ହୀରାକୁଦକୁ ଜଳପ୍ରବାହ କମିଛି: ରୁର୍କି ଆଇଆଇଟି

ବିଜେପି- ବିଜେଡି ମେଣ୍ଟ ସରକାରର ଉଦାସୀନତାରୁ ସମସ୍ୟା ସୃଷ୍ଟି

ବଲାଙ୍ଗୀର : ହୀରାକୁଦ ଉପରମୁଣ୍ଡରେ ତଥା ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ସମୟରେ ଜଳପ୍ରବାହ କମିଯାଇଥିବା ସ୍ପଷ୍ଟ ହେବା ପରେ ଏହାକୁ ନେଇ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ବିବାଦ ଦେଖା ଦେଇଛି। ଏହାସହିତ ଓଡ଼ିଶା ସରକାର ଛତିଶଗଡ଼ରେ ନିର୍ମାଣାଧୀନ ବ୍ୟାରେଜ ଗୁଡିକର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସ୍ୱର ଉତ୍ତୋଳନ ଜାରି ରଖିଛନ୍ତି।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ କେନ୍ଦ୍ର ଜଳସମ୍ପଦ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, କେନ୍ଦ୍ର ଓ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ଥିବା ବେଳେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଜୁଲାଇ ୨୦୦୦ ମସିହାରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ହୀରାକୁଦ ବନ୍ଧ ନିର୍ମାଣ ହେବା ପୂର୍ବରୁ ମହାନଦୀ ଉପରେ ତତ୍କାଳୀନ ମଧ୍ୟପ୍ରଦେଶରେ ୭ଟି ଜଳସେଚନ ପ୍ରକଳ୍ପ ଥିଲା। ଏହି ପ୍ରକଳ୍ପ ଗୁଡ଼ିକର ଜଳଧାରଣ କ୍ଷମତା କମ ଥିବାରୁ ହୀରାକୁଦ ଜଳଭଣ୍ଡାର ଉପରେ ଏହାର ପ୍ରଭାବ ନାହିଁ। କିନ୍ତୁ ଏହା ମଧ୍ୟରେ ୮ଟି ବୃହତ ଜଳସେଚନ ପ୍ରକଳ୍ପ, ୨୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୧୦ଟି ବ୍ୟାରେଜ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ଏହାବାଦ ୪ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ୫ଟି ନୂଆ ବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପଗୁଡ଼ିକ ମହାନଦୀ ଜଲଭଣ୍ଡାରକୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପ୍ରଭାବିତ କରିବ ବୋଲି ଶ୍ରୀ ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିବା ସଂଗେ ନୂତନ ପ୍ରକଳ୍ପଗୁଡ଼ିକୁ ଓଡ଼ିଶା ସରକାରଙ୍କ ସମ୍ମତି ବିନା କେନ୍ଦ୍ର ସରକାର ମଞ୍ଜୁରୀ ନଦେବା ପାଇଁ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟରୁ ଜଣାପଡ଼ିଛି। କିନ୍ତୁ କେନ୍ଦ୍ର ସରକାର କୋଣସି ପଦକ୍ଷେପ ନେଲେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟରେ ବିଜେପି- ବିଜେଡି ମେଣ୍ଟ ସରକାର ଶାସନରେ ଥିଲା। ରାଜ୍ୟ ସରକାର ମଧ୍ୟ ୧୫ବର୍ଷ ଧରି ତଥା ୨୦୧୫ ମସିହା ସୁଦ୍ଧା ଚୁପ ହୋଇ ବସିରହିଲେ। ଯାହା ଫଳରେ ମହାନଦୀରେ ଏବଂ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ ପରିମାଣ ହ୍ରାସ ଘଟିଛି। ଯାହାକି ଘର ପୋଡ଼ି ବେଳେ କୂଅ ଖୋଳା ସଂଗେ ସମାନ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ହୀରାକୁଦ ଉପରମୁଣ୍ଡରେ ମହାନଦୀରେ ଜଳପ୍ରବାହ କମିଥିବା କଥା ରୁର୍କି ଆଇଆଇଟି ରିପୋର୍ଟରେ ମଧ୍ୟ ସ୍ଥାନ ପାଇଥିବା ସୂଚନା ଅଧିକାର ଆଇନରୁ ଜଣାପଡ଼ିଥିବା କଥା ମଧ୍ୟ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଉଗ୍ର ହେଲା ପରେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ଓ ମହାନଦୀରେ ଜଳପ୍ରବାହକୁ ନେଇ ରୁର୍କି ଆଇଆଇଟି ଜରିଆରେ ତଥ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟ ଓ କେନ୍ଦ୍ରରେ ମେଣ୍ଟ ସରକାରର ଉଦାସୀନତା ହୀରାକୁଦ ଜଳଭଣ୍ଡାର ଓ ମହାନଦୀକୁ ଦୁର୍ଦଶାଗ୍ରସ୍ତ କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର