ସମ୍ବଲପୁର: ଆସନ୍ତା ଡିସେମ୍ବର ପହିଲାରୁ ହୀରାକୁଦ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ଲଗାତାର ତୃତୀୟ ବର୍ଷ ପାଇଁ ଆୟୋଜିତ ହେଉଥିବା ରାଜ୍ୟ ସରକାରଙ୍କ ଏହି ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶନିବାର ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ବର୍ଷ ଇକୋ ରିଟ୍ରିଟ୍‌ର ରୂପରେଖ ସଂପର୍କରେ ଆଲୋଚନା ହୋଇଥିଲା। ଜମାଦାରପାଲି ବଲ୍‌ବସପୁର ନିକଟରେ ହେବାକୁ ଥିବା ହୀରାକୁଦ ଇକୋ ରିଟ୍ରିଟ୍‌ରେ ଏଥର ୫ଟି ପ୍ରିମିୟମ୍ ତମ୍ବୁ ସମେତ ମୋଟ ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ରହିବ। ଏହା ସହ ଅତିଥିମାନେ ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁ ଓ ବାର, ବ୍ୟାଡ୍‌ମିଣ୍ଟନ, ଭଲିବଲ, ତୀରନ୍ଦାଜୀ, ରାଇଫଲ ସୁଟିଂ, ଏଟିଭି ରାଇଡ଼, ୱାଟର ସ୍ପୋର୍ଟ, ଫଟୋ ପଏଣ୍ଟ, ପକ୍ଷୀ ଗଛ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ମଜା ନେଇ ପାରିବେ। ଏଥି ସହ ପର୍ଯ୍ୟଟକମାନଙ୍କୁ ଡେବ୍ରିଗଡ଼, ହୀରାକୁଦ ବନ୍ଧ, ରୋପୱେ’, ଗାନ୍ଧୀ ମିନାର, ନେହରୁ ମିନାର ଆଦି ପର୍ଯ୍ୟଟନ ସ୍ଥଳ ବୁଲିବାର ସୁଯୋଗ ମିଳିବ।

Advertisment

ଏହି  ଇକୋ ରିଟ୍ରିଟ୍‌ କେମିତି ସଫଳତାର ସହ ଆୟୋଜନ କରାଯିବ, ସେଥି ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଇକୋ ରିଟ୍ରିଟ୍‌ ତୁଳନାରେ ହୀରାକୁଦକୁ ଅଧିକ ଆକର୍ଷଣୀୟ କରାଯିବା ସହ କେମିତି ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହେବେ ସେଥି ପାଇଁ ସମସ୍ତ ସେବା ସୁନିଶ୍ଚିତ କରିବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉମାକାନ୍ତ ରାଜ, ସଦର ଉପଜିଲ୍ଲାପାଳ ପ୍ରଭାସ ଡନ୍‌ସେନା, ମୁଖ୍ୟ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପଙ୍କଜ ପଟେଲ, ବିଏସ୍‌ଏନ୍‌ଏଲ୍‌ ଉପମହାପ୍ରବନ୍ଧକ ଏଚ୍‌ ଏକ୍କା,  ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ଏସିଏଫ୍‌ ମାଳତିଲତା ହାଁସଦା, ପୂର୍ତ୍ତ ବିଭାଜନ-୨ ନିର୍ବାହୀ ଅଧିକାରୀ ଅଶୋକ କୁମାର ଲେଙ୍କା, ସମ୍ବଲପୁର ମହାନଗର ନିଗମ ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି, ଡେପୁଟି  କମିସନର ରୁ୍କ୍ମଣ ମେହେର, ପର୍ଯ୍ୟଟନ ବିଭାଗ ଓଏସଡି ହେମନ୍ତ  କୁମାର ପ୍ରଧାନ, ଡିଏସପି ଡିଆଇବି ଜେମ୍‌ସ ସାମଦ, ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର  ବିଶ୍ବାଳ, ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ ସୁଚିତ୍ର କୁମାର ମହାନ୍ତି, ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଏଚ୍‌ଏସ୍‌ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଇକୋ ରିଟ୍ରିଟ୍‌ ପ୍ରାଇଭେଟ ଲିମିଟେଡ୍‌ର ଜୟେଶ ପାଟିଲଙ୍କ ସମେତ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।