ହୀରାକୁଦରୁ ୨ଟି ଗେଟ୍‌ ଖୋଲିଲା, ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର/ତ୍ରିଶୁଳିଆ : ରବିବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଦିନ ୧୧ଟା ସମୟରେ ପୂଜାର୍ଚ୍ଚନା ପରେ ଜଳଭଣ୍ଡାରର ବାମ ପାର୍ଶ୍ବରୁ ୭ ନମ୍ବର ଗେଟ୍ ‌ଖୋଲାଯାଇଥିବା ବ‌େଳେ କିଛି ସମୟ ପରେ ଅନ୍ୟ ଏକ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଗେଟ୍ ଖୋଲାଯିବା ବେଳେ ଜଳଭଣ୍ଡାର ଜଳସ୍ତର ରହିଥିଲା ୬୦୯.୪୭ ଫୁଟ୍।

ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯. ୫୨ ଫୁଟରେ ପହଂଚିଥିଲା। ଜଳଭଣ୍ଡାରକୁ ୬୦ ହଜାର ୮୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବ‌ା ବେଳେ ୫୪ ହଜାର ୦୫୬ କ୍ୟୁସେକ ନିଷ୍କାସିତ ହେଉଥିଲା। ଏଥିରୁ ଦୁଇଟି ଗେଟ୍ ଜରିଆରେ ମହାନଦୀରେ ୨୯,୬୪୨ କ୍ୟୁସେକ ଜଳ ଛଡ଼ାଯାଇଥିଲା। ପାୱାର ଚା‌େନଲରେ ୧୯ ହଜାର ୮୪୨ ଓ ବିଭିନ୍ନ କେନାଲରେ ୪ ହଜାର ୩୦୦ କ୍ୟୁସେକ ପାଣି ଛଡ଼ାଯାଇଥିଲା। ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ପ୍ରୋକ୍ୟୁ‌ରମେଣ୍ଟ) ସୁନୀଲ ନାୟକ ଓ ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର ଆଜି ଗେଟ୍ ଖୋଲିଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ, ଏସ୍‌ପି ବି. ଗଙ୍ଗାଧର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି, ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ସୁଧୀର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ଗେଟ୍ ଖୋଲିବା ସମୟରେ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ଜଳଭଣ୍ଡାର ସ୍ପିଲୱେ ନିକଟକୁ ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣଙ୍କୁ ଛଡ଼ାଯାଇନଥିଲା। ମୁଣ୍ତଳୀଠାରେ ୪୮ ଘଣ୍ଟା ଅର୍ଥାତ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ମହାନଦୀର ବନ୍ୟାଜଳ ଆସି ପହ‌ଞ୍ଚିବ ବୋଲି ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷ୍ୟରେ ଗେଟ୍‌ର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହ‌ଞ୍ଚିଛି। ତଳିଆ ଅଞ୍ଚଳ ପାଇଁ କୌଣସି ବିପଦର ସୂଚନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହା ଜୁନ ୨୬ ତାରିଖ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ବେଳେ ୨୦୧୯ ମସିହାରେରେ ଅଗଷ୍ଟ ୧୪ ତାରିଖ ଏବଂ ୨୦୧୮ ମସିହାରେ ଜୁଲାଇ ୨୪ ତାରିଖରେ ସେହିବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିଲା।

ସମ୍ବନ୍ଧିତ ଖବର