ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଏହାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟ୍ରେ ସ୍ଥିର ରହିଛି। ଅତିରିକ୍ତ ଜଳ ନିଷ୍କାସନ ପାଇଁ ଗୁରୁବାର ରାତି ୮ଟାରେ ଆଉ ଏକ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ବାମ ସ୍ପିଲ୍ୱେ’ର ୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ଅପରପକ୍ଷରେ ଓପିଟିସିଏଲ୍ ଫିଡର୍ରେ ସୃଷ୍ଟ କଣ୍ଡକ୍ଟର ସମସ୍ୟାର ମରାମତି ପରେ ବୁଧବାର ରାତିରୁ ବୁର୍ଲା ଜଳ ବିଦ୍ୟୁତ୍ କେନ୍ଦ୍ରରୁ ପୂର୍ଣ୍ଣ କ୍ଷମତାରେ ଶକ୍ତି ଉତ୍ପାଦନ ଜାରି ରହିଛି। ବୁର୍ଲାର ୭ଟି ଓ ଚିପିଲିମାର ୩ଟି ଯାକ ୟୁନିଟ୍ କାର୍ଯ୍ୟ କରୁଛି ବୋଲି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି। ତେଣୁ ବନ୍ଧ କର୍ତ୍ତୃପକ୍ଷ ପାୱାର୍ ଚାନେଲ୍କୁ ଆବଶ୍ୟକତା ଅନୁଯାୟୀ ପୂର୍ଣ୍ଣ କ୍ଷମତାରେ ଜଳ ଛାଡ଼ୁଛନ୍ତି।
ଗୁରୁବାର ରାତି ୯ଟା ବେଳେ ହୀରାକୁଦ ଜଳସ୍ତର ୬୩୦ ଫୁଟ୍ରେ ସ୍ଥିର ଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୭୪,୫୮୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଦୁଇଟି ସ୍ଲୁଇସ୍ ଗେଟ୍ ଦେଇ ୩୨,୮୮୦ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୬,୭୭୨ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩,୯୫୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୧୪.୧୩ ମିଲିମିଟର୍ ଓ ତଳ ମୁଣ୍ଡରେ ୧.୧୩ ମିମି ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/hirakud-dam-02.jpg)