ହୀରାକୁଦ ଡ୍ୟାମର ଆଉ ୫ ଗେଟ୍ ଖୋଲିଲା, ଜଳସ୍ତର ୬୦୦ ଫୁଟ୍‌ରେ ସ୍ଥିର

ସମ୍ବଲପୁର : ପୂର୍ବରୁ ୫ଟି ଗେଟ୍‌ ଖୋଲା ଥିଲାବେଳେ ବୁଧବାର ୨ଟି ପର୍ଯ୍ୟାୟରେ ହୀରାକୁଦ ବନ୍ଧର ଆଉ ୫ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୧୦ଟି ଗେଟ୍‌ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ବୁଧବାର ସକାଳ ୬ଟାରୁ ୭ଟା ମଧ୍ୟରେ ୨ଟି, ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ଆଉ ୩ଟି ଗେଟ୍ ଖୋଲିଥିଲା। ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୦୦.୫୦ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୧୩,୧୦୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୫୬,୮୬୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା।

ରାତି ୯ଟା ବେଳେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୪ ହଜାର କ୍ୟୁସେକ୍, ପଥର୍ଲାଠାରେ ୪୫ ହଜାର କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୫୪ ହଜାର କ୍ୟୁସେକ୍‌, ବରମୂଳଠାରେ ୯୧ ହଜାର ୫୦୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୧ ଲକ୍ଷ ୩ ଜହାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୦.୮୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୦.୬୩ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର