ଭୁବନେଶ୍ବର: ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଲୋକମାନଙ୍କୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଘଟିଥିବା କିଛି ଗୁରୁତ୍ବପୂର୍ଣ୍ଣ ଘଟଣା ମନେ ପକାଇବାକୁ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ‘ଦେଶ କା ଗୌରବ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଆଠଟି ଗୁରୁତ୍ବପୂର୍ଣ୍ଣ ଘଟଣାକୁ ସାମିଲ କରାଯାଇଛି। ସେଥିରୁ ଗୋଟିଏ ହେଉଛି ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ। ତାହାକୁ ନେଇ କଂପାନି ପକ୍ଷରୁ ଚା’ର ଏକ ୨୫୦ ଗ୍ରାମ ବିଶିଷ୍ଟ ସ୍ବତନ୍ତ୍ର ଟିଣ ପ୍ୟାକ୍ ପ୍ରସ୍ତୁତ କରାଯାଇଛି। ସେହି ପ୍ୟାକ୍ରେ ହୀରାକୁଦ ନଦୀବନ୍ଧର ଛବିକୁ ସ୍ଥାନିତ କରାଯାଇଛି। ଆଜି ‘ସମ୍ବାଦ’ ସହ ଭର୍ଚୁଆଲ୍ ମାଧ୍ୟମରେ ସ୍ବତନ୍ତ୍ର ଆଲୋଚନା କରି ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ର ସଭାପତି (ପ୍ୟାକେଜଡ୍ ବେଭରେଜେସ୍) ପୁନିତ ଦାସ ଏହା କହିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ ଭାରତ କା ଗୌରବ ଅଭିଯାନର ପ୍ୟାକ୍ଗୁଡ଼ିକ ସ୍ବତନ୍ତ୍ର ଭାବେ ଆମାଜନ୍ରେ ଉପଲବ୍ଧ ହୋଇଛି। ଏହାବ୍ୟତୀତ ସ୍ବତନ୍ତ୍ର କଳାକୃତିର କପ୍ ପ୍ଲେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ହୀରାକୁଦ ନଦୀବନ୍ଧର ଛବିକୁ ସ୍ଥାନିତ କରାଯାଇଛି। ଏହି ଉତ୍ପାଦଗୁଡ଼ିକ ବିକ୍ରିରୁ ଯେଉଁ ପାଣ୍ଠି ହାସଲ ହେବ ତାହାକୁ ପ୍ଲେଟେଡ୍ ପ୍ରୋଜେକ୍ଟ ନାମକ ଏକ ସଂସ୍ଥାକୁ ପ୍ରଦାନ କରାଯିବ, ଯାହା କ୍ଷୁଧାର୍ତମାନଙ୍କ ପାଇଁ କାମ କରୁଛି। କଂପାନି ଦେଶର ପ୍ରତି ବଡ଼ ଘଟଣାକ୍ରମକୁ ନେଇ ୫୦ ଲେଖାଏଁ କଳାକୃତି ପ୍ରସ୍ତୁତ କରିଛି। ଏହି ସୀମିତ ସଂସ୍କରଣର ଉତ୍ପାଦଗୁଡ଼ିକ ସୀମିତ ସମୟ ପାଇଁ ଉପଲବ୍ଧ ହେବ। ଏହି ଅଭିଯାନରେ ସାମିଲ ଥିବା ଉତ୍ପାଦଗୁଡ଼ିକ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଲାଗି କଂପାନି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି।