ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ଓ ସମ୍ଭାବ୍ୟ ପାଣିପାଗ କାରଣରୁ ବୁଧବାର ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ସୋମବାରଠାରୁ ୧୦ଟି ଗେଟ୍ ଖୋଲା ଥିଲାବେଳେ ବୁଧବାର ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ମୋଟ ୧୪ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ବାମ ସ୍ପିଲ୍‌ୱେ'ର ୯ ଓ ଡାହାଣ ସ୍ପିଲ୍‌ୱେ'ର ୫ଟି ଖୋଲା ରହିଛି।

Advertisment

ଅପରପକ୍ଷରେ ପ୍ରବେଶ ତୁଳନାରେ ଅଧିକ ଜଳ ନିଷ୍କାସନ କାରଣରୁ ଜଳଭଣ୍ଡାରରସ୍ତର ପୁଣିଥରେ ତଳକୁ ଖସିଛି। ବୁଧବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୬.୭୧ ଫୁଟ୍‌କୁ ଖସି ଆସିଥିଲା। ସେତିକିବେଳେ ଜଳଭଣ୍ଡାରକୁ ହାରାହାରି ୭୧,୫୨୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨,୨୮,୦୩୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସ୍ପିଲ୍‌ୱେ'ର ୧୪ଟି ଗେଟ୍‌ ଦେଇ ୨,୦୪,୬୧୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୧୯,୩୯୫ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲକୁ ୩,୧୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୫୦୦ କ୍ୟୁସେକ୍‌, ସମ୍ବଲପୁର
ଡିଷ୍ଟ୍ରିବ୍ୟୁଟାରିକୁ ୭୭ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ପଥର୍ଲାଠାରେ ୧୭,୪୫୦ କ୍ୟୁସେକ୍‌, ଖଇରମାଳଠାରେ ୨,୨୩,୫୦୦ କ୍ୟୁସେକ୍‌, ବରମୂଳଠାରେ ୧,୮୭,୬୨୫ କ୍ୟୁସେକ୍‌, ମୁଣ୍ଡଳିଠାରେ ୧,୩୨, ୬୦୨ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩୪.୭୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୬.୨୮ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।