ଉଛୁଳୁଥିବା ହୀରାକୁଦକୁ ପଶୁଛି ଅଢ଼େଇ ଲକ୍ଷ କ୍ୟୁସେକ୍‌ ଜଳ, ୧୪ ଗେଟ୍‌ ଦେଇ ଛଡ଼ା ଯାଉଛି ସମ ପରିମାଣର ଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ପାଣି ଏହାର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ରେ ଉଛୁଳୁ ଥିବାବେଳେ ଲଗାତାର ୩ ଦିନ ହେଲା ଜଳ ପ୍ରବେଶ ବଢ଼ି ଚାଲିଛି। ଏହି କାରଣରୁ ଶନିବାର ମୋଟ ୧୪ଟି ଗେଟ୍ ଖୋଲା ଯାଇଛି। ଉପର ମୁଣ୍ଡରେ ବର୍ଷା କାରଣରୁ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବେଶ କରୁଥିଲାବେଳେ ସମାନ ପରିମାଣର ପାଣି ନିଷ୍କାସନ କରାଯାଉଛି। ଶୁକ୍ରବାର ୧୦ଟି ଗେଟ୍‌ ଖୋଲା ଥିବାବେଳେ ଶୁକ୍ରବାର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୧୪ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଶନିବାର ସକାଳ ୯ଟାରୁ ୧୦ଟା ମଧ୍ୟରେ ୨ଟି ଓ ସଂଧ୍ୟା ୪ଟାରୁ ୫ଟା ମଧ୍ୟରେ ଆଉ ୨ଟି ଗେଟ୍ ଖୋଲା ଯାଇଥିଲା। ରାତି ୯ଟା ବେଳକୁ ଜଳସ୍ତର ୬୩୦ ଫୁଟ୍ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୨,୪୮,୪୯୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ତନ୍ମଧରୁ ବାମ ସ୍ପିଲ୍‌ୱେ’ର ୧୦ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍‌ ଗେଟ୍ ଦେଇ ୨,୩୦,୧୬୦ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୪,୩୪୮ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୮୧୫ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୮ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୩୦,୬୫୧ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୬୦ ହଜାର କ୍ୟୁସେକ୍‌, ବରମୂଳରେ ୨ ଲକ୍ଷ ୧୨ ହଜାର କ୍ୟୁସେକ୍‌, ମୁଣ୍ଡଳିରେ ମୁଣ୍ଡୁଳିରେ ୧ ଲକ୍ଷ ୫୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫.୬୭ ମିମି ଓ ତଳ ମୁଣ୍ଡରେ ୨.୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର