ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ଗେଟ୍ ଖୋଲାଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ହେବ ବୋଲି ଗତକାଲି ସୂଚନା ଦିଆଯାଇଥିଲା। ସକାଳ ୧୦ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍‌ ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ପ୍ରତିବର୍ଷ ଗେଟ୍‌ ଖୋଲାଯିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଏହି ଦୃଶ୍ୟ ଉପଭୋଗ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁ ଏଥର କେବଳ ବିଧିରକ୍ଷାରେ ପୂଜା ହୋଇଥିଲା ଓ କାହାରିକୁ ସେଠାକୁ ଛଡ଼ାଯାଇ ନଥିବା ଜଣାଯାଇଛି।
ତେବେ ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ୯ ନମ୍ବର ଓ ତା ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍‌ ଖୋଲାଯାଇଛି।

Advertisment

ଗତ ୧୫ ତାରିଖରୁ ସୁନ୍ଦରଗଡ଼, କୁଚିଣ୍ଡା ଅଞ୍ଚଳରେ ବର୍ଷା ଯୋଗୁ ଭେଡ଼େନ୍‌ ନଦୀରେ ପାଣିପ୍ରବାହ ଏବଂ ଛତିଶଗଡ଼ ବ୍ୟାରେଜ୍‌ ଖୋଲା ହେବା ଯୋଗୁ,ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଥିଲା। ପୂର୍ବରୁ ବି ଜଳଭଣ୍ଡାରରେ ଅଧିକ ପାଣି ଥିବାରୁ ଜୁନ୍‌ ମାସରୁ ଗେଟ୍‌ ଖୋଲିବା ପାଇଁ ନଦୀବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ବୁର୍ଲା ଓ ଚିପିଲିମା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମଧ୍ୟ କ୍ଷମତା ଅନୁସାରେ ପାଣି ନେଉନଥିବାରୁ ଏତେ ଶୀଘ୍ର ଗେଟ୍‌ ଖୋଲିବାକୁ ନଦୀବନ୍ଧ କର୍ତ୍ତୃପକ୍ଷ ଏକରକମ ବାଧ୍ୟ ହୋଇଥିବା କିଛି ବିଶେଷଜ୍ଞ କହିଛନ୍ତି।