ଶୀର୍ଷ ସ୍ତରରେ ରହିପାରୁନି ହୀରାକୁଦ ପାଣି, କଲ୍‌ମାର ୬୦ ଗେଟ୍‌ ବନ୍ଦ, ୬ଟି ଖୋଲା

ସମ୍ବଲପୁର : ଅକ୍ଟୋବର ମାସ ଶେଷ ହୋଇନି। କିନ୍ତୁ, ଛତିଶଗଡ଼ ସରକାର କଲ୍‌ମା ଗେଟ୍‌ ବନ୍ଦ କରିବା ଆରମ୍ଭ କରିଦେଇଛନ୍ତି। ଆଜି ତାରିଖରେ କଲ୍‌ମାର ୬୦ଟି ଗେଟ୍‌ ବନ୍ଦ କରିଦେଇଥିବା ବେଳେ ମାତ୍ର ୬ଟି ଗେଟ୍ ଦେଇ ୫,୭୦୦ କ୍ୟୁସେକ୍‌ ପାଣି ନିଷ୍କାସନ କରୁଛନ୍ତି। ଅପରପକ୍ଷରେ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ୁଛି। ଗତ ୧୧ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରେ ଗୋଟିଏ ବର୍ଷ ସର୍ବାଧିକ ୩୮ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ କ୍ଷମତାରେ ପାଣି ରହିଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କମିବା ପରେ ଜଳସେଚନ, ବିଦ୍ୟୁତ ଉତ୍ପାଦନ ଏବଂ ଶିଳ୍ପକୁ ଜଳଯୋଗାଣ ନିମନ୍ତେ ପାଣି ବ୍ୟବହହାର ହେଉଥିବାରୁ ଏହାର ଜଳସ୍ତର ମଧ୍ୟ କମି କମିଯାଉଛି। ବେଶୀ ଦିନ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ରେ ରହିପାରୁ ନାହିଁ।

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଶେଷ ୩ ଫୁଟ୍(୬୨୭ରୁ ୬୩୦ ପର୍ଯ୍ୟନ୍ତ)ର ମୂଲ୍ୟ ‌୧୨୦ କୋଟି ଲେଖାଏଁ ହିସାବକୁ ନିଆଯାଇଥାଏ। ଅର୍ଥାତ, ଏହି ୩ ଫୁଟ୍‌ ପାଣିର ମୂଲ୍ୟ ୩୬୦ କୋଟି। କିନ୍ତୁ, ଶୀର୍ଷ ସ୍ତରରେ ପାଣି ବେଶୀ ଦିନ ରହିପାରିନଥାଏ। ଗତ ୧୧ ବର୍ଷ ମଧ୍ୟରେ କେବଳ ଗୋଟିଏ ବର୍ଷ ହୀରାକୁଦ ଜଳଭଣ୍ଡାର ଏହାର ଶୀର୍ଷ ସ୍ତରରେ ପହଂଚି ପାରିନଥିଲା। ଗତ ୨୦୧୮ ମସିହାରେ ଜଳସ୍ତର ସର୍ବାଧିକ ୬୨୯.୫୬ ଫୁଟ୍ ଛୁଇଁଥିଲା। ଗତ ୨୦୧୧ ମସିହାରେ ସବୁଠାରୁ କମ୍‌ ଦିନ ହୀରାକୁଦର ଜଳସ୍ତର ଶୀର୍ଷରେ ରହିଥିଲା। ଏହି ବର୍ଷ ସେପ୍‌ଟେମ୍ବର ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ମାତ୍ର ୫ ଦିନ ଯାଏ ଜଳସ୍ତର ୬୩୦ ଫୁଟ୍ ରହିଥିଲା। ୨୦୧୨ ମିହାରେ ୧୭ ଦିନ, ୨୦୧୪ ମସିହାରେ ୯ ଦିନ, ୨୦୧୪ ମସିହାରେ ୧୨ ଦିନ, ୨୦୧୫ ମସିହାରେ ୭ ଦିନ, ୨୦୧୬ ମସିହାରେ ୩୧ ଦିନ ଏବଂ ୨୦୧୭ ମସିହାରେ ୨୩ ଦିନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷରେ ରହିଥିଲା। ୨୦୧୮ ମସିହାରେ ଜଳସ୍ତର ଶୀର୍ଷ ସ୍ତରରେ ପହଂଚି ପାରିନଥିବା ବେଳେ ୨୦୧୯ ମସିହାରେ ୨୬ ସେପ୍‌ଟେମ୍ବରରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ସର୍ବାଧିକ ୩୮ ଦିନ ପର୍ଯ୍ୟନ୍ତ ଶୀର୍ଷ ସ୍ତରରେ ରହିପାରିଥିଲା। ୨୦୨୦ ମସିହାରେ ଶୀର୍ଷ ଜଳସ୍ତର ୨୬ ଦିନ ପର୍ଯ୍ୟନ୍ତ ଏବଂ ୨୦୨୧ ମସିହାରେ ୨୦ଦିନ ଯାଏ ରହିଥିଲା।

ହୀରାକୁଦ ଉପର ମୁଣ୍ଡରେ ରହିଛି କଲ୍‌ମା ବ୍ୟାରେଜ। ଛତିଶଗଡ଼ ସରକାର ଅକ୍ଟୋବର ଆରମ୍ଭରୁ ପର୍ଯ୍ୟାୟକ୍ରମେ କଲ୍‌ମା ବ୍ୟାରେଜର ଗେଟ୍‌ଗୁଡ଼ିକ ବନ୍ଦ କରିବା ଆରମ୍ଭ କରିଦିଅନ୍ତି। ଗତ ୨୩ ତାରିଖ ଦିନ କଲ୍‌ମାର ୬୬ଟି ଗେଟ୍ ମଧ୍ୟରୁ ଛତିଶଗଡ଼ ସରକାର ୧୩ରୁ ୬୬ ନମ୍ବର ପର୍ଯ୍ୟନ୍ତ ଗେଟ୍‌ ବନ୍ଦ ରଖିଥିଲେ। ମାତ୍ର ୧୨ଟି ଗେଟ୍ ଖୋଲା ରହିଥିଲେହେଁ ସେଥିରୁ ମାତ୍ର ୧୭ ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଥିଲା। ତେବେ, ଆଜି ଆହୁରି ୬ଟି ଗେଟ୍ ବନ୍ଦ କରିଦେଇଛନ୍ତି। ଆଜି ଛତିଶଗଡ଼ ସରକାର ମାତ୍ର ୬ଟି ଗେଟ୍ ଦେଇ ୫,୭୦୦ କ୍ୟୁସେକ୍‌ ଜଳ ଓଡ଼ିଶା ପାଇଁ ହୀରାକୁଦକୁ ଛାଡ଼ୁଛନ୍ତି। ହୀରାକୁଦ ଜଳଭଣ୍ତାର ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ତାର କ୍ୟାଚ୍‌ମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅ˚ଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁ(୧ଜୁନ୍‌ରୁ ୩୧ଅକ୍ଟୋବର)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ)ରେ ତାଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ତାରକୁ ପ୍ରବେଶ କରିଥାଏ। କଲ୍‌ମା ବ୍ୟାରେଜ ନିର୍ମାଣ ପରେ ଆଗଭଳି ଅଣମୌସୁମୀ ଋତୁରେ ଆଗଭଳି ପାଣି ଆସୁନାହିଁ। ଗତ କିଛି ବର୍ଷ ହେଲା ମୌସୁମୀ ଋତୁରେ ବି ଜଳଭଣ୍ଡାରକୁ ଜଳପ୍ରବେଶ ପରିମାଣ କମି କମି ଯାଉଛି।

ସମ୍ବନ୍ଧିତ ଖବର