ପାଣି ଘୁଞ୍ଚି ଘୁଞ୍ଚି ଯାଉଛି : ହୀରାକୁଦ ଦେଖି ହଂସା ଉଡ଼ୁଛି

ବର୍ଷା ନ ହେଲେ ବନ୍ଦ ହେବ କେନାଲରେ ଜଳଯୋଗାଣ!

ସମ୍ବଲପୁ : ଉଦ୍‌ବେଗଜନକ ଭାବେ ଶୁଖିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର। ବର୍ଷା ଅଭାବରୁ ଜଳସ୍ତର ସର୍ବନିମ୍ନ ସ୍ଥିତି‌କୁ ଆସିଗଲାଣି। ପୂର୍ବରୁ କୌଣସି ବର୍ଷ ଜୁଲାଇ ଶେଷ ସପ୍ତାହରେ ଏଭଳି ଅବସ୍ଥା ସୃଷ୍ଟି ହୋଇନଥିଲା। ଫଳସ୍ବରୂପ ବିଦ୍ୟୁତ ଉତ୍ପାଦନ ପାଇଁ ଜଳଯୋଗାଣକୁ କମାଇ ଦିଆଯାଇଛି। ମାତ୍ର ସବୁଠାରୁ ବଡ଼ ବିପତ୍ତି ଏବେ ଘଟିବାକୁ ଯାଉଛି। ଜଳଭଣ୍ଡାରରୁ କେନାଲ ଯୋଗେ ଜଳଯୋଗାଣ ମଧ୍ୟ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଏହି କେନାଲର ମୁହଁଠାରୁ ଏବେ ଜଳଭଣ୍ଡାରର ଜଳଧାର ଦୂରେଇ ଯିବାରେ ଲାଗିଛି। କେନାଲ ମୁହଁ ଶୁଖିବାରେ ଲାଗିଛି। କେନାଲକୁ ପଟୁମିଶ୍ରିତ ପାଣି ପ୍ରବାହ ଆରମ୍ଭ ହୋଇଛି। ଦୁଇ ତିନି ଦିନ ମଧ୍ୟରେ ଉପରମୁଣ୍ଡ ଓ ଛତିଶଗଡ଼ରେ ବଡ଼ ବର୍ଷା ନ ହେଲେ ଏହି ଜଳଧାର ମଧ୍ୟ କେନାଲ ମୁହଁରୁ ଛାଡ଼ିଯିବ ଓ କେନାଲରେ ଜଳପ୍ରବାହ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ଜଳଭଣ୍ଡାରର ଯେଉଁ ସ୍ଥାନରୁ ବରଗଡ଼ ଓ ଶାସନ କେନାଲ ବାହାରିଛି, ସେଠାକାର ଆଜିର ଚିତ୍ର ପରିସ୍ଥିତିର ଭୟାବହତାକୁ ଦର୍ଶାଉଛି। ସୂଚନାଯୋଗ୍ୟ ୨୪ ଓ ୨୫ ତାରିଖରେ ଭଲ ବର୍ଷା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ବର୍ଷା ହେଲାନାହିଁ। ଜଳସ୍ତର ୫୯୮.୩୯ଫୁଟକୁ ଖସି ଆ‌ସିଛି। ଧାରା ଶ୍ରାବଣ ଭାବେ ପରିଚିତ ଏହି ଜୁଲାଇ ମାସ ଶେଷ ବେଳକୁ ହୀରାକୁଦ ଜଳସ୍ତର ସାଧାରଣତଃ ୬୨୦ ଫୁଟ ବା ତା’ଠାରୁ ଅଧିକ ରହିଥାଏ। ବେଳେବେଳେ ଏହା ସର୍ବୋଚ୍ଚ ସ୍ତର ପାଖାପାଖି ହେବାର ମଧ୍ୟ ନଜିର ରହିଛି। ମାତ୍ର ଚଳିତ ବର୍ଷ ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହୋଇ ପଡ଼ିଛି। ପ୍ରତିଦିନ ଜଳସ୍ତର ଖସିବାରେ ଲାଗିଛି।

ସେପଟେ ବର୍ଷାଭାବରୁ ହୀରାକୁଦ ସେଚାଞ୍ଚଳ ଚାଷୀମାନେ କେନାଲ ପାଣିକୁ ଭରସା କରି ରହିଥିବା ବେଳେ କେନାଲରେ ଜଳଯୋଗାଣ ବ୍ୟାହତ ହେଲେ ସମଗ୍ର ଅଞ୍ଚଳରେ ମରୁଡ଼ି ଦେଖାଦେବ ଓ ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ। ସମଗ୍ର ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଦୋହଲିଯିବ।

ସେ ଦୃଷ୍ଟିରୁ କେନାଲକୁ ଯେପରି କୌଣସି ପରିସ୍ଥିତିରେ ଜଳଯୋଗାଣ ବ୍ୟାହତ ନହୁଏ, ସେଥିଲାଗି କେନାଲ ମୁହଁ ନିକଟବର୍ତ୍ତି ଜଳଭଣ୍ଡାରରେ ଖନନ କାର୍ଯ୍ୟ କରାଯିବାକୁ ମଧ୍ୟ ଦାବି ହେଉଛି।

ଆଜି ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ହୀରାକୁଦରେ ବିଦ୍ୟୁତ ଉତ୍ପାଦନ ନଗଣ୍ୟ ହୋଇଯାଇଛି। ଜଳଭଣ୍ଡାରରେ ଜଳ ହ୍ରାସ ପାଇଥିବାରୁ ପାୱାର ଚାନେଲକୁ ପାଣି ଛାଡ଼ିବା କମ୍‌ କରାଯାଇଛି। ସାଧାରଣତଃ ୧୭ ହଜାର କ୍ୟୁସେକ୍‌ ପାଣି ଛଡ଼ା ଯାଉଥିବା ପାୱାର ଚାନେଲରେ ଶୁକ୍ରବାର ପ୍ରାୟ ୭ ହଜାର କ୍ୟୁସେକ୍‌ ଅର୍ଥାତ ୧୦ ହଜାର କ୍ୟୁସେକ୍‌ ପାଣି କମ୍‌ ଛଡ଼ା ଯାଇଥିଲା। ତେଣୁ ଶୁକ୍ରବାର ବୁର୍ଲା ପାୱାର ହାଉସ୍‌ରେ ହାରାହାରି ମାତ୍ର ୩.୩୩୩ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥିଲାବେଳେ ଚିପିଲିମା ପାୱାର ହାଉସ୍‌ରେ ୧୧.୫୦୦ ମେଗାୱାଟ୍ ହୋଇଛି। ଶୁକ୍ରବାର ରାତି ୯ଟା ବେଳକୁ ହୀରାକୁଦର ଜଳସ୍ତର ୫୯୮.୩୯ ଫୁଟ୍‌କୁ ଖସି ଆସିଛି। ସେତିକି ବେଳକୁ ଜଳଭଣ୍ଡାରକୁ ସେକେଣ୍ଡ ପିଛା ମାତ୍ର ୬୩୩୦ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗରେ ୧୧, ୨୯୫ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ବରଗଡ଼ କେନାଲରେ ୩୦୭୮ କ୍ୟୁସେକ୍‌, ଶାସନ କେନାଲ ଦେଇ ୫୮୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୧୧ କ୍ୟୁସେକ, ଶିଳ୍ପସଂସ୍ଥାକୁ ୧୭୦ କ୍ୟୁସେକ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୦.୭୨ ମିଲିମିଟର ଓ ତଳ ମୁଣ୍ଡରେ ୨୦.୬୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର