ହୀରାକୁଦ ବନ୍ଧ ସୁରକ୍ଷା ଚିନ୍ତା : ଡିସେମ୍ବରରୁ ସ୍ପିଲ୍‌ ଓ୍ଵ ଅଞ୍ଚଳର ସର୍ଭେ

ସମ୍ବଲପୁର : ଆସନ୍ତା ଡିସେମ୍ବର ମାସରେ ହୀରାକୁଦ ବନ୍ଧର ସ୍ପିଲ୍‌ ଓ୍ଵ ଅଂଚଳର ସର୍ଭେ କାମ ଆରମ୍ଭ ହେବ। ଏଥିପାଇଁ ୮.୩୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ହୀରକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି।

ଶ୍ରୀ ରାଉତ କହିଛନ୍ତି ଯେ, ଅଣ୍ଡର ଓ୍ଵାଟର ସର୍ଭେ ଓ ଆବଶ୍ୟକ ସ୍ଥଳେ ମରମତି ନିମନ୍ତେ ଜାତୀୟ ଟେଣ୍ଡର ଆହ୍ଵାନ କରାଯାଇଛି। ପ୍ରଥମ ଥର ହୋଇଥିବା ଟେଣ୍ଡର ଗୋଟିଏ କଂପାନି ଏଥିରେ ଭାଗ ନେଇଥିଲା। ତେଣୁ ଏହାକୁ ବାତିଲ କରାଯାଇଥିଲା। ଦ୍ୱିତୀୟ ଥର ଟେଣ୍ଡର ଆହ୍ଵାନ କରାଯାଇଛି। ଏଥିରେ ୩ଟି କଂପାନି ଭାଗ ନେଇଛନ୍ତି। ବର୍ଷା ଦିନରେ ପାଣି ଗୋଳିଆ ରହିଥାଏ। ଡିସେମ୍ବର ମାସରେ ପାଣି ସ୍ୱଚ୍ଛ ରହୁଥିବାରୁ ସର୍ଭେ ସୁବିଧାଜନକ ହେବ। ତେଣୁ ସେହି ସମୟରେ ଅଣ୍ଡର ଓ୍ଵାଟର ସର୍ଭେ କରାଯିବାକୁ ସ୍ଥିର ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ୨୦୧୫ ମସିହା ଡିସେମ୍ବର ୭ ତାରିଖରେ ହୀରାକୁଦ ବନ୍ଧର ସ୍ପିଲ୍‌ ଓ୍ଵ ଅଂଚଳର ମରାମତି ହୋଇଥିବା ଫାଟର ସ୍ଥିତି ଜାଣିବା ପାଇଁ ରିମୋଟ୍‌ ଅପରେଟେଡ୍‌ ଭେଇକିଲ୍‌(ରୋଭ୍‌) ଅଣ୍ଡର ଓ୍ଵାଟର ସର୍ଭେ ଆରମ୍ଭ ହୋଇଥିଲା। ଶକ୍ତିଶାଳୀ କ୍ୟାମେରା ଜରିଆରେ ଦୁଇଟି ପର୍ଯ୍ୟାୟରେ ସ୍ପିଲ େଓ୍ଵ ଏବଂ ପାଓ୍ଵାର ଡ୍ୟାମ୍‌ ଅଂଚଳର ସର୍ଭେ କାମ ୪ ଅପ୍ରେଲ ଶେଷ ହୋଇଥିଲା। ଭିଡିଓ ଓ ଚିତ୍ରର ଉତ୍ତୋଳନ ପରେ ଗତ ସେପ୍‌ଟେମ୍ବର ୨୦୧୬ରେ ସିଏସ୍‌ଏମ୍‌ଆର୍‌ଏସ୍‌ ରିପୋର୍ଟ ଦେଇଥିଲା। ରିପୋର୍ଟରେ ପାଓ୍ଵାର ଡ୍ୟାମ୍‌ ଅଂଚଳ ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଦର୍ଶାଯାଇଥିଲାବେଳେ ୬ ଟି ସ୍ଥାନରେ ସିମେଣ୍ଟ ଛାଡ଼ିଥିବା ଦେଖିବାକୁ ମିଳିଛି। ବାସ୍ତବରେ କେବଳ ସିମେଣ୍ଟ ଛାଡ଼ିଛି ନା’ ଫାଟ ରହିଛି, ସେ ନେଇ ଅଧିକ ସ୍ପଷ୍ଟ ହେବା ପାଇଁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର