ଉପରମୁଣ୍ଡରେ ବଡ଼ ବର୍ଷା, ଜଳସ୍ତର ବୃଦ୍ଧି

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରଥମ ବଡ଼ ବର୍ଷା। ଏଥିଯୋଗୁଁ ଜଳସ୍ତର ସ୍ଥିତି ଉନ୍ନତି ହେବା ନେଇ ଆଶା ରହିଛି। ଗୁରୁବାର ଗୋଟିଏ ଦିନରେ ଉପରମୁଣ୍ଡରେ ହାରାହାରି ୮୬.୩୭ ମିଲିମିଟର ଏବଂ ତଳମୁଣ୍ଡରେ ୬୫.୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ଗୁରୁବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୦୫.୬୨ ଫୁଟରେ ପହଞ୍ଚିଛି। ଏହି ସମୟରେ ଏଠାରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୧ ହଜାର ୯୮୪ ଘନଫୁଟ ପାଣି ପ୍ରବେଶ, ପ୍ରତି ସେକେଣ୍ଡରେ ୧୧ ହଜାର ୩୭ ଘନଫୁଟ ପାଣି ନିଷ୍କାସିତ ହେଉଛି। ୨ ଦିନ ହେଲା ଜଳଭଣ୍ଡାରରୁ ପାୱାର ଚେନାଲକୁ ପାଣି ଯୋଗାଣ ବନ୍ଦ ରହିଛି। ଆଶା ଥିଲା ଜଳସ୍ତର ବୃଦ୍ଧି ଯୋଗୁଁ ଗୁରୁବାର ରାତିରୁ ଏହା ପାଣି ନେବା ଆରମ୍ଭ କରିବ। ମାତ୍ର ପାୱାର ଚେନାଲକୁ ପାଣି ଛଡ଼ାଯାଇନଥିବା ହୀରାକୁଦ ନଦୀବନ୍ଧ ନିୟନ୍ତ୍ରଣ କକ୍ଷରୁ ପ୍ରକାଶ। ଏଥିଯୋଗୁଁ ବିଜୁଳି ଉତ୍ପାଦନ ବନ୍ଦ ରହିଛି।

ସମ୍ବନ୍ଧିତ ଖବର