ସମ୍ବଲପୁର : ରବିବାର ସକାଳ ୯ଟାରୁ ହୀରାକୁଦ ବନ୍ଧର ସମସ୍ତ ଗେଟ୍‌ ବନ୍ଦ କରାଯିବା ପରେ ଲଗାତାର ଭାବେ ଜଳସ୍ତର ବୃଦ୍ଧି ପାଇଛି। ସୋମବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩. ୬୨ ଫୁଟ୍‌ ରହିଥିଲା। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୫୪,୫୧୫ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୨୧, ୩୭୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ପାୱାର ଚାନେଲ ଦେଇ ୧୮, ୫୮୪ କ୍ୟୁସେକ୍‌, ବିଭିନ୍ନ ‌କେନାଲରେ ୨୬୧୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୬,୦୦୦ କ୍ୟୁସେକ୍, ପଥର୍ଲାଠାରେ ୫୯,୦୨୦ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୨୭ ହଜାର କ୍ୟୁସେକ୍‌, ବରମୂଳଠାରେ ୧,୦୬,୦୦୦ କ୍ୟୁସେକ୍, ମୁଣ୍ଡଳିଠାରେ ୧,୪୩,୬୭୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।