ସମ୍ବଲପୁର : ହୀରାକୁଦ ନଦୀବନ୍ଧ (ଡ୍ୟାମ୍)ର ବୟସକୁ ଦେଖିଲେ ଏହାର ସ୍ଥିତି ସନ୍ତୋଷଜନକ। ଏଭଳି ରିପୋର୍ଟ ଦେଇଛି କେନ୍ଦ୍ରୀୟ ମୃତ୍ତିକା ଓ ଧାତବ ଗବେଷଣା ଷ୍ଟେସନ୍ (ସିଏସ୍ଏମ୍ଆର୍ଏସ୍)ର ବିଶେଷଜ୍ଞ ଟିମ୍। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ସିଏସ୍ଏମ୍ଆର୍ଏସ୍ର ୨ ଜଣ ବୈଜ୍ଞାନିକ ଗତ ୨, ୩ ଓ ୪ ତାରିଖ ୩ ଦିନ ଧରି ହୀରାକୁଦ ବନ୍ଧର ପୁଂଖାନୁପୁଂଖ ଯାଞ୍ଚ କରିଥିଲେ। ସେମାନେ ଅପରେସନ୍ ଗ୍ୟାଲେରି, ଫାଉଣ୍ଡେସନ୍ ଗ୍ୟାଲେରି, ସ୍ପିଲ୍ୱେ, ଗେଟ୍ ଆଦି ସହ ନଦୀବନ୍ଧର ସବୁ ଅଂଶର ଯାଞ୍ଚ କରିଥିଲେ। ପୂର୍ବରୁ ରହିଥିବା ଫାଟଗୁଡ଼ିକ ସମେତ ଡ୍ୟାମ୍ର ନିରାପତ୍ତା ସଂପର୍କିତ ସମସ୍ତ ଉପାଦାନର ଅନୁଧ୍ୟାନ କରିଥିଲେ। ଏହାପରେ ୨୧ ତାରିଖ ଦିନ ସେମାନେ ନିଜ ରିପୋର୍ଟ ପ୍ରଦାନ କରିଥିବା ଅପର୍ ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ଯାଞ୍ଚରୁ ବୟସ ଅନୁସାରେ ହୀରାକୁଦ ବନ୍ଧର କଂକ୍ରିଟ୍ ଓ ଯନ୍ତ୍ରାଂଶର ସ୍ଥିତି ସନ୍ତୋଷଜନକ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହ ବିସ୍ତୃତ ଯାଞ୍ଚ, ବିଭିନ୍ନ ସମସ୍ୟାର ନିର୍ଦ୍ଦିଷ୍ଟ ଭାବେ ଅନୁଧ୍ୟାନ ଓ ପ୍ରତିକାର ନିମନ୍ତେ ଆଉ ଏକ ଅନୁସନ୍ଧାନ ପାଇଁ ସେମାନେ ସୁପାରିସ୍ କରିଛନ୍ତି। ଏଥି ପାଇଁ ବ୍ୟୟ ଅଟକଳ ମଧ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ସେ ବାବଦ ଅର୍ଥ ଜମା କଲେ ସିଏସ୍ଏମ୍ଆର୍ଏସ୍ ଆଉ ଏକ ଟିମ୍ ଆସି ବିସ୍ତୃତ ଅନୁସଂଧାନ କରିବ ବୋଲି ଇଂ. ସାହୁ ସୂଚନା ଦେଇଛନ୍ତି। କି