ସମ୍ବଲପୁର : ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଜଳଭଣ୍ଡାରର‌ ଗେଟ୍‌। ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ରବିବାର ସକାଳ ୯ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ହେଡ୍‌ ୱାର୍କ୍ସ ଓ ଅତିରିକ୍ତ ସ୍ପିଲୱେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଶୀଳ ବେହେରା ସୂଚନା ଦେଇଛନ୍ତି।

Advertisment

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୦ ଫୁଟ୍‌ରେ ପହଂଚିଛି। ଏହି ସମୟରେ ଜଳଭଣ୍ଡାରକୁ ୧,୪୦,୧୪୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୯,୮୪୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୩୬,୬୪୩ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୨୯୨୫ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି।

ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।