ସମ୍ବଲପୁର : ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନରେ ସମସ୍ୟା କାରଣରୁ ରାଜ୍ୟର ବିଦ୍ୟୁତ୍‌ ଚାହିଦାକୁ ମେଣ୍ଟାଇବା ପାଇଁ ଜୁନ୍ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳବିଦ୍ୟୁତ୍‌ କେନ୍ଦ୍ରରୁ ଅପେକ୍ଷାକୃତ ଅଧିକ ବିଜୁଳି ଉତ୍ପାଦନ କରିବାକୁ ପଡ଼ିଥିଲା। ସେହି କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଅପେକ୍ଷାକୃତ ଅଧିକ ପାଣି ପାୱାର୍ ଚାନେଲ୍‌ରେ ଛାଡ଼ିବାକୁ ପଡ଼ିଥିଲା। ଫଳରେ, ଗତ ୫ ତାରିଖ ସକାଳ ୮ଟାରେ ୬୦୩.୫୨ ଫୁଟ୍‌ ଥିବା ହୀରାକୁଦ ଜଳସ୍ତର ୧୪ ତାରିଖ ସକାଳେ ୬୦୧.୫୪ ଫୁଟ୍‌କୁ ଖସି ଆସିଛି। ଏହି ୯ ଦିନରେ ଜଳସ୍ତର ୨ ଫୁଟ୍ ହ୍ରାସ ପାଇଛି। ହୀରାକୁଦ ପାଣି ଖସିବା ଫଳରେ ଏବେ ପୁଣି ବିଦ୍ୟୁତ୍‌ ଉତ୍ପାଦନ ନିୟନ୍ତ୍ରିତ କରାଯାଇଛି।

Advertisment

ସୂଚନା ଅନୁସାରେ, ବୁର୍ଲା ଓ ଚିପିଲିମା ଉଭୟ କେନ୍ଦ୍ର ମିଶାଇ ଗତ ୫ ତାରିଖ ଦିନ ହାରାହାରି ୬୧.୩୩୩ ମେଗାୱାଟ୍, ୬ ତାରିଖ ଦିନ ୭୫.୪୧୭ ମେଗାୱାଟ୍, ୭ ତାରିଖ ଦିନ ୮୯.୮୩୩ ମେଗାୱାଟ୍, ୮ ତାରିଖ ଦିନ ୧୧୧.୦୪୧ ମେଗାୱାଟ୍, ୯ ତାରିଖ ଦିନ ୯୬.୩୭୫ ମେଗାୱାଟ୍, ୧୦ ତାରିଖ ଦିନ ୧୦୮.୯୧୭ ମେଗାୱାଟ୍ ଓ ୧୧ ତାରିଖ ଦିନ ୬୨.୫୮୩ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିଲା। ଯେଉଁଥିପାଇଁ ହୀରାକୁଦ ଜଳଭଣ୍ଡାରରୁ ଅଧିକ ପାଣି ଛାଡ଼ିବାକୁ ପଡ଼ିଥିଲା। ହୀରାକୁଦ ପାଣିରେ ପରିଚାଳିତ ବୁର୍ଲା ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ଗତ ୨ ଦିନରେ ଯଥାକ୍ରମେ ହାରାହାରି ୨୮.୩୩୩ ମେଗାୱାଟ୍ (ସୋମବାର) ଓ ୩୭.୩୩୩ ମେଗାୱାଟ୍ (ମଙ୍ଗଳବାର) ମୋଟ ବିଦ୍ୟୁତ୍ ଉତ୍ପାଦନ ହୋଇଛି।

publive-image WordPress.com

ଏହିସମୟ ଭିତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ହୀରାକୁଦ ଜଳଭଣ୍ଡାରରୁ ସୋମବାର ସେକେଣ୍ଡ ପିଛା ହାରାହାରି ୧୨୫୧ ଘନଫୁଟ୍‌ (କ୍ୟୁସେକ୍) ଓ ମଙ୍ଗଳବାର ୪୯୨୩ ଘନଫୁଟ୍ ପାଣି ଛଡ଼ା ଯାଇଥିଲା। ବୁର୍ଲା ଜଳବିଦ୍ୟୁତ୍‌ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟ୍ ହୋଇଥିବାବେଳେ ଚିପିଲିମାର ୭୨ ମେଗାୱାଟ୍। କିନ୍ତୁ, ଗତ ୧୨ ତାରିଖ ଦିନ ଉଭୟ କେନ୍ଦ୍ରରେ ଯଥାକ୍ରମେ ୮ ଓ ୨୦.୩୩୩ ମେଗାୱାଟ୍‌ ଏବଂ ୧୩ ତାରିଖ ଦିନ ୩୧.୦୪୨ ଓ ୬.୨୯୧ ମେଗାୱାଟ୍ ହାରାହାରି ବିଦ୍ୟୁତ୍ ଉତ୍ପାଦନ ହୋଇଥିଲା। ୩୪୭.୫ ମେଗାୱାଟ୍ ବିଶିଷ୍ଟ ରାଜ୍ୟର ଏହି ପ୍ରମୁଖ ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ଏବେ ମୋଟ କ୍ଷମତାର ପାଖାପାଖି ୧୦% ବିଦ୍ୟୁତ୍‌ ଉତ୍ପାଦନ ହେଉଛି।

ତେବେ, ଗତ ୩ ଦିନ ହେଲା ଏହି ଦୁଇ କେନ୍ଦ୍ରରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ମୌସୁମୀ ସମୟରେ ହୀରାକୁଦରେ ଯେବେ ପାଣି ଉଛୁଳୁ ଥାଏ, ସେସମୟରେ ବି ଏହି ଜଳବିଦ୍ୟୁତ୍‌ କେନ୍ଦ୍ର ଦ୍ବୟ ନିଜ କ୍ଷମତା ଅନୁଯାୟୀ ବିଦ୍ୟୁତ୍‌ ଉତ୍ପାଦନ କରିପାରି ନଥାନ୍ତି। ଅନେକ ସମୟରେ ୟୁନିଟ୍ ଅଚଳ ତଥା ମରାମତି କାର୍ଯ୍ୟ ଯୋଗୁ କ୍ଷମତାଠାରୁ ଯଥେଷ୍ଟ କମ୍ ବିୁଦ୍ୟତ୍‌ ଉତ୍ପାଦନ ହୁଏ। ଏବେ ପ୍ରାୟ ସମସ୍ତ ୟୁନିଟ୍ ଠିକ୍‌ ଥିବା ସତ୍ତ୍ବେ ଜଳାଭାବ କାରଣରୁ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁ ନାହିଁ।

ଅନ୍ୟପକ୍ଷରେ, ହୀରାକୁଦ ଜଳସ୍ତର ଆଗୁଆ ଖସିବା କାରଣରୁ ଏଥର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଜଳଯୋଗାଣକୁ ନିୟନ୍ତ୍ରିତ କରାଯାଉଥିବା ଜଣାପଡ଼ିଛି।ଏ ସଂପର୍କରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି, ତାପଜ କ୍ଷେତ୍ରରୁ ବିଦ୍ୟୁତ୍‌ ଉତ୍ପାଦନ ସ୍ବାଭାବିକ ହୋଇଥିବାରୁ ଆମର ଉତ୍ପାଦନ ହ୍ରାସ ପାଇଥିଲେ ବି ବିଶେଷ ସମସ୍ୟା ନାହିଁ। ବର୍ଷା ପାଣି ଆସିବା ମାତ୍ରେ ହୀରାକୁଦରୁ ଜଳବିଦ୍ୟୁତ୍‌ ଉତ୍ପାଦନ ବି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀ ମିଶ୍ର ଆଶ ପ୍ରକାଶ କରିଛନ୍ତି।