ବହୁ ବନ୍ୟାର ମୂକସାକ୍ଷୀ ହୀରାକୁଦ, ବନ୍ୟା ନିୟନ୍ତ୍ରଣରେ ତଥାପି ଅସଫଳ

ନିର୍ମାଣ ହେବା ଦିନରୁ ୨୧ଟି ବଡ଼ ବନ୍ୟାର ସମ୍ମୁଖୀନ ହୋଇଛି ଓଡ଼ିଶା

ସମ୍ବଲପୁର : ମହାନଦୀ ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରାୟ ପ୍ରତିବର୍ଷ ଆସୁଥିବା ବନ୍ୟା ରୋକିବାକୁ ୫୦ ଦଶକରେ ବିଶ୍ବର ଦୀର୍ଘତମ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ସମ୍ବଲପୁର ସହର ଉପକଣ୍ଠରେ ମହାନଦୀ ବକ୍ଷରେ ହୀରାକୁଦ ବନ୍ଧ ଛିଡ଼ା ହେବା ପରେ ପ୍ରାୟ ପ୍ରତିବର୍ଷ ହେଉଥିବା ବନ୍ୟାରୁ ରକ୍ଷା ମିଳିଲା ସତ, କିନ୍ତୁ ଏହା ମହାନଦୀ ତ୍ରିକୋଣଭୂମି ଅଞ୍ଚଳକୁ ସଂପୂର୍ଣ୍ଣ ବନ୍ୟାମୁକ୍ତ କରିପାରିଲା ନାହିଁ। ଯେଉଁଯେଉଁ ବର୍ଷ ଅଧିକ ବର୍ଷା ହେଲା, ‌ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ଥିଲାବେଳେ ମହାନଦୀରେ ଅଧିକ ପାଣି ଆସିଲା, ସେହିସେହି ବର୍ଷ ହୀରାକୁଦରୁ ପାଣି ଛାଡ଼ିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଲେ। ହୀରାକୁଦର ପାଣି ସାଙ୍ଗକୁ ତଳମୁଣ୍ଡ ବର୍ଷା ପାଣି ମିଶି ଭୟଙ୍କର ବନ୍ୟା ବିତ୍ପାତ ସୃଷ୍ଟି କଲା। ହୀରାକୁଦ ବନ୍ଧ ନିର୍ମାଣ ହେବା ଦିନଠୁ ଓଡ଼ିଶା ୨୧ଟି ବଡ଼ ଧରଣର ବନ୍ୟାର ସମ୍ମୁଖୀନ ହୋଇଛି। ସେଥିରୁ ଅଧିକାଂଶ ବନ୍ୟାରେ ହୀରାକୁଦର ଛଡ଼ା ଯାଇଥିବା ପାଣି ହିଁ ପ୍ରମୁଖ କାରଣ ପାଲଟିଛି।

ବିଶ୍ବର ଅନ୍ୟତମ ନିର୍ମାଣ ଆଶ୍ଚର୍ଯ୍ୟ କହାଯାଉଥିବା ହୀରାକୁଦ ମୁଖ୍ୟବନ୍ଧରେ ଦୁଇଟି ସ୍ପିଲ୍‌ୱେ’ରେ ମୋଟ ୯୮ଟି ଗେଟ୍ ରହିଛି। ସେଥିରୁ ୬୪ଟି ସ୍ଲୁଇସ୍‌ ଗେଟ୍‌ ଯାହା ବନ୍ଧର ତଳ ଭାଗରେ ରହିଛି। ଆଉ ୩୪ଟି ରହିଛି କ୍ରାଏଷ୍ଟ ଗେଟ୍‌ ଯାହା ବନ୍ଧର ଉପର ଭାଗରେ ରହିଥାଏ। ସାଧାରଣତଃ ବନ୍ୟାଜଳ ନିଷ୍କାସନ ପ‌ାଇଁ ହୀରାକୁଦର ସ୍ଲୁଇସ୍‌ ଗେଟ୍ ଖୋଲା ଯାଇଥାଏ। କିନ୍ତୁ ଅଧିକାଂଶ ସ୍ଲୁଇସ୍ ଗେଟ୍ ଖୋଲିବା ସତ୍ତ୍ବେ ଅଧିକ ଜଳ ନିଷ୍କାସନ ଆବଶ୍ୟକତା ପଡ଼ିଲେ କ୍ରାଏଷ୍ଟ ଗେଟ୍ ଖୋଲା ଯାଇଥାଏ। ୧୯୬୧, ୧୯୮୦ ଓ ୨୦୧୧ ମସିହାରେ ଅତ୍ୟଧିକ ବନ୍ୟାଜଳ ନିଷ୍କାସନ ପାଇଁ କ୍ରାଏଷ୍ଟ ଗେଟ୍ ଖୋଲିବାକୁ ପଡ଼ିଥିଲା। ଗୋଟିଏ ସ୍ଲୁଇସ୍ ଗେଟ୍‌ରେ ଯେତେ ଜଳ ନିଷ୍କାସନ ହୋଇଥାଏ, ଗୋଟିଏ କ୍ରାଏଷ୍ଟ ଗେଟ୍‌ରେ ତାର ପ୍ରାୟ ଅଢ଼େଇ ଗୁଣ ପାଣି ନିଷ୍କାସିତ ହୋଇଥାଏ।

 

ହୀରାକୁଦ ବନ୍ଧ ନିର୍ମାଣ ପରେ ୧୯୬୧, ୧୯୮୦ ମସିହାରେ ଯଥାକ୍ରମେ ସର୍ବାଧିକ ୭୮ ଓ ୮୮ଟି ସ୍ଲୁଇସ୍‌ ଗେଟ୍ ଖୋଲିବାକୁ ପଡ଼ିଥିଲା। ୧୯୬୧ରେ ହୀରାକୁଦ ପାଣି ସାଂଗକୁ ତଳ ମୁଣ୍ଡରେ ବର୍ଷା କାରଣରୁ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ହୋଇଥିଲା। ଏହାକୁ ବିଗତ ୭୦ ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର ବନ୍ୟା ବୋଲି କହାଯାଏ। ହୀରାକୁଦ ଜଳ ପରିଚାଳନା‌ରେ ତ୍ରୁଟିକୁ ଏହି ବନ୍ୟା ପାଇଁ ମୁଖ୍ୟତଃ ଦାୟୀ କରାଯାଏ। ସେହିପରି ୧୯୮୦ରେ ଜଳଭଣ୍ଡାର ଉବୁଟୁବୁ ଅବସ୍ଥାରେ ଥିବାବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ପ୍ରଚୁର ପାଣି ପ୍ରବେଶ କରିଥିଲା। ତେଣୁ ବନ୍ଧ ସୁରକ୍ଷା ପାଇଁ ୮୮ଟି ଗେଟ୍ ଖୋଲିବାକୁ ପଡ଼ିଥିଲା ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି। ଏହି କାରଣରୁ ହୀରାକୁଦର ଠିକ୍ ପାଦଦେଶରେ ଥିବା ସମ୍ବଲପୁର ସହର ସବୁଠୁ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା। ମହାନଦୀ ତ୍ରିକୋଣ ଭୂମିରେ ମଧ୍ୟ ଏହା ବଡ଼ ଧରଣର ବିତ୍ପାତ ରଚିଥିଲା।

ଏକବିଂଶ ଶତାବ୍ଦୀରେ ୨୦୧୧ରେ ସର୍ବବୃହତ ବନ୍ୟା ହୋଇଥିଲା। ଏହି ବନ୍ୟା ଯୋଗୁଁ ମଧ୍ୟ ସମ୍ବଲପୁର ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ସହରର ଅନେକ ଛକ ପାଣିରେ ବୁଡ଼ି ଯାଇଥିଲା ବେଳେ ରାସ୍ତାଘାଟରେ ବୋଟ୍ ଚାଲିଥିଲା। ଉକ୍ତ ବର୍ଷ ସ୍ପିଲ୍‌ୱେଗୁଡ଼ିକର ଶେଷ ଭାଗର କିଛି ସ୍ଲୁଇସ୍‌ ଗେଟ୍ ଜାମ ହୋଇ ଯାଇଥିବାରୁ ସେଗୁଡ଼ିକୁ ଖୋଲାଯାଇ ନଥିଲା। ବନ୍ଧର ସୁରକ୍ଷାକୁ ଦୃ‌ଷ୍ଟିରେ ରଖି କିଛି ସ୍ଲୁଇସ୍‌ ଗେଟ୍ ବନ୍ଦ ଥିବାବେଳେ ଆବଶ୍ୟକ ପଡ଼ିବାରୁ କ୍ରାଏଷ୍ଟ ଗେଟ୍ ଖୋଲି ଜଳ ନିଷ୍କାସନ କରା ଯାଇଥିଲା। ଉକ୍ତ ବର୍ଷ ହୀରାକୁଦରୁ ସେକେଣ୍ଡ ପିଛା ୯ ଲକ୍ଷ ୮୧ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ନିଷ୍କାସିତ ହୋଇଥିଲା। ୨୦୧୪ରେ ୫୦ ଗେଟ୍‌ ଦେଇ ୮ ଲକ୍ଷ ୩୪ ହଜାର କ୍ୟୁସେକ୍‌, ୨୦୦୮ରେ ୪୮ ଗେଟ୍ ଦେଇ ୭ ଲକ୍ଷ ୯୧ ହଜାର କ୍ୟୁସେକ୍‌ ଓ ୨୦୨୦ରେ ୪୬ ଗେଟ୍ ଦେଇ ୭ଲକ୍ଷ ୬୨ ହଜାର କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଛଡ଼ା ଯାଇଥିଲା।

ହୀରାକୁଦର ବନ୍ଧ ଗେଟ୍ ଖୋଲିବାର ଇତିହାସ
୧୯୬୧ ୭୮
୧୯୮୦ ୮୮
୨୦୦୧ ୫୨
୨୦୦୩ ୫୪
୨୦୦୮ ୪୮
୨୦୧୧ ୫୯
୨୦୧୪ ୫୦
୨୦୨୦ ୪୬

ସମ୍ବନ୍ଧିତ ଖବର