରାକୁଦ ଡ୍ୟାମରେ ଅତିରିକ୍ତ ସ୍ପିଲ୍‌ ଓ୍ଵ ପାଇଁ ଟାଟା ସହ ଚୁକ୍ତି : ୩୬୯.୫୩ କୋଟି ବ୍ୟୟରେ ନିର୍ମାଣ ହେବ ୫ଟି ସ୍ପିଲ ଓ୍ଵ, ତୁର୍କୀର ‘ଏଜ୍‌’ କଂପାନି ଯୋଗାଇବ ବୈଷୟିକ ସହାୟତା

ସମ୍ବଲପୁର : ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ୩୬୯.୫୩ କୋଟି ଟଙ୍କା ବ୍ୟୟରେ ୫ଟି ଅତିରିକ୍ତ ସ୍ପିଲ୍‌ ଓ୍ଵ ନିର୍ମାଣ କରାଯିବ। ଶୁକ୍ରବାର ସନ୍ଧ୍ୟାରେ ଅଶୋକ ନିବାସରେ ଟାଟା ପ୍ରୋଜେକ୍ଟ ଏବଂ ହୀରାକୁଦ ବନ୍ଧ କର୍ତୃପକ୍ଷଙ୍କ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷର ହୋଇଛି। ଟାଟା ପ୍ରୋଜେକ୍ଟ ପକ୍ଷରୁ ଉପସଭାପତି ଗୌତମ ସାହା ଏବଂ ହୀରାକୁଦ ବନ୍ଧ କର୍ତୃପକ୍ଷ ପକ୍ଷରୁ ନବଗଠିତ ଅତିରିକ୍ତ ସ୍ପିଲ ଓ୍ଵ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସ୍ପିଲ୍‌ ଓ୍ଵ ନିର୍ମାଣ ଅବଧି ୩୦ ମାସ ରଖାଯାଇଛି। କାର୍ଯ୍ୟ ଆରମ୍ଭ ଦିବସଠାରୁ ଏହି ଅବଧି ଆରମ୍ଭ ହେବ। ସ୍ପିଲ ନିର୍ମାଣରେ ବିଶେଷ ଅଭିଜ୍ଞତା ରହିଥିବା ତୁର୍କୀର ‘ଏଜ’ କଂପାନି ଟାଟାକୁ ବୈଷୟିକ ସହାୟତା ଯୋଗାଇବ। ଚୁକ୍ତି ସ୍ୱାକ୍ଷର ସମୟରେ ‘ଏଜ୍‌’ କଂପାନିର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଏହି କଂପାନିର ବୈଷୟିକ କର୍ମଚାରୀମାନେ ଇତିମଧ୍ୟରେ ହୀରାକୁଦକୁ ପହଂଚି ସାରିଛନ୍ତି। ତେବେ ବର୍ଷା ପରେ ସମ୍ଭବତଃ ସେପ୍‌ଟେମ୍ବରରୁ ହିଁ ସ୍ପିଲେଓ୍ଵ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ.ରାଉତ ସୂଚନା ଦେଇଛନ୍ତି।

ଏହା ସହିତ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ। ହୀରାକୁଦରେ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ ପାଇଁ କାର୍ଯ୍ୟାଳୟ ଇତିିମଧ୍ୟରେ ପ୍ରସ୍ତୁତ ହୋଇଥିବା ବେଳେ ଶୀଘ୍ର ଜଣେ ଅଧିକାରୀ ଏହି ପଦ ପାଇଁ ନିଯୁକ୍ତି ପାଇବେ ବୋଲି ସେ ନିର୍ବାହୀ ଯନ୍ତ୍ରୀ ଇଂ, ରାଉତ କହିଛନ୍ତି।

ହୀରାକୁଦ ବନ୍ଧରୁ ଜଳ ନିଷ୍କାସନ ପାଇଁ ୬୪ଟି ସ୍ଲୁଇସ୍‌ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି। ତେବେ ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ବିଶ୍ୱବ୍ୟାଙ୍କ ସହାୟତାରେ କେନ୍ଦ୍ର ଜଳ ଆୟୋଗ ଜରିଆରେ ବନ୍ୟା ଜଳ ନିଷ୍କାସନ ପାଇଁ ବନ୍ଧର ହୀରାକୁଦ ସହର ପାର୍ଶ୍ୱରେ ଅତିରିକ୍ତ ସ୍ପିଲ୍‌ ନିର୍ମାଣ କରାଯିବ। ପ୍ରକଳ୍ପ ଦ୍ୱାରା ହୀରାକୁଦ ବନ୍ଧ ତଳେ ଜଳ ସଂପଦ ବିଭାଗର ଜମିରେ ଘର କରି ରହୁଥିବା ଗାନ୍ଧୀନଗର, ଫାଷ୍ଟ ଗେପ୍‌, ଲକ୍ଷ୍ମୀ ନଗର, ଗୁଜାତଳ, କେଉଁଟପଡ଼ା, କେବୁଲ କଲୋନି ଆଦି ପଡ଼ାର ୭୧୬ରୁ ଅଧିକ ପରିବାର ବିସ୍ଥାପିତ ହେବେ। ଏଥିପାଇଁ ହୀରାକୁଦ ବନ୍ଧ କର୍ତୃପକ୍ଷ ଓସିସି ଜରିଆରେ ସିଏମ୍‌ସି ସଂସ୍ଥା ପକ୍ଷରୁ ସାମାଜିକ ସର୍ବେକ୍ଷଣ କରାଇଛି। ଗତ ୨୬ ସେପ୍‌ଟେମ୍ବର ହୀରାକୁଦରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଏଠାକାର ବିସ୍ଥାପିତ ଲୋକଙ୍କୁ ଚିପିଲିମା, ବସନ୍ତପୁର, ଲରବଂଗା ଏବଂ ସୋନବନ୍ଦ ସୋଲପାଲି ଆଦି ୪ଟି ଜାଗାରେ ଗୃହ ନିର୍ମାଣ ପାଇଁ ଜମି ଯୋଗାଇ ଦେବ। ହୀରାକୁଦ ସହରଠାରୁ ଚିପିଲିମା ଓ ବସନ୍ତପୁର ଯାଥାକ୍ରମେ ୩୦ ଓ ୨୮ କିଲୋମିଟର ଦୂରରେ ରହିଥିବାରୁ ସେଠାକୁ ଗଲେ ବିସ୍ଥାପିତ ପରିବାରକୁ ୪ ଡେସିମିଲ ଲେଖାଏଁ ଏବଂ ଯଥାକ୍ରମେ ୮ ଓ ୩ କିଲୋମିଟର ଦୂରତାରେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ଥିବା ଲରବଂଗା ଓ ସୋନବନ୍ଦ ସୋଲପାଲିରେ ରହିଲେ ୨ ଡେସିମିଲ ଜମି ଦିଆଯିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର