ସମ୍ବଲପୁର: ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଯାଉଛି ହୀରାକୁଦ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍। ହୀରାକୁଦ ଜଳଭଣ୍ଡାର କଡ଼ରେ ବଳବସପୁରରେ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମଙ୍ଗଳବାର ରାଜ୍ୟ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ତଥା କମିସନର ବିଶାଳ ଦେବ ଏହି ଇକୋ ରିଟ୍ରିଟ୍ ପରିଦର୍ଶନ କରିବା ସହ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ହୀରାକୁଦକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ହିଁ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ। ଗତ ସପ୍ତାହରୁ ହିଁ ଏହି ଇକୋ ରିଟ୍ରିଟ୍ ପାଇଁ ବୁକିଂ ଆରମ୍ଭ ହୋଇଯାଇଥିବା ସମୟରେ ଡିସେମ୍ବର ୮ ତାରିଖରୁ ଏହି ଫେଷ୍ଟିଭାଲ୍ ୩ ମାସ ପାଇଁ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୨୫ଟି କଟେଜ୍ ପ୍ରସ୍ତୁତ କରାଯାଇଥିବା ସମୟରେ ବୁକିଂ ସଂଖ୍ୟା ବଢ଼ିଲେ କଟେଜ ସଂଖ୍ୟା ବୃଦ୍ଧି ନେଇ ମଧ୍ୟ ଚିନ୍ତା କରାଯିବ ବୋଲି ମନ୍ତ୍ରୀ କହିଥିଲେ। କିଭଳି ଭାବେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ଚାଲିବ ସେନେଇ ମନ୍ତ୍ରୀ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ମଙ୍ଗଳବାରର ଏହି ସମୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା, ଏସ୍ପି କନୱର ବିଶାଳ ସିଂହ ଉପସ୍ଥିତ ଥିଲେ। ଇକୋ ରିଟ୍ରିଟ୍ ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ହୁମା ବକ୍ର ମନ୍ଦିର, ସମଲେଶ୍ବରୀ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ତେବେ ଆଗାମୀ ଦିନରେ ଯୁଯୁମୁରା ବ୍ଲକର ଦେବଝରନ୍ରେ ମଧ୍ୟ ଏଭଳି ଇକୋ ରିଟ୍ରିଟ୍ର ସୁବିଧା କରାଗଲେ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ ବୋଲି ବିଧାୟକ ଶ୍ରୀ ପୂଜାରୀ ପ୍ରସ୍ତାବ ଦେଇଥିଲେ।
ମଙ୍ଗଳବାର ଯାଏ ସମସ୍ତ ୨୦ଟି ପ୍ରିମିୟମ୍ କଟେଜ ପାଇଁ ଟେଣ୍ଟ ବନ୍ଧା କାମ ଶେଷ ହୋଇଥିବା ସମୟରେ ବିଦ୍ୟୁତ୍ ଓ ଜଳ ସଂଯୋଗୀକରଣ କାର୍ଯ୍ୟ ଜାରି ରହିଛି। ଏହାପରେ ବଳକା ୫ଟି ରୟାଲ କଟେଜ୍ର ନିର୍ମାଣ କରାଯିବ। ଅତିଥିଙ୍କ ପାଇଁ ରହିବାକୁ ଥିବା ଅଭ୍ୟର୍ଥନା ଗୃହ, ସମ୍ମିଳନୀ କକ୍ଷ, ରେସ୍ତୋରାଁ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ହୀରାକୁଦ ଜଳଭଣ୍ଡାର କୂଳରେ ବାରିକେଡିଂ କରାଯାଇ ଜଳକ୍ରୀଡ଼ା ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଟେଜ ନିର୍ମାଣ ଶେଷ ହେବା ପରେ ଭିତରେ ଶଯ୍ୟା ଠାରୁ ନେଇ ଏସି ଯାଏ ସମସ୍ତ ବ୍ୟବସ୍ଥା କରାଯିବ। ତେବେ କରୋନା କଟକଣାକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ହୀରାକୁଦ ଜଳଭଣ୍ଡାରର ବିକାଶ ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଥିବାରୁ ପର୍ଯ୍ୟଟକଙ୍କୁ ଜଳକ୍ରୀଡ଼ାର ଭରପୂର ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଏଠାରେ ଜେଟ୍ ସ୍କି, ଫାଇଟ୍ର ବୋଟ୍,ବନାନା ବୋଟ୍, କୟାକ୍, ପାରା ମୋଟରିଂ, ସାଇକଲ ରାଇଡିଂ ପରି ବ୍ୟବସ୍ଥା ମଧ୍ୟ କରାଯିବ। ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନେ ଏହି ଜଳକ୍ରୀଡ଼ାର ମଜା ନେବେ। ତେବେ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ। ଇକୋ ରିଟ୍ରିଟ୍କୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଜଳକ୍ରୀଡ଼ା ପାଇଁ ଭିନ୍ନ ରାସ୍ତା ଦେଇ ବ୍ୟବସ୍ଥା କରାଯିବ। ଲୋକେ ଆବଶ୍ୟକୀୟ ଫି’ ଦେଇ ଏହାର ମଜା ନେଇପାରିବେ। ସେପଟେ, ଆସୁଥିବା ପର୍ଯ୍ୟଟକଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟ, ଜଙ୍ଗଲ ସଫାରି,ହୀରାକୁଦ ଜଳଭଣ୍ଡାରରେ ବୋଟିଂ, ହୀରାକୁଦ ରୋପ୍-ୱେ, ହୁମା ବକ୍ର ମନ୍ଦିର, ସମଲେଶ୍ବରୀ ମନ୍ଦିର ଆଦି ବୁଲାଇବାକୁ ନିଆଯିବ। ସବୁଦିନ ସନ୍ଧ୍ୟାରେ ଇକୋ ରିଟ୍ରିଟ୍ ପରିସରରେ ପର୍ଯ୍ୟଟକମାନେ ସମ୍ବଲପୁରୀ ନୃତ୍ୟର ମଜା ଉଠାଇ ପାରିବେ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଇକୋ ରିଟ୍ରିଟ୍ ପରିସରରେ ୨୪ ଘଣ୍ଟିଆ ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବା ନେଇ ଏସ୍ପି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଆସୁଥିବା ପର୍ଯ୍ୟଟକଙ୍କ ଦ୍ବାରା ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର କିଭଳି କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ସକ୍ସେନା କହିଛନ୍ତି। ଏହାବାଦ୍ ଓଟିଡିସିର ନିମନ୍ତ୍ରଣ ଯୋଜନାରେ ଇକୋ ରିଟ୍ରିଟ୍ରେ ରହିବାକୁ ଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ। ଯଦ୍ବାରା ସ୍ଥାନୀୟ ଖାଦ୍ୟର ପ୍ରଚାର ପସାର ହେବା ସହ ଏଠାକାର ସଂସ୍କୃତି ମଧ୍ୟ ବିଶ୍ବବିଦିତ ହୋଇପାରିବ ବୋଲି ସଚିବ ଶ୍ରୀ ଦେବ କହିଥିଲେ। କରୋନା ପରବର୍ତ୍ତୀ ସ୍ଥିତିରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଅବହେଳିତ ହୋଇ ପଡ଼ିଥିବା ସମୟରେ ପର୍ଯ୍ୟଟନ ତଥା ସାଂସ୍କୃତିକ ବିକାଶରେ ମଧ୍ୟ ବାଧା ଉପୁଜିଛି। ତେବେ ଏଭଳି ଏକ ପଦକ୍ଷେପ ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ବେଶ୍ ଲାଭପ୍ରଦ ହେବ ବୋଲି ସମ୍ମିଳନୀରେ କୁହାଯାଇଥିଲା। ଗତବର୍ଷ କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍ରେ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍ ସଫଳ ହେବା ପରେ ରାଜ୍ୟ ସରକାର ଚଳିତ ବର୍ଷ କୋଣାର୍କ ସମେତ ଭିତରକନିକା, ସାତକୋଶିଆ, ଦାରିଙ୍ଗବାଡ଼ି ଓ ହୀରାକୁଦରେ ଏହି ଯୋଜନା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯାଉଥିବା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।