ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଖୋଲିଲା ହୀରାକୁଦର ୧୨ଟି ଗେଟ୍‌

ସମ୍ବଲପୁର : ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ୧୨ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ସୁଦ୍ଧା ଜଳ ଭଣ୍ଡାରର ୫ଟି ଗେଟ୍‌ ଖୋଲା ଥିଲାବେଳେ ଶୁକ୍ରବାର ସନ୍ଧ୍ୟା‌ ସୁଦ୍ଧା ଆଉ ୭ଟି ଗେଟ୍‌ ଖୋଲାଯାଇଛି। ଶୁକ୍ରବାର ସକାଳ ୭ଟାରୁ ୮ଟା ମଧ୍ୟରେ ୩ଟି, ଦିନ ୧ଟା ରୁ ୨ଟା ମଧ୍ୟରେ ୨ଟି, ସଂଧ୍ୟା ୪ଟାରୁ ୫ଟା ଆଉ ୨ଟି ଗେଟ୍ ଖୋଲା ଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୬ଟା ବେଳକୁ ବାମ ସ୍ପିଲ୍‌ୱେ’ର ୯ ଓ ଡାହାଣ ପାର୍ଶ୍ବର ୩ଟିକୁ ମିଶାଇ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଥିଲା। ଏହି ସମୟରେ ହୀରାକୁଦ ଜଳସ୍ତର ୬୨୮.୩୩ ଫୁଟ୍ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ୨,୫୨,୧୯୯ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୧୬ ହଜାର ୩୮୦ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧,୯୫,୭୨୦ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୮,୧୫୪ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୨,୩୩୬ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୯ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୬୯,୮୪୭ କ୍ୟୁସେକ୍‌, ଖଇରମାଳଠାରେ ୨ ଲକ୍ଷ ୧୦ ହଜାର ୫୦୦ କ୍ୟୁସେକ୍‌, ବରମୂଳଠାରେ ୧ ଲକ୍ଷ ୯୪ ହଜାର ୩୭୫ କ୍ୟୁସେକ୍‌, ମୁଣ୍ଡଳିଠାରେ ୩ ଲକ୍ଷ ୨୬ ହଜାର ୭୯୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର