ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ଆଜି

ସମ୍ବଲପୁର : ମଙ୍ଗଳବାର ସକାଳ ୧୧ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି। ସୋମବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୪୫ଫୁଟ୍‌ରେ ପହଂଚିଥିବା ବେଳେ ଜଳଭଣ୍ଡାରକୁ ୧ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। କେବଳ ବିଦ୍ୟୁତ ଉତ୍ପାଦନ ପାଇଁ ଜଳଭଣ୍ଡାରରୁ ପାଓ୍ଵାର ଚାନେଲ ଦେଇ ୧୧ ହଜାର କ୍ୟୁସେକ ଜଳ ଛଡ଼ାଯାଇଥିବା ଅପର୍‌ ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ଜ୍ୟୋତି ରଥ ସୂଚନା ଦେଇଛନ୍ତି।

ଛତିଶଗଡ଼ ସରକାର ଅକ୍ଟୋବର ମାସ ଆରମ୍ଭରୁ କଲ୍‌ମା ବ୍ୟାରେଜର ଗେଟ ପକାଇବା ଆରମ୍ଭ କରିଥାନ୍ତି। ଅଣମୌସୁମୀ ଋତୁରେ କଲ୍‌ମା ବ୍ୟାରେଜ ସବୁ ଗେଟ୍‌ ବନ୍ଦ କରି ଦେଇଥିବା ଜୁନ୍‌ ୧୫ ପରେ ଧୀରେ ଧୀରେ ସବୁ ଗେଟ୍‌ ଖୋଲି ଦେଇଥାନ୍ତି। ଏବେ କଲ୍‌ମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲା ରହିଛି। ଗତ ୨୪ ଘଣ୍ଟା(ସକାଳ ସାଢ଼େ ୮ଟା ସୁଦ୍ଧା) ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ୪୧.୨୪ ମିମି ବର୍ଷା ଓ ତଳମୁଣ୍ଡରେ ୧୭.୨୨ ମିମି ବର୍ଷା ରେକର୍ଡ କରାଯାଇଛି। ସକାଳ ସାଢ଼େ ୮ଟା ପରଠାରୁ ଉପର ମୁଣ୍ଡରେ ବର୍ଷା ଏକଦମ୍‌ କମିଯାଇଛି। ସୋମବାର ସକାଳ ୯ଟାରେ ଜଳଭଣ୍ଡାରକୁ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ତେବେ ଏହା ପରଠାରୁ ଜଳ ପ୍ରବେଶ ହ୍ରାସ ପାଇବାରେ ଲାଗିଛି। ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ମଙ୍ଗଳବାର ୨୪ ତାରିଖ ଦିନ ୧୧ଟାରେ ବନ୍ୟା ଜଳ ନିଷ୍କାସନ କରାଯିବ। ଜଳଭଣ୍ଡାରର ଉଭୟ ପାର୍ଶ୍ୱ (ବୁର୍ଲା ଓ ହୀରାକୁଦ)ରୁ ୧୫ ସ୍ଲୁଇସ୍‌ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି। ତେବେ ପରିସ୍ଥିତିକୁ ଦେଖି ୨୦ଟି ପର୍ଯ୍ୟନ୍ତ ଗେଟ୍‌ ବି ଖୋଲା ଯାଇପାରେ ବୋଲି ମଧ୍ୟ ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି।

ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜୁଲାଇରୁ ୫ ଅଗଷ୍ଟ ଏବଂ ତୃତୀୟ ପର୍ଯ୍ୟାୟରେ ୧୧ରୁ ୧୬ ଅଗଷ୍ଟ ମଧ୍ୟରେ ବନ୍ୟା ଜଳ ନିଷ୍କାସନ କରାଯିବାର ଯୋଜନା ରହିଛି। ତେବେ ଜଳ ନିଷ୍କାସନ ଜଳଭଣ୍ଡାରର ଜଳସ୍ତର ଓ ଜଳ ପ୍ରବେଶ ମାତ୍ରା ଉପରେ ନିର୍ଭର କରେ ବୋଲି କୁହାଯାଇଛି। ହୀରାକୁଦ ଜଳଭଣ୍ଡାର ସମୁଦ୍ର ପତ୍ତନଠାରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ଏହି ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାରୁ ଏଠାରେ ୧୩୦ ଫୁଟ୍‌ ପାଣି ରହିଥାଏ। ରୁଲ୍‌ କର୍ଭ ଅନୁସାରେ, ୩୧ ଅକ୍ଟୋବର କିମ୍ବା ୧ ସେପ୍‌ଟେମ୍ବରରେ ଜଳସ୍ତର ଏହାର ଶୀର୍ଷରେ(୬୩୦ ଫୁଟ୍‌)ରେ ରଖାଯାଇଥାଏ।

ସମ୍ବନ୍ଧିତ ଖବର