ଏମିତି ଚାଲିଛି ହୀରାକୁଦ ଜଳ ପରିଚାଳନା: ମିଳୁନି ସ୍ପଷ୍ଟ ଚିତ୍ର, କେଉଁ କାମକୁ ଗେଜ୍‌ପୋଷ୍ଟ?

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ମହାନଦୀ ଉପରେ ମନଇଚ୍ଛା ବ୍ୟାରେଜ ନିର୍ମାଣ ଏବେ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଛି। ମହାନଦୀରେ ଅନେକ ଛୋଟ ଛୋଟ ନଦୀ ନାଳ ମିଶିଥିବା ବେଳେ ଓଡ଼ିଶା ସରକାରଙ୍କ ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାନଦୀ ଜଳସ୍ତର ମାପିବା ପାଇଁ ସ୍ଥାପିତ ହୋଇଥିବା ଗେଜ୍‌ପୋଷ୍ଟ ‌ଷ୍ଟେସନ୍‌ରୁ ଏବେ ସ୍ପଷ୍ଟ ଚିତ୍ର ମିଳୁନଥିବା କୁହାଯାଉଛି।

ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ହଁସଦେଓ, ଜଙ୍କ, ଅପର୍ ଜଙ୍କ, ସିଓନାଥ ଭଳି କେତେକ ନଦୀ ବିଭିନ୍ନ ସ୍ଥାନରେ ମହାନଦୀ ସହିତ ମିଶିଛି। ହୀରାକୁଦ ଜଳଭଣ୍ଡାରର ଜଳ ସୁପରିଚାଳନା ନିମନ୍ତେ ମହାନଦୀରେ କେଉଁ ଜାଗାରେ କ‌େତେ ପାଣି ପ୍ରବାହିତ ହେଉଛି, ତାହା ଜାଣିବା ନିମନ୍ତେ ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗ ପକ୍ଷରୁ ଗେଜ୍‌ପୋଷ୍ଟ ଷ୍ଟେସନ୍ ସ୍ଥାପନ କରାଯାଇଛି। ଗେଜ୍‌‌ପୋଷ୍ଟଗୁଡ଼ିକରୁ ମହାନଦୀର ଜଳସ୍ତର ସ୍ଥିତି ଦେଖି ହୀରାକୁଦ ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରିବ, ତାହା ଆଗୁଆ ଆକଳନ କରାଯାଇଥାଏ। ଆଉ, ତାହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର କେତେ ଗେଟ୍ ‌ଖୋଲାଯିବ କିମ୍ବା ଖୋଲାଥିବା ଗେଟ୍ ବନ୍ଦ ରଖାଯିବ, ତାହା ସ୍ଥିର କରାଯାଇଥାଏ।

ଛତିଶଗଡ଼ ରାଜ୍ୟର ଘୋଘାରି, ନନ୍ଦଘାଟ, ସିଓରିନାରାୟଣ, ଚମ୍ପା, ସାରାଡିହି, ତାରାପୁର ଏବଂ ଓଡ଼ିଶାର ସୀମାରେ ଥିବା ଦେଓଗାଁ, ଖେରୁଆଲ ଆଦି ଜାଗାରେ ଗେଜ୍‌ପୋଷ୍ଟ ଷ୍ଟେସନ ରହିଛି। ଏସବୁ ଜାଗାରେ ବର୍ଷସାରା ଓଡ଼ିଶା ଜଳ ସଂପଦ ବିଭାଗର କର୍ମଚାରୀମାନେ ନିୟୋଜିତ ରହିଥା’ନ୍ତି। ଛତିଶଗଡ଼ ସରକାର ସିଓରିନାରାୟଣ, ବସନ୍ତପୁର, ମିରୌନି, ସାରାଡିହି, ସମୋଦା, କଲ୍‌ମା ଆଦି ସ୍ଥାନରେ ବ୍ୟାରେଜ୍‌ ନିର୍ମାଣ କରିଛନ୍ତି। ଏହାବ୍ୟତୀତ ୪ଟି ଚେକ୍‌ଡ୍ୟାମ୍ ବି ରହିଛି। ଏସବୁ ବ୍ୟାରେଜ ଯୋଗୁ ମହାନଦୀ ସବୁବେଳେ ଫୁଲି ରହୁଛି। ଫଳରେ ଗେଜ୍‌ପୋଷ୍ଟଗୁଡ଼ିକ ଥିବା ସ୍ଥାନରେ ସବୁଦିନେ ପାଣି ଭରି ରହୁଛି। ବର୍ଷାଦିନେ ମହାନଦୀରେ କେତେ ପରିମାଣର ଜଳ ପ୍ରବାହିତ ‌ହେଉଛି, ତାହାର ସ୍ପ‌ଷ୍ଟ ଚିତ୍ର ମିଳିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର