ଶୀର୍ଷ ସ୍ତରରେ ହୀରାକୁଦ, ୩ ସ୍ଲୁଇସ୍‌ ଗେଟ୍‌ ଖୋଲା

ସମ୍ବଲପୁର : ସୋମବାର ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ସକାଳେ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଥିବା ବେଳେ ରାତି ୯ଟାରେ ପୁଣି ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ସର୍ବମୋଟ ୩ ଗେଟ୍‌ ଦେଇ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଜଳଭଣ୍ଡାରକୁ ୮୩,୧୭୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୪,୧୧୮ କ୍ୟୁସେକ ନିଷ୍କାସିତ ହେଉଛି। ଏଥିରୁ ସ୍ଲୁଇସ୍‌ ଗେଟ୍‌ରେ ୩୫,୧୭୯ କ୍ୟୁସେକ, କେନାଲଗୁଡ଼ିକରେ ୪,୮୯୪ କ୍ୟୁସେକ ଓ ପାଓ୍ଵାର ଚାନେଲରେ ୨୪,୦୪୫ କ୍ୟୁସେକ ଜଳ ଛଡ଼ାଯାଇଛି।

ମହାନଦୀ ଶଯ୍ୟା(ବେଡ୍‌ ଲେବଲ) ସମୁଦ୍ର ପତ୍ତନରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାରୁ ଏଥିରେ ସର୍ବାଧିକ ୧୩୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଣି ରହିପାରିବ। ହୀରାକୁଦରେ ଜଳ ପରିଚାଳନା ଶେଷଥର ପାଇଁ ୧୯୮୮ ମସିହାରେ ରୁଲ୍‌ କର୍ଭ ତିଆରି ହୋଇଥିଲା। ଜଳଭଣ୍ଡାରରେ କେଉଁ ସମୟରେ କେତେ ପାଣି ରଖାଯିବ, ତାହା ରୁଲ୍‌ କର୍ଭ ଉପରେ ନିର୍ଭର କରିଥାଏ। ଏହି ରୁଲ୍‌ କର୍ଭ ଅନୁଯାୟୀ ପ୍ରତ୍ୟେକ ବର୍ଷ ୧୧ ଅଗଷ୍ଟରେ ଜଳସ୍ତର ୬୧୫ ଫୁଟ୍‌ ରଖାଯାଇଥାଏ। ଆଉ ୩୦ ସେପ୍‌ଟେମ୍ବରରେ ଜଳସ୍ତର ଏହାର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ ରଖାଯାଇଥାଏ।

ମହାନଦୀ ପାଣି ବିବାଦ ଯୋଗୁଁ ରାଜ୍ୟ ଜଳ ସଂପଦ ବିଭାଗ ହୀରାକୁଦର ଜଳ ପରିଚାଳନା ନୀତିରେ ପରିର୍ବତନ ଆଣିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୨୩ ତାରିଖ ଦିନ ହୀରାକୁଦର ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ମହାନଦୀରେ ଜଳ ପ୍ରବାହ କମିବା କାରଣରୁ ଜୁଲାଇ ପରେ ଆଉ ହୀରାକୁଦର ଗେଟ୍‌ ଖୋଲାଯାଇନଥିଲା। ଜଳସ୍ତର ୬୨୧.୬୫ ଫୁଟ୍‌ରେ ପହଂଚିବା ପରେ ଅଚାନକ ଖସିବା ଆରମ୍ଭ କରିଥିଲା। ମାତ୍ର ଛତିଶଗଡ଼ ସରକାର ତାଙ୍କ ବିଭିନ୍ନ ବ୍ୟାରେଜର ଗେଟ୍‌ ଖୋଲି ମହାନଦୀରେ ବ୍ୟପାକ ମାତ୍ରାରେ ପାଣି ଛାଡ଼ିବା ଯୋଗୁଁଁ ଅଚାନକ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ଏଭଳି ସ୍ଥିତିରେ ୩୦ ସେପ୍‌ଟେମ୍ବର ପୂର୍ବରୁ ଜଳସ୍ତର ଏହାର ଶୀର୍ଷ ସ୍ତରରେ ପହଂଚି ଯାଇଛି।

ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରର ୬୪ଟି ସ୍ଲୁଇସ୍‌ ଗେଟ୍‌ ଓ ୩୪ଟି କ୍ରିଷ୍ଟ ଗେଟ୍‌ ରହିଛି। ସର୍ବମୋଟ୍‌ ୯୮ଟି ଗେଟ୍‌ ମଧ୍ୟରୁ ୨୦ ସେପ୍‌ଟେମ୍ବର ୧୯୮୦ରେ ସର୍ବାଧିକ ୮୮ଟି ଗେଟ୍‌ (୫୫ଟି ସ୍ଲୁଇସ୍‌ ଗେଟ୍‌ ଓ ୩୦ଟି କ୍ରିଷ୍ଟ ଗେଟ୍‌) ଖୋଲା ଯାଇଥିବା ଜଣାପଡ଼ିଛି। ବନ୍ୟା ଜଳ ନିଷ୍କାସନ ପାଇଁ ଏବେ ଅତିରକ୍ତ ସ୍ପିଲ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨୮ ଜୁନ୍‌ ୧୯୭୩ରେ ହୀରାକୁଦରେ ସବୁଠାରୁ କମ୍‌ ପାଣି ରହିଥିଲା। ଏହି ଦିନ ଜଳସ୍ତର ଥିଲା ମାତ୍ର ୫୮୪ ଫୁଟ୍‌। ଗତ ୧୯୭୪ରେ ସର୍ବୋଚ୍ଚ ଜଳସ୍ତର ୬୧୩ ଫୁଟ୍‌ରେ ସୀମିତ ରହିଥିଲା। ଜଳସ୍ତର ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ସକାଳ ଅଧିକ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର