ହୀରାକୁଦ ଜଳସ୍ତର ୧୧ ଫୁଟ୍‌ ଖସିଲା,୭ ଗେଟ୍ ବନ୍ଦ ହେଲା

ସମ୍ବଲପୁର : ୪ ଦିନରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧୦ ଫୁଟ୍‌ରୁ ଅଧିକ ହ୍ରାସ ପାଇବା ପରେ ‌େସାମବାର ୨ଟି ପର୍ଯ୍ୟାୟରେ ୭ଟି ଗେଟ୍ ବନ୍ଦ ବନ୍ଦ କରି ଦିଆଯାଇଛି। ସୋମବାର ଦିନ ୯ଟାରୁ ୧୦ଟା ମଧ୍ୟରେ ୩ ଓ ରାତି ୯ଟାରୁ ୧୦ଟା ମଧ୍ୟରେ ୪ଟି ଗେଟ୍‌ ବନ୍ଦ କରାଯାଇଥିଲା। ଏହାପରେ ବର୍ତ୍ତମାନ ୮ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖ ଦିନ ୧୦ଟାରେ ପ୍ରଥମ କରି ହୀରାକୁଦ ଗେଟ୍ ଖୋଲିବା ବେଳକୁ ଜଳସ୍ତର ୬୧୮.୦୪ରେ ପହଞ୍ଚି ସାରିଥିଲା। ଉକ୍ତ ଦିନ ୧୦ଟି ଗେଟ୍ ଖୋଲା ଯାଇଥିଲାବେଳେ ପରେ ୨ଟି ପର୍ଯ୍ୟାୟରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା। ସୋମବାର ସକାଳ ୮ଟା ବେଳକୁ ଜଳସ୍ତର ୬୦୮.୫୬ ଫୁଟ୍‌କୁ ଖସି ଆସିଥିଲା। ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇଥିବାରୁ ସୋମବାର ସଂଧ୍ୟା ୬ଟା ବେଳେ ଜଳସ୍ତର ୬୦୭.୧୭ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାରକୁ ୫୩,୮୮୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୯୩,୩୮୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେର ୮ ଓ ଡାହାଣ ସ୍ପିଲ୍‌ୱେର ୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଥିଲା। ସଂଧ୍ୟା ୬ଟାରେ ହୀରାକୁଦ ତଳ ମୁଣ୍ଡରେ ବେଲଗାଁଠାରେ ୧୧,୨୦୦ କ୍ୟୁସେକ୍‌, ପଥର୍ଲାଠାରେ ୨୦,୮୨୯ କ୍ୟୁସେକ୍‌, ଖଇରମାଳଠାରେ ୩,୧୦ ହଜାର କ୍ୟୁସେକ୍‌, ବରମୂଳଠାରେ ୨,୫୩,୬୨୫ କ୍ୟୁସେକ୍‌, ମୁଣ୍ଡଳିଠାରେ ୩,୧୮,୦୩୨ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ରାତି ୯ଟାରେ ବନ୍ଧର ଆଉ ୪ଟି ଗେଟ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ, ରାତିରେ ଆଉ ୮ଟି ଗେଟ୍ ଖୋଲା ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୨.୫୮ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୩.୭ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର